ନୂଆଦିଲ୍ଲୀ: ଗତ ଏସୀୟ କ୍ରୀଡ଼ାରେ ପଦକ ଜିତିଥିବା ସମସ୍ତ ଭାରତୀୟ କ୍ରୀଡ଼ାବିତ୍ଙ୍କୁ ମଙ୍ଗଳବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହାସହ ପଦକ ବିଜେତାଙ୍କୁ ସରକାର ଅର୍ଥ ପୁରସ୍କାର ପ୍ରଦାନ କରିଛନ୍ତି। ସ୍ୱର୍ଣ୍ଣପଦକ ବିଜେତାଙ୍କୁ ୪୦ ଲକ୍ଷ, ରୌପ୍ୟପଦକ ବିଜେତାଙ୍କୁ ୨୦ ଲକ୍ଷ ଓ ବ୍ରୋଞ୍ଜ୍ପଦକ ବିଜେତାଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି।
ସୂଚନାଯୋଗ୍ୟ; ଏହି ଏସୀୟ କ୍ରୀଡ଼ାରେ ଭାରତ ୧୫ ସ୍ୱର୍ଣ୍ଣ, ୨୪ ରୌପ୍ୟ ଓ ୩୦ଟି ବ୍ରୋଞ୍ଜ୍ ସହ ମୋଟ ୬୯ଟି ପଦକ ଜିତି ଏସୀୟ କ୍ରୀଡ଼ା ଇତିହାସରେ ତା’ର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିପାରିଛି। ସମ୍ବର୍ଦ୍ଧନା ଉତ୍ସବରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ପେଟ୍ରୋଲିୟମ୍ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର, ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ କିରନ୍ ରିଜିଜୁ, ସଂସ୍କୃତି ଓ ପର୍ୟ୍ୟଟନ ମନ୍ତ୍ରୀ ମହେଶ ଶର୍ମା, ଅଲିମ୍ପିକ୍ ପଦକ ବିଜୟିନୀ ବକ୍ସର ତଥା ରାଜ୍ୟସଭା ସଦସ୍ୟ ଏମ୍.ସି. ମ୍ୟାରି କମ୍, କେନ୍ଦ୍ର କ୍ରୀଡ଼ା ସଚିବ ରାହୁଲ ଭଟ୍ଟନାଗର, ଭାରତୀୟ ଅଲିମ୍ପିକ୍ ଆସୋସସିଏସନ୍ ସଭାପତି ନରିନ୍ଦର ବାତ୍ରା, ସାଇ ମହାନିର୍ଦେଶକ ନୀଲମ୍ କପୁର ପ୍ରମୁଖ ପଦକ ବିଜେତାଙ୍କୁ ପୁରସ୍କାର ବଣ୍ଟନ କରିଥିଲେ। ସମସ୍ତ ପଦକ ବିଜେତାଙ୍କୁ ମନ୍ତ୍ରୀ ରାଜନାଥ ଶୁଭେଚ୍ଛା ଜଣାଇବା ସହ ଆଗାମୀଦିନରେ ଭାରତ ଏକ କ୍ରୀଡ଼ା ଶକ୍ତି ଭାବେ ଉଭାହେବାକୁ ଯାଉଛି ବୋଲି କହିଥିଲେ। ଏସୀୟ କ୍ରୀଡ଼ାର ସ୍ପ୍ରିଣ୍ଟ ଇଭେଣ୍ଟରେ ୨ଟି ରୌପ୍ୟ ପଦକ ଜିତିଥିବା ଓଡ଼ିଶା ଦୂତି ଚାନ୍ଦ ମଧ୍ୟ ଏହି ଉତ୍ସବରେ ମନ୍ତ୍ରୀ ରାଜନାଥଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ। ରୌପ୍ୟ ବିଜେତା ଭାରତୀୟ ମହିଳା ହକି ଦଳର ୪ ଓଡ଼ିଆ ଖେଳାଳି- ଦୀପ୍ ଗ୍ରେସ୍ ଏକ୍କା, ସୁନିତା ଲାକ୍ରା, ନମିତା ଟପ୍ପୋ ଓ ଲିଲିମା ମିଞ୍ଜ୍ ଏବଂ ବ୍ରୋଞ୍ଜ୍ପଦକ ଭାରତୀୟ ପୁରୁଷ ହକି ଦଳରେ ଥିବା ୨ ଖେଳାଳି ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ପୁରସ୍କାର ଗ୍ରହଣ କରିଥିଲେ।
ଏସୀୟ କ୍ରୀଡ଼ା ପଦକ ବିଜେତାଙ୍କୁ କେନ୍ଦ୍ର ସରକାରଙ୍କ ସମ୍ବର୍ଦ୍ଧନା
Popular Categories


