ଏନସିପିସିଆର ଯାଞ୍ଚ ରିପୋର୍ଟ: ୫୦ ସେଲ୍ଟର ହୋମ୍ରେ ସୁରକ୍ଷା, ଯତ୍ନ, ଭିତ୍ତିଭୂମି ଦୁର୍ବଳ
ନୂଆଦିଲ୍ଲୀ: ଓଡ଼ିଶାରେ ଚାଲିଥିବା ବିଭିନ୍ନ ସେଲ୍ଟର ହୋମ୍ ମଧ୍ୟରୁ ଅଧିକାଂଶ ସେଲ୍ଟର ହୋମ୍ର ଅବସ୍ଥା ଭଲନାହିଁ। କେତେକ ଆଶ୍ରୟ ଗୃହରେ ମୌଳିକ ସୁବିଧା ସୁଯୋଗ ନଥିବାବେଳେ ଆଉ କେତେକର ଭିତ୍ତିଭୂମି ଏବଂ ଶିଶୁସୁରକ୍ଷାକୁ ଗୁରୁତର ଅଣଦେଖା କରାଯାଇଛି। ଏପରିକି ଶିଶୁକନ୍ୟାଙ୍କ ଦେଖାରଖା କରୁଛନ୍ତି ପୁରୁଷ କର୍ମଚାରୀ। ଢେଙ୍କାନାଳର ବେଲଟିକିରି ‘ଗୁଡ଼ ନ୍ୟୁଜ୍ ଇଣ୍ଡିଆ’ ଆଶ୍ରୟ ଗୃହ ଘଟଣା ପଦାକୁ ଆସିବା ପରେ ଘଟଣାର ତଦନ୍ତ କରିବା ପରେ ଏଭଳି ଉଦ୍ବେଗଜନକ ରିପୋର୍ଟ ଦେଇଛନ୍ତି ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନ୍ସିପିସିଆର୍)। ଶିଶୁଙ୍କ ପାଇଁ ଉର୍ଦ୍ଦିଷ୍ଟ ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟକୁ କଡ଼ାକଡ଼ି ପାଳନ କରିବା ପାଇଁ ଏନ୍ସିପିସିଆର ସୁପାରିସ କରିଛନ୍ତି। ଏକ ନିର୍ଦ୍ଦିଷ୍ଟ ଧର୍ମର ଶିଶୁଙ୍କୁ ଜିଲା ବାହାରକୁ ପଠାଇବା ପାଇଁ ଶିଶୁ କଲ୍ୟାଣ କମିଟି (ସିଡ଼ବ୍ଲୁସି)ର ଅନୁମତି ପ୍ରସଙ୍ଗରେ ଏନ୍ସିପିସିଆର ଆପତ୍ତି ଦର୍ଶାଇଛନ୍ତି। ରିପୋର୍ଟରେ କୁହାଯାଇଛି ଯେ ଏହା ଧର୍ମନିରପେକ୍ଷତା ଭାବନାକୁ ଆଘାତ ଦେଉଛି; ରାଜ୍ୟ ସରକାର ଏହାର ତଦନ୍ତ କରିବାକୁ ଏନ୍ସିପିସିଆର ସୁପାରିସ କରିଛନ୍ତି। ଆଶ୍ରୟ କେନ୍ଦ୍ରରେ ବିଭିନ୍ନ ଧର୍ମାବଲମ୍ବୀ ଶିଶୁଙ୍କୁ ଏକ ନିର୍ଦ୍ଦିଷ୍ଟ ଧର୍ମଗ୍ରନ୍ଥ ପଢ଼ାଯିବା ନେଇ ଏନ୍ସିପିସିଆର ଆପତ୍ତି ଉଠାଇଛନ୍ତି। ଜାତିସଂଘର ଶିଶୁସୁରକ୍ଷା ସମ୍ମେଳନ ସଂକଳ୍ପ ଅନୁଯାୟୀ ଶିଶୁଙ୍କ ପରିଚୟ, ଜାତୀୟତା, ନାମ ଓ ପରିବାର ସମ୍ପର୍କକୁ କୌଣସି ମତେ ପ୍ରଭାବିତ କରାଯାଇପାରିବନାହିଁ। ଅନ୍ୟ ଧର୍ମାବଲମ୍ବୀ ଶିଶୁଙ୍କୁ ଏଭଳି ଧର୍ମଗ୍ରନ୍ଥ ପଢ଼ାଯିବା ପ୍ରସଙ୍ଗରେ ପୁଲିସ୍ ତଦନ୍ତ କରିବାକୁ ଏନ୍ସିପିସିଆର ସୁପାରିସ କରିଛନ୍ତି।
