ଖଣି ଓ ଶିଳ୍ପ ଆଳରେ ବଳିପଡୁଛି ଜଙ୍ଗଲସମ୍ପଦ; ପରିବେଶ ସୁରକ୍ଷା ଏକ ଆହ୍ୱାନ

କେନ୍ଦୁଝରଗଡ଼: ଜୁନ ୫ ତାରିଖକୁ ବନବିଭାଗ ପକ୍ଷରୁ ବିଶ୍ୱ ପରିବେଶ ଦିବସ ଭାବେ ପାଳନ କରାଯାଇ ଆସୁଛି। ଜିଲା ପରିବେଶ ସମିତି ଓ କେନ୍ଦୁଝର ବନଖଣ୍ଡ ମିଳିତ ସହଯୋଗରେ ଜିଲା ମୁଖ୍ୟାଳୟରେ ଏହି ଦିବସ ପ୍ରତିବର୍ଷ ଚିରାଚରିତ ଢଙ୍ଗରେ ପାଳିତ ହୋଇଥାଏ। ଜିଲାରେ ବ୍ୟାପକ ଖଣିଖନନ ସାଙ୍ଗକୁ ଶିଳ୍ପ ପ୍ରତିଷ୍ଠା ଯୋଗୁଁ ଜଙ୍ଗଲସମ୍ପଦ ଲୋପ ପାଇବାକୁ ବସିଥିବା ବେଳେ କାଗଜପତ୍ରରେ ଚାରାରୋପଣ କରାଯାଇ ଜିଲାରେ ଜଙ୍ଗଲ ବୃଦ୍ଧି ଦର୍ଶାଯିବା ପରିବେଶ ସୁରକ୍ଷା ନେଇ ପରିବେଶବିତ୍‌‌ ମହଲରେ ଗଭୀର ଉଦ୍‌‌ବେଗ ପ୍ରକାଶ ପାଉଛି। ବ୍ୟାପକ ଖଣିଖନନ ସାଙ୍ଗକୁ ଶିଳ୍ପ ପ୍ରତିଷ୍ଠା ଯୋଗୁଁ ଜିଲାରେ କ୍ରମଶଃ ଜଙ୍ଗଲସମ୍ପଦ ଲୋପ ପାଇବାକୁ ବସିଛି। ଏଭଳି ସ୍ଥିତିରେ ଜିଲାରେ ପରିବେଶ ସୁରକ୍ଷା ସମସ୍ତଙ୍କ ପାଇଁ ଏକ ଆହ୍ୱାନ ଭାବେ ଛିଡାହୋଇଛି ବୋଲି ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ତଥା ଜିଲାର ଗଉ ମଣିଷ ଭାବେ ପରିଚିତ ରମେଶ ଚନ୍ଦ୍ର ମିଶ୍ର କ୍ଷୋଭର ସହ ଏହା କହିଛନ୍ତି। ବନବିଭଗ ସହାୟତାରେ ଜିଲାରେ କାର୍ଯ୍ୟକ୍ଷମ ବିଭିନ୍ନ ଖଣି କମ୍ପାନୀ ପକ୍ଷରୁ କାଗଜପତ୍ରରେ ଚାରାରୋପଣ କରାଯାଇ ଜିଲାରେ ଜଙ୍ଗଲ ବୃଦ୍ଧି ଦର୍ଶା ଯାଉଥିବା ବେଳେ ବାସ୍ତବରେ ଏହା କେତେଦୂର ଲକ୍ଷ୍ୟ ପୂରଣରେ ସହାୟକ ହୋଇପାରିଛି ତାହାର ସଠିକ୍‌‌ ତଦନ୍ତ କରାଗଲେ ବହୁ ଦୁର୍ନୀତିର ପର୍ଦ୍ଦାଫାସ୍‌‌ ହୋଇପାରନ୍ତା ବୋଲି ପରିବେଶବିତ୍‌‌ ମହଲରେ ଦାବି ହୋଇଆସୁଛି।

