ଶିଶୁ ପାଇଁ ଅମୃତର ଉତ୍ସ ମା’ କ୍ଷୀର
ବିଶ୍ୱ ସ୍ତନ୍ୟପାନ ସପ୍ତାହ ଉପଲକ୍ଷେ
ମର୍ତ୍ତ୍ୟରେ ଅମୃତର ଚିରନ୍ତନ ଉତ୍ସ ହେଉଛି ମା’ କ୍ଷୀର। ଏହା ଶିଶୁ ପାଇଁ ସର୍ବୋତ୍ତମ ଆହାର। ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁଯାୟୀ ନବଜାତ ଶିଶୁ ଜନ୍ମ ପରେ ପରେ ସ୍ତନ୍ୟପାନ କଲେ, ଶିଶୁ ମୃତ୍ୟୁହାର କମିଯିବ। ସ୍ତନ୍ୟପାନ ହେଉଛି ଏକ ସର୍ବୋକୃଷ୍ଟ ପ୍ରାକୃତିକ ପରିପୂରକ ଖାଦ୍ୟ ଯେଉଁଥିରେ ରହିଛି ପୋଷକ ସନ୍ତୁଳନତା ଯାହା ଶିଶୁମାନଙ୍କ ପାଇଁ ସମ୍ପୂର୍ଣ୍ଣ ଉପଯୋଗୀ। ସେଥିପାଇଁ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ଆନୁକୂଲ୍ୟରେ ସ୍ତନ୍ୟପାନକୁ ପ୍ରୋତ୍ସାହିତ କରିବା ପାଇଁ ସାରା ବିଶ୍ୱରେ ଅଗଷ୍ଟ ମସ ୧ ତାରିଖରୁ ୭ ତାରିଖ ଯାଏଁ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଉଛି। ଏଥିରେ ମା’ମାନେ ବିଶେଷ ଭାବେ କର୍ମ୍ମଜୀବି ମହିଳାମାନେ ସଚେତନ ହୋଇ ନିଜ ଶିଶୁକୁ ସ୍ତନ୍ୟପାନ କରାଇବା ପାଇଁ ବଦ୍ଧ ପରିକର ହେବା ଉଚିତ୍। ସେଥିପାଇଁ ସବୁ ସ୍ତରରେ ସ୍ତନ୍ୟପାନ ପାଇଁ ସଚେତନତା ସୃଷ୍ଟି କରାଯାଉଛି। ଏ ବର୍ଷ ସ୍ତନ୍ୟପାନ ସପ୍ତାହର ବିଷୟ ବସ୍ତୁ ହେଉଛି ‘ସ୍ତନ୍ୟପାନ ପାଇଁ କର୍ମ୍ମଜୀବି ମହିଳାମାନଙ୍କୁ ସଚେତନ କରିବା ଓ ପ୍ରୋତ୍ସାହନ ଦେବା।’
ମା’ କ୍ଷୀରରେ ଶିଶୁ ପାଇଁ ଆବଶ୍ୟକ ପୁଷ୍ଟି ସାଧନ କାରୀ ଶ୍ୱେତସାର, ପୁ୍ଷ୍ଟିସାର ଓ ସ୍ନେହସାର ଖାଦ୍ୟ ତଥା ୧୦୦ ପ୍ରକାରର ଅନ୍ୟାନ୍ୟ ଉପାଦାନ ରହିଛି, ଯାହା ଗାଈ କ୍ଷୀରରେ ବା’ ଡବା କ୍ଷୀରରେ ନଥାଏ। ମା’ କ୍ଷୀର ଶିଶୁର ଚାହିଦା, ସମୟ ଏବଂ ବୟସ ମୁତାବକ ପରିବର୍ତ୍ତିତ ହୋଇଥାଏ। ମା’ କ୍ଷୀରରେ ଥିବା ପ୍ରୋଟିନ୍ (ଲାକ୍ଟ ଆଲବୁମିନ୍) ଏବଂ ଫ୍ୟାଟିଏସିଡ ଓ ଲାକ୍ଟୋଜ୍ ଶିଶୁ ସହଜରେ ହଜମ କରିଥାଏ। ଏହା ଶିଶୁର ମସ୍ତିଷ୍କ ବୁଦ୍ଧି ଓ ବିକାଶରେ ସାହାଯ୍ୟ କରେ। ମା’ କ୍ଷୀର ଅନ୍ତନାଳୀରେ କ୍ଷତିକାରକ ଜୀବାଣୁ ବୃଦ୍ଧିକୁ ବାଧା ଦିଏ। ତେଣୁ ଶିଶୁକୁ ସଂକ୍ରମଣ ଜନିତ ପେଟରୋଗ ଓ ଝାଡା ହୁଏ ନାହିଁ। ଶିଶୁର ପେଟଟଣା କଲିକ୍ ଓ ବାୟୁଦୋଷ ରହେନାହିଁ। ଏହା ଶରୀରର ଉତ୍ତାପ ସହ ସମାନ ଥାଏ ଓ ଏହା ବିଶୁଦ୍ଧ। ପ୍ରସବ ପରେ ମା’ ସ୍ତନରୁ ବାହାରୁଥିବା ଗାଢ ହଳଦିଆ ରଙ୍ଗର କୋଲୋଷ୍ଟ୍ରମ କୁ ବହଳ କଷ କ୍ଷୀର କୁହାଯାଏ। ଏହା ପ୍ରତିରକ୍ଷାକାରୀ ଜୀବ କୋଷରେ ଭରପୁର ଥାଏ। କଷ କ୍ଷୀର ଶିଶୁର ପ୍ରଥମ ଟୀକା। ଏଥିରେ ରୋଗ ପ୍ରତିରୋଧକ ଶକ୍ତି ଇମ୍ୟୁନୋଗ୍ଲୋବିନ୍, ଭିଟାମିନ୍ ଏ ଓ ଭିଟାମିନ୍ ଡି ପ୍ରଚୁର ପରିମାଣରେ ଥାଏ। ଏହା ତାକୁ ରିକେଟ ରୋଗରୁ ରକ୍ଷାକରେ।
କଷକ୍ଷୀର ବିଷୟରେ ଆଉ କେତୋଟି ଜାଣିବା କଥା:-
କଷକ୍ଷୀରରେ ଥିବା କୋଲୋଷ୍ଟ୍ରୋନ୍ ରୋଗ ପ୍ରତିରୋଧକ ଶକ୍ତର ଭଣ୍ଡାର, ଜନ୍ମପରେ ଶିଶୁକୁ କଷକ୍ଷୀର ଖୁଆଇଲେ ଗର୍ଭଫୁଲ ଶୀଘ୍ର ପଡ଼ିଯାଏ, କଷକ୍ଷୀର ଅତି ସହଜରେ ହଜମ ହୁଏ, କଷକ୍ଷୀର ପାନ କଲାବେଳେ ଶିଶୁ ମା’ କୋଳକୁ ଲାଗି ରହୁଥିବାରୁ ମା’ ଶରୀରରେ ଉଷ୍ଣତା ତାକୁ ସୁସ୍ଥ ଓ ସତେଜ ରଖେ, ସ୍ତନ୍ୟପାନ ଜରିଆରେ ମା’ ଓ ଶିଶୁ ଭିତରେ ମମତାର ଅତୁଟବନ୍ଧନର ମୂଳଦୂଆ ପଡ଼ିଥାଏ, କଷକ୍ଷୀର ବ୍ୟତୀତ ଅନ୍ୟକିଛି ଶିଶୁକୁ ଖାଇବାକୁ ଦେଲେ ତାହା ରୋଗ ସଂକ୍ରମଣର କାରଣ ହୁଏ, କଷକ୍ଷୀର ସହିତ ଶିଶୁକୁ ନିୟମିତ ସ୍ତନ୍ୟପାନ କରାଇଲେ ମା’ମାନଙ୍କ ସ୍ତନକର୍କଟ ରୋଗ ସମ୍ଭାବନା କମ୍ ଥାଏ। ଏଣୁ ଶିଶୁକୁ ଏକଘଣ୍ଟା ମଧ୍ୟରେ ନିଶ୍ଚିତ ରୂପେ କଷକ୍ଷୀର ଖୁଆନ୍ତୁ ଏବଂ ସୁସ୍ଥ ଓ ନିରୋଗ ରଖନ୍ତୁ।