କେନ୍ଦ୍ର ମହିଳା ଓ ଶିଶୁବିକାଶ ମନ୍ତ୍ରାଳୟରେ ଦାଖଲ ରିପୋର୍ଟରେ ଓଡ଼ିଶାର ୫୦ଟି ଶିଶୁ ଆଶ୍ରୟ ଗୃହର ବାସ୍ତବିକ ସ୍ଥିତି ସମ୍ପର୍କରେ ଏନ୍ସିପିସିଆର ଉଦ୍ବେଗଜନକ ତଥ୍ୟ ଉଲ୍ଲେଖ କରିଛନ୍ତି। ଢ଼େଙ୍କାନାଳ ଜିଲା ବେଲଟିକିରି ସେଲ୍ଟର ହୋମ୍ରେ ଶୋଷଣ ସମ୍ପର୍କିତ ଅଭିଯୋଗକୁ ଭିତ୍ତିକରି କେନ୍ଦ୍ର ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଗତ ଡିସେମ୍ବର ୭ ତାରିଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଚିଠିଲେଖି ‘ଗୁଡ୍ ନ୍ୟୁଜ୍ ଇଣ୍ଡିଆ’ସଂସ୍ଥାଦ୍ୱାରା ପରିଚାଳିତ ରାଜ୍ୟର ବିଭିନ୍ନ ସେଲ୍ଟର୍ ହୋମ୍ର ଗମ୍ଭୀରସ୍ଥିତି ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାପରେ ଏନ୍ସିପିସିଆର୍ ଟିମ୍ ଡିସେମ୍ବର ୧୨ରୁ ୧୮ତାରିଖ ମଧ୍ୟରେ ରାଜ୍ୟର ୧୯ଟି ଜିଲ୍ଲାର ୫୦ଟି ସେଲ୍ଟର ହୋମ୍କୁ ଅନୁଧ୍ୟାନ କରି ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଥିଲେ। ଏନ୍ସିପିସିଆର୍ ଟିମ୍ର ପରିଦର୍ଶନ କାଳରେ ୨୮ଟି ସେଲ୍ଟର ହୋମ୍ର ସର୍ବନିମ୍ନ ସୁବିଧାସୁଯୋଗ ଦେବାରେ ଶିଶୁ ଆଶ୍ରୟ ଗୃହର ପରିଚାଳନା କର୍ତ୍ତୃପକ୍ଷ ବିଫଳ ହୋଇଥିବା ଜଣାପଡ଼ିଥିଲା। ବିଭିନ୍ନ ଜିଲ୍ଲାରେ ଥିବା ଶିଶୁ କଲ୍ୟାଣ କମିଟି(ସିଡ଼ବ୍ଲୁସି)ର ନିଷ୍କ୍ରିୟତାକୁ ନେଇ ଆୟୋଗ ପ୍ରଶ୍ନ ଉଠାଇଛନ୍ତି। ୧୩ଟି ଶିଶୁ ଆଶ୍ରୟ ଗୃହ ବିରୋଧରେ ଏଫ୍ଆଇଆର୍ ଅଥବା ପୋଲିସ୍ ତଦନ୍ତ ପାଇଁ ଆୟୋଗ ସୁପାରିସ କରିଛନ୍ତି। ସେହିପରି ବିନା ପଞ୍ଜୀକରଣରେ ଶିଶୁଗୃହ ପରିଚାଳନା, ଆବଶ୍ୟକତାଠାରୁ ଅଧିକ ଶିଶୁଙ୍କୁ ସିଡ଼ବ୍ଲ୍ୟୁସିର ବିନାନୁମତିରେ ରଖିବା, ଧର୍ମାନ୍ତୀକରଣ ପାଇଁ ଶିଶୁଙ୍କୁ ପ୍ରଭାବିତ କରିବା, ଭିତ୍ତିଭୂମି ଓ ମହିଳା କର୍ମଚାରୀଙ୍କ ଅଭାବ ଆଦି କାରଣ ପାଇଁ ୫ଟି ଶିଶୁ ଆଶ୍ରୟ ଗୃହକୁ ବନ୍ଦ କରିବାକୁ ଆୟୋଗ ସୁପାରିସ କରିଛନ୍ତି। ୨୧ଟି ସେଲ୍ଟର