ବନ ବିଭାଗ ସୂଚନା ଅନୁଯାୟୀ, ୨୦୨୧-୨୨ ଆର୍ଥିକବର୍ଷ ସୁଦ୍ଧା କେବଳ କେନ୍ଦୁଝର ବନଖଣ୍ଡ ଅଧିନରେ ୪୪୬୬୩.୫୦୨୯ହେକ୍ଟର ଜମିରେ ୯୦କୋଟି ୨ଲକ୍ଷ ୫୩ହଜାର ୭୯୦ଟଙ୍କା ବ୍ୟୟରେ ୨୦୮୪୯୮୩୦ ଚାରାରୋପଣ କରାଯାଇଛି। ସେଥିମଧ୍ୟରୁ କେବଳ ଜିଲାରେ କାର୍ଯ୍ୟକ୍ଷମ ବିଭିନ୍ନ ଖଣି କମ୍ପାନୀ ପକ୍ଷରୁ ଖଣି ପାଇଁ ନଷ୍ଟ ଜଙ୍ଗଲର ପୁନରୁଦ୍ଧାର ସହ ବନୀକରଣ ଯୋଜନାରେ ଜିଲାର୧୫୨୯୩.୮୩୭୬ହେକ୍ଟର ଜମି ଏବଂ ୩୩.୨୬ କି.ମି. ରାସ୍ତାର ଉଭୟ ପାର୍ଶ୍ବକୁ ମିଶାଇ ୨୩କୋଟି ୨୦ଲକ୍ଷ ୧୮ହଜାର ୪୫୯ଟଙ୍କା ବ୍ୟୟରେ ୬୪୮୨୦୯୯ ଚାରାରୋପଣ କରାଯାଇଥିବା ଦର୍ଶାଯାଇଛି। ସେଥିମଧ୍ୟରୁ ଚାରାରୋପଣ କରାଯାଇଥିବା କେତେ ଗଛ ସୁରକ୍ଷିତ ଭାବେ ବଞ୍ଚି ଜଙ୍ଗଲ ସୃଷ୍ଟି କରିବାରେ ସହାୟକ ହୋଇଛି ତାହା ସମୀକ୍ଷା କରାଗଲେ ଜଣାପଡ଼ିବ ବୋଲି ପରିବେଶବିତ୍‌‌ ଶ୍ରୀ ମିଶ୍ର ଅତ୍ୟନ୍ତ କ୍ଷୋଭର ସହ ଏହା କହିଛନ୍ତି। ମାତ୍ରାଧିକ ଖଣିଖନନ ଯୋଗୁଁ ଯୋଡା-ବଡବିଲ ଅଞ୍ଚଳରେ କ୍ରମେ ଜଙ୍ଗଲସମ୍ପଦ ହ୍ରାସ ପାଇ ମରୁଭୂମି ପାଲଟିବାକୁ ବସିଲାଣି। ଜିଲା ଖଣିଜ ଉନ୍ନୟନ ପାଣ୍ଠି (ଡିଏମ୍‌‌ଏଫ୍‌‌)ରୁ ୧୦ଲକ୍ଷ ୭୫ହଜାର ୯୧୧ଟଙ୍କା ବ୍ୟୟରେ କେବଳ ବଡବିଲ ପୌରାଞ୍ଚଳରେ ଆଜକୁ ୩ବର୍ଷ ତଳେ ବନବିଭାଗ ପକ୍ଷରୁ ୩୦୦୦ ଚାରାରୋପଣ କରାଯାଇଥିବା ବେଳେ ବର୍ତ୍ତମାନସ୍ଥିତିରେ ଚାରାରୋପଣ ହୋଇଥିବା ଚାରା ମଧ୍ୟରୁ କେତେ ବୃକ୍ଷରେ ପରିଣତ ହୋଇପାରିଛି ତାହା ସମୀକ୍ଷା କରିବାର ବେଳ ଆସିଛି ବୋଲି ଶ୍ରୀ ମିଶ୍ର କହିଛନ୍ତି। ସେହିଭଳି ୨୦୧୯-୨୦ରୁ ୨୦୨୧-୨୨ ଗତ ତିନି ଆର୍ଥୀକବର୍ଷ ମଧ୍ୟରେ ଡିଏମଏଫ୍‌‌ ପାଣ୍ଠିରୁ ବନୀକରଣ ପାଇଁ ୪ କୋଟି ୮୪ଲକ୍ଷ ୧୯ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ ୧ କୋଟି ୭୪ଲକ୍ଷ ୩୪ହଜାର ୫୪୮ଟଙ୍କା ବ୍ୟୟରେ ମାତ୍ର ୩୭୧୦୦ ଚାରାରୋପଣ କରାଯାଇଥିଲେ ହେଁ ତାହା ବାସ୍ତବପକ୍ଷେ କେତେଦୂର କାର୍ଯ୍ୟକ୍ଷମ ହୋଇଛି ତାହା ତଦନ୍ତସାପେକ୍ଷ।

ଜିଲାର ୧୧୮୧୧୬.୨୫୫୩ ହେକ୍ଟର ସଂରକ୍ଷିତ ଜଙ୍ଗଲ ଜମି ମଧ୍ୟରୁ କାର୍ଯ୍ୟକ୍ଷମ ବିଭିନ୍ନ ଖଣି କମ୍ପାନୀଙ୍କୁ ୧୧୦୮୦.୦୮୨ହେକ୍ଟର ସଂରକ୍ଷିତ ଜଙ୍ଗଲ ଜମିକୁ ଲିଜ୍‌‌ ସୂତ୍ରରେ ପ୍ରଦାନ କରାଯାଇଥିବା ବେଳେ ସେଥିମଧ୍ୟରୁ ୧୪୪୫୬.୪୦୭ହେକ୍ଟର ଜଙ୍ଗଲଜମିକୁ ଖଣିଖନନ ଅନୁମତି ଦିଆଯାଇଛି। ସେହିପରି ୧୫୨୮୬.୮୫୭୩ହେକ୍ଟର ପିଆରଏଫ୍‌‌ ଜମି ମଧ୍ୟରୁ ୧୭୫୫.୭୦୨ହେକ୍ଟର ଜମିକୁ ଲିଜ୍‌‌ ସୂତ୍ରରେ ଦିଆଯାଇଥିବା ବେଳେ ସେଥି ମଧ୍ୟରୁ ୧୧୪୭.୩୩୮୮ହେକ୍ଟର ଜମିରେ ଖଣିଜସମ୍ପଦ ଉତ୍ତୋଳନ ପାଇଁ ଅନୁମତି ଦିଆଯାଇଛି। ୨୩୦୭୩୬.୫୩୧୦ହେକ୍ଟର ଗ୍ରାମ୍ୟଜଙ୍ଗଲ ମଧ୍ୟରୁ ୪୮୨୧.୦୮୫ ଗ୍ରାମ୍ୟଜଙ୍ଗଲକୁ ଲିଜ୍‌‌ସୂତ୍ରରେ ପ୍ରଦାନ କରାଯାଇଥିବା ବେଳେ ସେଥିମଧ୍ୟରୁ ୩୭୫୬.୭୩୬୨ହେକ୍ଟର ଜମିକୁ ଖଣିଜସମ୍ପଦ ଉତ୍ତୋଳନ ପାଇଁ ଅନୁମତି ମିଳିଛି। ସେହିପରି ଜିଲାରେ ୨୪୨୭୬.୦୨୬୯ହେକ୍ଟର ଡିଏଲସି ଜଙ୍ଗଲଜମି ମଧ୍ୟରୁ କେବଳ କେନ୍ଦୁଝର ବନଖଣ୍ଡ ଅଧିକାରୀଙ୍କ ଅଧିନରେ ୪୯୨୩.୯୦୩୬ ହେକ୍ଟର ଜମି ଲିଜ୍‌‌ ସୂତ୍ରରେ ଦିଆଯାଇଥିବା ବେଳେ ସେଥିମଧ୍ୟରୁ ୨୦୭୪.୬୪୫୩ ହେକ୍ଟର ଜମିରେ ଖଣିଜସମ୍ପଦ ଉତ୍ତୋଳନ ପାଇଁ ଅନୁମତି ଦିଆଯାଇଛି। କେବଳ କେନ୍ଦୁଝର ବନଖଣ୍ଡ ଅଧିକାରୀଙ୍କ ଅଧିନରେ ଥିବା ସମୁଦାୟ ୩୮୮୪୧୫.୬୭୦୫ ହେକ୍ଟର ଜଙ୍ଗଲ ଜମି ମଧ୍ୟରୁ ୨୩୯୬୧.