୧୦ବର୍ଷରେ ୧୨ ନୂଆ ରେଳ ପ୍ରକଳ୍ପ ପାଇଁ ସର୍ଭେ: କେନ୍ଦ୍ର ବଜେଟରେ ବ୍ୟୟବରାଦ ଶୂନ

କଟକ: ଗୋଟିଏ ରେଳ ପ୍ରକଳ୍ପ ନିର୍ମାଣ ପାଇଁ ସର୍ଭେକୁ ୫ବର୍ଷରୁ ଅଧିକ ସମୟ ବିତିଯାଉଛି। ସର୍ଭେ ରିପୋର୍ଟ ରେଳ ମନ୍ତ୍ରଣାଳୟରେ ଦାଖଳ ହେଉଛି। ୧୦ବର୍ଷ ମଧ୍ୟରେ ଓଡ଼ିଶାରେ ୧୨ଟି ରେଳ ପ୍ରକଳ୍ପ ପାଇଁ ପୂର୍ବତଟ ରେଳପଥ ଡିଭିଜନ ପକ୍ଷରୁ ସର୍ଭେ କରାଯାଇ ମନ୍ତ୍ରଣାଳୟରେ ରିପୋର୍ଟ ଦାଖଲ ହୋଇସାରିଛି। ଏଥିମଧ୍ୟରେ ରିପୋର୍ଟ ଦାଖଲ ହେବାର ଦୁଇବର୍ଷ ବିତି ଯାଇଥିଲେ ମଧ୍ୟ ପ୍ରକଳ୍ପ ପାଇଁ ବଜେଟରେ ଅର୍ଥ ବରାଦ ହେଉନଥିବାରୁ ରେଳପଥ ନିର୍ମାଣ ହୋଇପାରୁନାହିଁ।
ପୂର୍ବତଟ ରେଳପଥ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ, ଏକ ଦଶନ୍ଧି ଭିତରେ ରାଜ୍ୟକୁ ୧୨ଟି ନୂଆ ରେଳ ପ୍ରକଳ୍ପ ମିଳିଛି। ସେଥିରୁ ୧୦ଟି ପ୍ରକଳ୍ପ ରାଜ୍ୟ ଭିତରେ ଓ ଅନ୍ୟ ୨ଟି ପଡୋଶୀ ରାଜ୍ୟକୁ ସ୍ପର୍ଶ କରିବ। ଏହି ପ୍ରକଳ୍ପଗୁଡିକର ସର୍ଭେ ପୂର୍ବତଟ ରେଳପଥ ପକ୍ଷରୁ ଶେଷ ହୋଇଛି। ପୂର୍ବତଟ ରେଳପଥ ୨୦୧୩ରେ ଗୋଟିଏ ପ୍ରକଳ୍ପର ସର୍ଭେ ରିପୋର୍ଟ ଦାଖଲ କରିଥିବାବେଳେ ୨୦୧୬ରେ ୧ଟି, ୨୦୧୭ରେ ୩ଟି ଏବଂ ୨୦୧୮ରେ ୪ଟି। ଯେଉଁ ପ୍ରକଳ୍ପର ସର୍ଭେ ରିପୋର୍ଟ ମନ୍ତ୍ରଣାଳୟ ପାଖରେ ୪ରୁ୫ବର୍ଷ ହେଲା ଦାଖଲ କରାଗଲାଣି ସେଗୁଡିକର ଅଗ୍ରଗତି ନେଇ ବଜେଟରେ ଏ ପର୍ଯ୍ୟନ୍ତ ଟଙ୍କାଟିଏ ବ୍ୟୟ ବରାଦ ହୋଇନଥିବା ଜଣାପଡିଛି। କଟକ, ଭୁବନେଶ୍ବର ଏବଂ ଖୋର୍ଦ୍ଧାରୋଡ ରେଲୱେ ଟ୍ରାଫିକ୍ ଜାମ ଏବଂ ମହାନଦୀ ଉପରେ ଥିବା ରେଲୱେ ଓଭରବ୍ରିଜ୍ ଉପରେ ଖୋର୍ଦ୍ଧାରୋଡ଼ ନିକଟ କାଇପଦରରୁ ରାଜଥାଗଡ଼ ୮୧.୬୫୪ କି.