ବିଶ୍ୱ କପ୍‍ ହକିର ନୂଆ ଫର୍ମାଟ; ପ୍ରିକ୍ୱାର୍ଟର ବଦଳରେ କ୍ରସ୍‍ଓଭର

0

ଭୁବନେଶ୍ୱର : ଭୁବନେଶ୍ୱରରେ ଆସନ୍ତା ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ୧୪ଶ ପୁରୁଷ ହକି ବିଶ୍ୱକପ୍‍ ଖେଳାଯିବ। ଚଳିତଥର ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‍ଆଇଏଚ୍‍) ପକ୍ଷରୁ ନୂଆ ଫର୍ମାଟରେ ପ୍ରତିଯୋଗିତା ଖେଳାଯିବା ନେଇ କାର୍ଯ୍ୟସୂଚୀ ଘୋଷିତ ହୋଇଛି। ପ୍ରିକ୍ୱାର୍ଟରଫାଇନାଲ ବଦଳରେ ପ୍ରଥମଥର କ୍ରସ ଓଭର ଫର୍ମାଟରେ ପ୍ରତିଯୋଗିତା ଖେଳାଯିବ; ଯାହା ଭଲ ଦଳଗୁଡ଼ିକ ପାଇଁ ସହାୟକ ହେବା ସହିତ ସୁଯୋଗ ରହିବ ବୋଲି ଆଶା ରଖାଯାଇଛି।
ପୁରୁଷ ହକି ବିଶ୍ୱକପ୍‍ରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିବେ। ସେମାନଙ୍କୁ ୪ଟି ପୁଲ୍‍ରେ ବିଭକ୍ତ କରାଯାଇଛି। ପୁଲ୍‍ ‘ଏ’ରେ ଆର୍ଜେଣ୍ଟିନା, ନ୍ୟୁଜିଲାଣ୍ଡ, ସ୍ପେନ୍‍, ଫ୍ରାନ୍‍ସ ରହିଥିବା ବେଳେ ପୁଲ୍‍ ‘ବି’ରେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଆୟରଲାଣ୍ଡ, ଚୀନ୍‍; ପୁଲ୍‍ ‘ସି’ରେ ଭାରତ, ଦକ୍ଷିଣ ଆଫ୍ରିକା, କାନାଡ଼ା, ବେଲ୍‍ଜିୟମ୍‍ ଏବଂ ପୁଲ୍‍ ‘ଡି’ରେ ନେଦରଲାଣ୍ଡ୍‍ସ, ଜର୍ମାନୀ, ମାଲେସିଆ ଓ ପାକିସ୍ତାନ ସ୍ଥାନ ପାଇଛନ୍ତି। ଏଫ୍‍ଆଇଏଚ୍‍ ପକ୍ଷରୁ ଚଳିତଥର ପ୍ରତିଯୋଗିତା ଫର୍ମାଟରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ପ୍ରିକ୍ୱାର୍ଟରଫାଇନାଲକୁ ବାଦ୍‍ ଦିଆଯାଇ ନୂତନ ଫର୍ମାଟରେ ହକି ବିଶ୍ୱକପ୍‍ ଖେଳାଯିବ। ଲିଗ୍‍ ପର୍ଯ୍ୟାୟରେ ପ୍ରତି ଗ୍ରୁପ୍‍ର ଚମ୍ପିଆନ ଦଳ ସିଧାସଳଖ କ୍ୱାର୍ଟରଫାଇନାଲ ଖେଳିବାକୁ ଯୋଗ୍ୟତା ହାସଲ କରିବେ। ୨ୟ ଓ ୩ୟ ସ୍ଥାନ ଦଳ କ୍ରସ୍‍ ଓଭର ମ୍ୟାଚରେ ଅବତ୍ତୀର୍ଣ୍ଣ ହେବେ। ପୁଲ୍‍ର ଅନ୍ତିମ ସ୍ଥାନ ହାସଲ କରିଥିବା ଦଳ ପ୍ରତିଯୋଗିତାରୁ ବାଦ୍‍ପଡ଼ିବେ। ପ୍ରତି ପୁଲ୍‍ର ୨ୟ ଓ ୩ୟ ସ୍ଥାନ ହାସଲ କରିଥିବା ଦଳ କ୍ରସ୍‍ ଓଭର ମ୍ୟାଚ ଖେଳିବେ। ୪ଟି ଗ୍ରୁପର ୮ଟି ଦଳକୁ ନେଇ ୪ଟି କ୍ରସ୍‍ଓଭର ମ୍ୟାଚ ଖେଳାଯିବ। କାର୍ଯ୍ୟସୂଚୀ ଅନୁଯାୟୀ; ଡିସେମ୍ବର ୧୦ରେ ପ୍ରଥମ କ୍ରସ୍‍ଓଭର ମ୍ୟାଚ୍‍ ପୁଲ୍‍ ‘ଏ’ର ୨ୟ ଦଳ ଓ ପୁଲ୍‍ ‘ବି’ର ୩ୟ ଦଳ ମଧ୍ୟରେ ଓ ୨ୟ ମ୍ୟାଚ୍‍ ପୁଲ୍‍ ‘ବି’ର ୨ୟ ଓ ପୁଲ୍‍ ‘ଏ’ର ୩ୟ ଦଳ ମଧ୍ୟରେ ଖେଳାଯିବ। ୧୧ରେ ପୁଲ୍‍ ‘ସି’ର ୨ୟ ଦଳ ଓ ପୁଲ୍‍ ‘ଡି’ର ୩ୟ ଦଳ ସହିତ ଓ ୪ର୍ଥ ମ୍ୟାଚ୍‍ ପୁଲ୍‍ ‘ଡି’ର ୨ୟ ଓ ପୁଲ୍‍ ‘ସି’ର ୩ୟ ଦଳ ସହିତ ଖେଳିବ। ଏହି ୪ଟି ମ୍ୟାଚ୍‍ର ବିଜେତା ଦଳ ଲିଗ୍‍ ପର୍ଯ୍ୟାୟରେ ଚମ୍ପିଆନ ହୋଇଥିବା ୪ଟି ଦଳ ସହିତ କ୍ୱାର୍ଟରଫାଇନାଲ ମ୍ୟାଚ ଖେଳିବେ। ଏଭଳି ନିୟମ ଦ୍ୱାରା ଲିଗ୍‍ରେ ଖରାପ ପ୍ରଦର୍ଶନ କରିଥିବା ଦଳ ମଧ୍ୟ କ୍ୱାର୍ଟରଫାଇନାଲକୁ ଉନ୍ନୀତ ହେବା ନେଇ ସୁଯୋଗ ରହିବ। ବରିଷ୍ଠ ହକି ପ୍ରଶିକ୍ଷକ କାଳୁଚରଣ ଚୌଧୁରୀ କୁହନ୍ତି, ଏଫଆଇଏଚ୍‍ର ନୂଆ ଫର୍ମାଟ କ୍ରସ ଓଭର ମ୍ୟାଚ ଲିଗ୍‍ରେ ଦୁର୍ବଳ ପ୍ରଦର୍ଶନ କରିଥିବା ଭଲ ଦଳଗୁଡ଼ିକ ଲାଗି ଆଉ ଏକ ସୁଯୋଗ ମିଳିବ; ଯାହା ଭଲ ଦଳଗୁଡ଼ିକୁ ସହାୟକ ହେବ। ଅନ୍ୟପକ୍ଷରେ ପ୍ରତିଯୋଗିତା ଲାଗି ଅନ୍‍ଲାଇନ୍‍ ଟିକଟ ବିକ୍ରି ଆରମ୍ଭ ହୋଇଥିବାବେଳେ ସାଧାରଣ ଦର୍ଶକଙ୍କ ଲାଗି କାଉଣ୍ଟର ଟିକଟ ମ୍ୟାଚ୍‍ ଆରମ୍ଭ ଦିନଠାରୁ ଉପଲବ୍ଧ ହେବ। ଗ୍ୟାଲେରୀରେ ୨୦ ହଜାର ଦର୍ଶକ ମ୍ୟାଚ୍‍ ଦେଖିବାର ସୁଯୋଗ ରହିଛି। ସେଥିମଧ୍ୟରୁ ୧୫ ହଜାର ଟିକଟ ସାଧାରଣ ଦର୍ଶକଙ୍କ ଲାଗି ଉପଲବ୍ଧ ହେବ। ଅନ୍‍ଲାଇନ୍‍ ଟିକଟ ବିକ୍ରି ଗତ ମେ ୨୮ରୁ ଆରମ୍ଭ ହୋଇଛି। ମ୍ୟାଚ ଆରମ୍ଭ; ଅର୍ଥାତ୍‍ ନଭେମ୍ବର ୨୭ ପର୍ଯ୍ୟନ୍ତ ଅନ୍‍ଲାଇନ୍‍ରେ ଟିକଟ ବିକ୍ରି କରାଯିବାକୁ ଥିବା ବେଳେ ୨୮ରୁ ଟିକଟ ଶେଷ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମ କାଉଣ୍ଟରରେ ଟିକଟ ଉପଲବ୍ଧ ହେବ ବୋଲି ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସୂଚନା ମିଳିଛି।

Leave A Reply