୧୮୮ ହେକ୍ଟର ଜମିକୁ ଖଣି କମ୍ପାନୀକୁ ଲିଜ୍‌‌ ସୂତ୍ରରେ ଦିଆଯାଇଥିବା ବେଳେ ସେଥିମଧ୍ୟରୁ ୧୪୪୫୬.୪୦୭ ହେକ୍ଟର ଜଙ୍ଗଲ ଜମିରୁ ଖଣିଜସମ୍ପଦ ଉତ୍ତୋଳନ ପାଇଁ ଅନୁମତି ଦିଆଯିବା ଜିଲାରେ ଜଙ୍ଗଲ ନଷ୍ଟ ହୋଇ ପରିବେଶ ପ୍ରଦୁଷଣର ମାତ୍ରା ଦିନକୁଦିନ ବେଶ୍‌‌ ବୃଦ୍ଧି ହେବା ଉଦ୍‌‌ବେଗର ବିଷୟ ହୋଇଛି।

କଳେବଳେ ଜଙ୍ଗଲ ଅନୁମତି ହାତେଇ ବ୍ୟାପକ ଜଙ୍ଗଲ ଧ୍ୱଂସ କରି ଖଣିଖନନ ଦ୍ୱାରା ହଜାର ହଜାର କୋଟି ଟଙ୍କା ମୁନାଫା କମାଉଥିବା ଖଣି ଲିଜ୍‌‌ଧାରୀଙ୍କ ଦ୍ୱାରା ରାସ୍ତା ପାର୍ଶ୍ବରେ ଚାରାରୋପଣ ନେଇ ବନ ବିଭାଗକୁ ଦେଇଥିବା ପ୍ରତିଶ୍ରୁତି ପରବର୍ତ୍ତି ସମୟରେ ପାଳନ ହେଉନଥିବାରୁ ସମ୍ପୃକ୍ତ ଲିଜ୍‌‌ଧାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପରିବେଶବିତ୍‌‌ ମହଲରେ ଦୃଢ଼ ଦାବି ହୋଇଆସୁଛି। ଜିଲା ପ୍ରଶାସନ ଓ ବନବିଭାଗ ଅଧିକାରୀଙ୍କୁ ନେଇ ଅନୁଷ୍ଠିତ ବିଶ୍ୱ ପରିବେଶ ଦିବସ କେବଳ ‘ପ୍ରକୃତି ବନ୍ଧୁ’ ଓ ‘ପ୍ରକୃତି ମିତ୍ର’ ପୁରସ୍କାର ପ୍ରଦାନରେ ସୀମିତ ରହୁଥିବା ବେଳେ ବାସ୍ତବପକ୍ଷେ ଜିଲାରେ ଚାରାରୋପଣ କରି ନୂତନ ଜଙ୍ଗଲ ସୃଷ୍ଟି କରିବା କେବଳ ସରକାରୀ କାଗଜପତ୍ରରେ ସୀମିତ ରହୁଥିବାରୁ ପରିବେଶବିତ୍‌‌ ଶ୍ରୀ ମିଶ୍ର କ୍ଷୋଭ ପ୍ରକାଶ କରିଛନ୍ତି। ନିକଟରେ ଖଣି ହାତେଇଥିବା ଖଣି ଲିଜ୍‌‌ଧାରୀମାନଙ୍କ ପ୍ରଦତ୍ତ ଅର୍ଥକୁ ବନ ବିଭାଗ କେବଳ ନୂତନ ବନୀକରଣ ସାଙ୍ଗକୁ ଜଙ୍ଗଲ ସୁରକ୍ଷାରେ ବିନିଯୋଗ କରାଯାଇ ପାରିଲେ ଜିଲାରେ ଅବକ୍ଷୟମୁଖୀ ଜଙ୍ଗଲ ସମ୍ପଦର ପୁନଃରୁଦ୍ଧାର ହୋଇପାରନ୍ତା ବୋଲି ପରିବେଶବିତ୍‌‌ ଶ୍ରୀ ମିଶ୍ର ମତବ୍ୟକ୍ତ କରିଛନ୍ତି।

Comments are closed.