ହୋମ୍ରେ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥାନଥିବା ରିପୋର୍ଟରୁ ଜଣାପଡ଼ିଛି। ଏହିସବୁ ଆଶ୍ରୟଗୃହରେ ସଠିକ୍ ସ୍ଥାନରେ କ୍ୟାମେରା ଲଗାଯାଇନାହିଁ କି ସୁରକ୍ଷା କର୍ମୀନାହାନ୍ତି। ୧୪ଟି ଶିଶୁ ଆଶ୍ରୟ ଗୃହରେ କାର୍ଯ୍ୟରତ କର୍ମଚାରୀଙ୍କର ଚିହ୍ନଟ ପ୍ରକ୍ରିୟା (ପୁଲିସ ଭେରିଫିକେସନ୍) କରାଯାଇନାହିଁ।
୨୮ଟି ଶିଶୁଗୃହରେ ଗାଧୁଆଘର, ପାଇଖାନା, ସ୍ୱଚ୍ଛପାନୀୟ ଜଳ, ଏୟାର କୁଲର, ରୋଷେଇପାଇଁ ଗ୍ୟାସ୍ ଷ୍ଟୋଭ୍ ନଥିବା ଜଣାଯାଇଛି। ୨୭ଟି ଶିଶୁଗୃହରେ ମାନସିକ ସ୍ବାସ୍ଥ୍ୟ ବିଶେଷଜ୍ଞ, ମନସ୍ତତ୍ତ୍ବ ଡାକ୍ତର ନଥିବା ଆୟୋଗ ଜାଣିବାକୁ ପାଇଛନ୍ତି। ଏହାଛଡ଼ା ୧୦ଟି ଶିଶୁଗୃହରେ ଜେଜେ ନିୟମାନୁଯାୟୀ ବିଭିନ୍ନ ବୟସର ଶିଶୁଙ୍କୁ ନେଇ ଗ୍ରୁପ୍ ଗଠନ କରାଯାଇନାହିଁ। ୧୧ଟି ଶିଶୁ ଆଶ୍ରୟ ଗୃହର ପରିଚାଳନା କମିଟି ନଥିବା, ୪ଟି ଶିଶୁଗୃହରେ ଅନ୍ତେବାସୀ ଶିଶୁଙ୍କୁ ବର୍ଷ ବର୍ଷ ଧରି ସିଡ଼ବ୍ଲୁସି ନିକଟରେ ଉପସ୍ଥାପନ କରାନଯିବା, ୧୨ଟି ଗୃହରେ ପୁଅ ଝିଅଙ୍କ ପାଇଁ ଅଲଗା ହଷ୍ଟେଲ୍ ଗୃହ ବ୍ୟବସ୍ଥା ନଥିବା, ୨୨ଟି ଗୃହରେ ପରାମର୍ଶ ପୁସ୍ତିକାର ଅଭାବ, ୧୧ଟି ଗୃହରେ ବିଦ୍ୟୁତ୍ କାଟ୍ ସମୟରେ ବିକଳ୍ପ ବ୍ୟବସ୍ଥା ନଥିବା, ୨୦ଟି ଗୃହରେ ରୋଗଗ୍ରସ୍ତ ଶିଶୁଙ୍କ ଚିକିତ୍ସା ସୁବିଧାର ଅଭାବ, ୨୪ଟି ଗୃହରେ କାଉନ୍ସିଲିଂ ଏବଂ ଗାଇଡାନ୍ସ ସୁବିଧାର ଅଭାବ, ୧୭ଟି ଗୃହରେ ଏଲ୍ପିଜି ଗ୍ୟାସ୍ ଇନ୍ଧନ ସଂଯୋଗର ଅଭାବ, ୧୦ଟି ଗୃହରେ ଖେଳ ଭିତ୍ତିଭୂମିର ଅଭାବ, ୩୨ଟି ଗୃହରେ ଶିଶୁଙ୍କ ପାଇଁ କୁଲର୍ ଓ ହିଟର୍ର ଅଭାବ, ୧୪ଟି ଗୃହରେ ଚାଇଲ୍ଡ ହେଲ୍ପଲାଇନ୍ ନମ୍ବର: ୧୦୯୮କୁ ସଠିକ୍ ଭାବେ ପ୍ରଦର୍ଶିତ କରା ନଯିବା, ୨୦ଟି ଗୃହରେ ନିଖୋଜ ଶିଶୁଙ୍କ ସମ୍ପର୍କରେ ତଥ୍ୟ ନ ରହିବା ଏବଂ ଏହିସବୁ କେନ୍ଦ୍ର ‘ଚାଇଲ୍ଡ ମିସିଂ ପ୍ରୋଗ୍ରାମ୍’କୁ ସଠିକ୍ ଭାବେ ଲାଗୁ ନକରିବା ନେଇ ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ପ୍ରଶ୍ନ କରିଛନ୍ତି।