ମି ରେଳଲାଇନ ତିଆରି ହେବ। ଏହି ରେଳ ପ୍ରକଳ୍ପକୁ ୨୦୧୩-୧୪ରେ ଅନୁମୋଦନ ମିଳିଥିଲା। ଏହାର ସର୍ଭେ ରିପୋର୍ଟ ପୂର୍ବତଟ ରେଳପଥ ୨୦୧୩ ଜୁନ ୨୭ରେ ମନ୍ତ୍ରଣାଳୟ ପାଖରେ ଦାଖଲ ହୋଇଛି। ଏହି ପ୍ରକଳ୍ପ ପାଇଁ ୬୪୩.୮୨ କୋଟି ଟଙ୍କା ଖର୍ଚ୍ଚ ହେବ। ବଲାଙ୍ଗିରରୁ ନୂଆପଡ଼ା ୧୦୦ କି.ମି ବିଶିଷ୍ଟ ରେଳପଥ ନିର୍ମାଣ ପାଇଁ ୨୦୧୦-୧୧ରେ ମନ୍ତ୍ରଣାଳୟ ପାଖରୁ ଅନୁମୋଦନ ମିଳିଥିଲା। ୨୦୧୬ରେ ସର୍ଭେ ରିପୋର୍ଟ ମନ୍ତ୍ରଣାଳୟକୁ ଦିଆଯାଇଛି। ଏହି ପ୍ରକଳ୍ପ ପାଇଁ ୭୮୭.୩୪ କୋଟି ଟଙ୍କା ଖର୍ଚ୍ଚ ହେବ। ଜୁନାଗଡ଼ରୁ ଜୟପୁର, ମାଲକାନଗିରିରୁ ଭଦ୍ରାଚଳମ ୩୯୦ କି.ମି ଲମ୍ବ ବିଶିଷ୍ଟ ରେଳପଥ ନିର୍ମାଣ ପାଇଁ ୨୦୧୦-୧୧ରେ ପ୍ରକଳ୍ପକୁ ଅନୁମୋଦନ ମିଳିଥିଲା। ଏହି ପ୍ରକଳ୍ପ ଓଡ଼ିଶାରୁ ତେଲଙ୍ଗାନା ଏବଂ ଛତିଶଗଡ଼ର କେତେକ ଷ୍ଟେସନ ଦେଇ ନିର୍ମାଣ ହେବ। ସର୍ଭେ ରିପୋର୍ଟ ମଧ୍ୟ ମନ୍ତ୍ରଣାଳୟ ପାଖରେ ଦାଖଲ କରାଯାଇଛି। ପ୍ରକଳ୍ପ ପାଇଁ ୫୩୪୨.୯୮ କୋଟି ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି। ଏହି ପ୍ରକଳ୍ପକୁ ୨୦୧୨-୧୩ରେ ମଞ୍ଜୁର ମିଳିଥିଲା। ୨୦୧୮ ଫେବୃଆରୀରେ ରିପୋର୍ଟ ଦାଖଲ କରାଯାଇଛି। ଏହି ପ୍ରକଳ୍ପ ପାଇଁ ୧୦୪୨.୬୨ କୋଟି ଟଙ୍କା ଖର୍ଚ୍ଚ ହେବ। ପାରାଦ୍ବୀପ ପୋର୍ଟରୁ ଧାମରା ୮୦ କି.ମି ରେଳ ପ୍ରକଳ୍ପକୁ ୨୦୧୧-୧୨ରେ ମଞ୍ଜୁର ମିଳିଥିଲା। ଏହି ପ୍ରକଳ୍ପ ପାଇଁ ୧୪୭୨.୧୪ କୋଟି ଟଙ୍କା ଖର୍ଚ୍ଚ ହେବ। ଯଶୀପୁରରୁ ଯାଜପୁରରୋଡ ୧୩୮କି.ମି ପ୍ରକଳ୍ପକୁ ୨୦୧୩-୧୪ରେ ମଞ୍ଜୁର ମିଳିଥିଲା। ଏହି ପ୍ରକଳ୍ପ ପାଇଁ ୩୩୩୩.୭୭ କୋଟି ଟଙ୍କା ଖର୍ଚ୍ଚ ହେବ। ଭଦ୍ରାଚଳମରୁ ଖଡ଼ଗପୁର ଭାୟା କୋରାପୁଟ, ତାଳଚେର ଓ ବାରିପଦା ୮୭୫ କି.