ବଡ଼ଦିନ ପାଇଁ ଅନ୍-ଲାଇନ୍ ବଜାର ଭିଡ଼
କୋଭିଡ-୧୯, ଏ ବର୍ଷର ସମସ୍ତ ପର୍ବପର୍ବାଣି ପାଳିବାର ଅନ୍ଦାଜ୍କୁ ପରିବର୍ତ୍ତନ କରିଦେଇଛି। ଘରେ ରହି ପର୍ବ ପାଳିବା ହେଉଛି ଏଥରର ମଉଜ। ଯଥା ସମୟରେ ଭ୍ୟାକ୍ସିନ୍ ଆସିଲେ, ଆସନ୍ତା ବର୍ଷ ଲୋକେ ପୁଣି ଉତ୍ସବମୁଖର ପର୍ବ ପାଳନ କରିବାକୁ ଆଶା ରଖିଛନ୍ତି। ଇଉରୋପୀୟ, ଆମେରିକୀୟ ରାଇଜରେ ବଡ଼ଦିନ, ନୂଆ ବର୍ଷ ମୁଖ୍ୟ ପର୍ବ କହିଲେ ଚଳେ। ଏଥରକ ସେସବୁ ରାଇଜରେ ବ୍ୟବସାୟ ମାନ୍ଦା ସହ ଲୋକଙ୍କ ମନରେ ସରାଗ ନାହିଁ। କେତୋଟି ବିଦେଶୀ ଦେଶରେ କରୋନା ମହାମାରୀ ପ୍ରକୋପ ବଢ଼ୁଥିବା କାରଣରୁ ଲକ୍-ଡାଉନ୍ ମଧ୍ୟ ଚାଲିଛି। ଏପରି ସ୍ଥିତିରେ ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ ମଧ୍ୟ କରିହେବନି, ନିଜ ମନ ବୁଝାଇବାକୁ ଲୋକେ ଯାହା ଘର ସାଜସଜ୍ଜା ସହ ଖ୍ରୀଷ୍ଟମାସ୍ ଟ୍ରି କିଣିବାରେ ଆଗ୍ରହ ଦେଖାଇଛନ୍ତି।
– ଏକ ଅନ୍-ଲାଇନ୍ ସଂସ୍ଥାର କର୍ମଚାରୀଙ୍କ ମତରେ, ଗତ ୪ ବର୍ଷ ମଧ୍ୟରେ ଏଥରକ ସବୁଠୁ ଅଧିକ ସଂଖ୍ୟକ ଗ୍ରାହକ ବଡ଼ଦିନ ଗଛ ବରାଦ୍ କରିଛନ୍ତି। ସମୟ ପୂର୍ବରୁ ଡେଲିଭରୀ ପାଇବା ପାଇଁ କେତେଜଣ ନଭେମ୍ବର ତୃତୀୟ ସପ୍ତାହରୁ ବରାଦ୍ ଦେଇଥିବାର ଜଣାପଡ଼ିଛି।
– ବଡ଼ଦିନ ଆସର କିନ୍ତୁ ଏଥର ଜମିବ ନାହିଁ। ସମସ୍ତେ ନିଜନିଜ ଘରେ ରହି ସାଙ୍ଗସାଥିଙ୍କୁ ଭିଡ଼ିଓ କଲ୍ରେ ଅଭିନନ୍ଦନ ଜଣାଇବେ ବୋଲି ବୟସ୍କ ପିଢ଼ିଙ୍କ ମତ।
– ଇଉରୋପର ପ୍ରତ୍ୟେକ ପ୍ରାନ୍ତରେ ଏଇ ସମୟରେ ଭଳିକିଭଳି ସ୍ବାଦର କେକ୍ ମଧ୍ୟ ରେସ୍ତୋରାଁ, ହୋଟେଲ ଓ ବେକରୀଗୁଡ଼ିକ ପ୍ରସ୍ତୁତ କରନ୍ତି। ଏଥରକ ଗ୍ରାହକ ଅନ୍-ଲାଇନ୍ରେ ବରାଦ୍ ଦେଉଛନ୍ତି ସତ, କିନ୍ତୁ ସମସ୍ତେ କମ୍ ପାଉଣ୍ଡର କେକ୍ ଅର୍ଡର ଦେଉଛନ୍ତି। ସାଙ୍ଗସାଥି ମେଳ ନ ହେଲେ ବଡ଼ କେକ୍ର ଆବଶ୍ୟକତା ବା କ’ଣ?
– ଲଣ୍ଡନ ନିବାସୀ ଅବସରପ୍ରାପ୍ତ ଦମ୍ପତି ୱିନ୍କିଲି ଓ ସାଲି କହିଛନ୍ତି, ପ୍ରତି ବର୍ଷ ବଡ଼ଦିନ ଛୁଟିରେ ତାଙ୍କ ପୁଅ-ଝିଅ ଘରକୁ ଆସନ୍ତି। ବର୍ଷର ଏଇ ସମୟକୁ ସେମାନେ ବାପା-ମା’ ଚାତକ ପରି ଚାହିଁଥିବାବେଳେ ଏ ବର୍ଷର ମହାମାରୀ ତାଙ୍କ ଖୁସିରେ ଗ୍ରହଣ ଲଗାଇଦେଇଛି।
– ଅନ୍-ଲାଇନ୍ ବଜାରରେ ମଧ୍ୟ ଏସବୁ ସାମଗ୍ରୀର ଦର ସାମାନ୍ୟ ଚଢ଼ା ଦରରେ ବିକ୍ରି ହେଉଛି। ଲୋକେ ବାହାରକୁ ଯାଇ ମହାମାରୀରେ ଆକ୍ରାନ୍ତ ହେବା ଭୟରେ ବରଂ ଘରେ ବସି ଏହି ସାଇଟ୍ରୁ ମହଙ୍ଗା ଦରରେ ବଡ଼ଦିନ ପାଇଁ ସାମଗ୍ରୀ କିଣିବାକୁ ଉଚିତ୍ ମନେକରୁଛନ୍ତି।
Comments are closed.