ମି ରେଳ ପ୍ରକଳ୍ପକୁ ୨୦୧୨-୧୩ରେ ଅନୁମୋଦନ ମିଳିଛି। ଏହି ପ୍ରକଳ୍ପ ପାଇଁ ୧୪,୫୧୭.୫୧ କୋଟି ଟଙ୍କା ଖର୍ଚ୍ଚ ହେବ। ନୟାଗଡ଼ରୁ ବାଂଶପାଣି ୫୦ କି.ମି ରେଳ ପ୍ରକଳ୍ପ ନିର୍ମାଣ ପାଇଁ ୨୦୧୪-୧୫ରେ ଅନୁମୋଦନ ମିଳିଥିଲା। ଏହି ପ୍ରକଳ୍ପ ପାଇଁ ୮୮୨ କୋଟି ଟଙ୍କା ଖର୍ଚ୍ଚ ହେବ। ସିକରପାଇରୁ ଜଗସଲପତ୍ରି ଏବଂ ଜୁନାଗଡ଼କୁ ସଂଯୋଗ କରିବ ରେଳପଥ। ୨୦୧୩-୧୪ରେ ପ୍ରକଳ୍ପକୁ ଅନୁମୋଦନ ମିଳିଥିଲା। ଏହାର ସର୍ଭେ ରିପୋର୍ଟକୁ ୧୫ା୩ା୨୦୧୭ରେ ଦାଖଲ କରାଯାଇଛି। ଟିଟିଲାଗଡ଼ରୁ ଜୁନାଗଡ଼ ୮୦ କି.ମି ରେଳ ପ୍ରକଳ୍ପ ପାଇଁ ୨୦୧୩-୧୪ରେ ଅନୁମୋଦନ ମିଳିଥିଲା। ଏହି ପ୍ରକଳ୍ପ ପାଇଁ ୬୨୪.୩୦ କୋଟି ଟଙ୍କା ଖର୍ଚ୍ଚ ହେବ। ବରଗଡ଼ ରୋଡ଼ରୁ ନୂଆପଡ଼ାରୋଡ ଭାୟା ପଦ୍ମପୁର ୧୩୬ କି.ମି ରେଳ ଲାଇନ ନିର୍ମାଣ ପାଇଁ ୨୦୧୫-୧୬ରେ ଅନୁମୋଦନ ମିଳିଥିଲା।
ଏହି ପ୍ରକଳ୍ପ ପାଇଁ ୨୪୦୭.୬୯ କୋଟି ଟଙ୍କା ଖର୍ଚ୍ଚ ହେବ। ୨୦୧୭-୧୮ରେ ଭବାନୀପାଟଣାରୁ କେସିଙ୍ଗା ଭାୟା ଉତକେଲା ୩୫ କି.ମି ରେଳପଥ ନିର୍ମାଣ ପାଇଁ ଅନୁମୋଦନ ମିଳିଥିବାବେଳେ ଏବେ ସର୍ଭେ ଚାଲିଛି। ତାଳଚେରରୁ ଗୋପାଳପୁର ଭାୟା ବ୍ରହ୍ମପୁର ପ୍ରକଳ୍ପ ସର୍ଭେ ରିପୋର୍ଟ ମନ୍ତ୍ରଣାଳୟ ପାଖରେ ଦାଖଲ ହୋଇ ସାରିଥିବାବେଳେ ୨୦୧୭-୧୮ରେ ବଜେଟରେ ପ୍ରକଳ୍ପକୁ ୫ ଲକ୍ଷ ଟଙ୍କା ମିଳିଛି। ଅଧିକ ଟଙ୍କା ପ୍ରକଳ୍ପକୁ ନ ମିଳିବାରୁ ପ୍ରକଳ୍ପ କାମ ଅଗ୍ରଗତି କରିପାରୁନି। ୯ ପ୍ରକଳ୍ପର ସର୍ଭେ ରିପୋର୍ଟ ମନ୍ତ୍ରଣାଳୟ ପାଖରେ ଦାଖଲ କରାଯାଇ ଥିବାବେଳେ ଏଯାଏଁ ପ୍ରକଳ୍ପ ପାଇଁ ବଜେଟରେ ଟଙ୍କାଟିଏ ହେଲେ ମିଳିନି। ପ୍ରକଳ୍ପଗୁଡିକୁ ବଜେଟ ସ୍ଥାନ ଦିଆଯାଉ ନଥିବାରୁ ପ୍ରକଳ୍ପର ଭାଗ୍ୟ ଅନ୍ଧାର ଭିତରକୁ ଠେଲି ହୋଇଯାଉଛି।