ସାଧାରଣ ପ୍ରସବର ଅଧଘଣ୍ଟା ଭିତରେ ଏବଂ ସିଜରିଆନ୍ ଅପରେସନର ୧ ଘଣ୍ଟା ଭିତରେ ମା’ ଶିଶୁକୁ ନିଜ କୋଳରେ ଧରି କ୍ଷୀର ଖୁଆଇବା ଉଚିତ୍। ଶିଶୁକୁ କ୍ଷୀର ଖୁଆଇବା ବେଳେ ଶିଶୁକୁ କ୍ଷୀର ଖୁଆଉଥିବା ମା’ ଉଚ୍ଚ କ୍ୟାଲୋରୀ ଯୁକ୍ତ ସୁଷମ ଖାଦ୍ୟ ଖାଇବା ଉଚିତ୍। ମା’ର ଦୃଢ ଇଚ୍ଛା ଶକ୍ତି ଓ ସୁଷମ ଖାଦ୍ୟ ମା’ କୁ ନିଜ ଶିଶୁକୁ ସ୍ତନ୍ୟପାନ କରାଇବାରେ ସାହାଯ୍ୟ କରିଥାଏ। କାରଣ ମା’ ନିଜ ଲାଲ୍ ରଙ୍ଗର ରକ୍ତକୁ ଶ୍ୱେତବର୍ଣ୍ଣ କ୍ଷୀରରେ ପରିଣତ କରି ନିଜ ଶିଶୁକୁ ଖୁଆଇଥାଏ। ଅପର ପକ୍ଷରେ ବିଶେଷ କରି କର୍ମଜୀବି ମା’ମାନେ ସୌନ୍ଦର୍ଯ୍ୟହାନି ଭୟରେ ସ୍ତନ୍ୟପାନ କରାନ୍ତି ନାହିଁ। ଶିଶୁକୁ କ୍ଷୀର ଖୁଆଇଲେ ଜରାୟୁ ସଂକୁଚିତ ହୁଏ, ଗର୍ଭଧାରଣ ବିଳମ୍ବ ହୁଏ।
ଯେଉଁ ଶିଶୁମାନେ ମା’ କ୍ଷୀର ଖାଆନ୍ତି ସେମାନଙ୍କର ଅନ୍ୟ ଶିଶୁଙ୍କଠାରୁ କାନ ସଂକ୍ରମଣ ୩ଗୁଣ କମ୍ ହୋଇଥାଏ, ପରିସ୍ରା ସଂକ୍ରମଣ ୫ଗୁଣ କମ୍ ହୋଇଥାଏ, ଗୁରୁତର ସଂକ୍ରମଣ ଜନିତରୋଗ ୫ ଗୁଣ କମ୍ ହୋଇଥାଏ, ଆଲର୍ଜି, ୭ଗୁଣ କମ୍ ହୋଇଥାଏ। ପ୍ରାୟ ଶତକଡା ୩ ଭାଗ ମା’ କ୍ଷୀର ବା ସ୍ତନ୍ୟପାନ କରୁଥିବା ଶିଶୁ ହଠାତ୍ ମୃତ୍ୟୁବରଣ କରୁଥିବାବେଳେ ପ୍ରାୟ ୮୭ ଭାଗ ମା’ କ୍ଷୀର ନଖାଇ ଡବାକ୍ଷୀର ଖାଉଥିବା ଶିଶୁ ମୃତ୍ୟୁବରଣ କରିଥାନ୍ତି।
ସ୍ତନ୍ୟପାନ ମା’ ପାଇଁ ମଧ୍ୟ ଉପକାରୀ :-
ଯେଉଁ ମା’ମାନେ ନିଜ ଶିଶୁକୁ ସ୍ତନ୍ୟପାନ କରାଇଥାନ୍ତି, ସେମାନଙ୍କର ସ୍ତନକର୍କଟ ରୋଗ ଓ ଡିମ୍ବକୋଷର କର୍କଟରୋଗ କମ୍ ହୋଇଥାଏ। ୨ବର୍ଷ ଶିଶୁକୁ ସ୍ତନ୍ୟପାନ କରାଇଥିଲେ, ମାସିକ ଋତୁସ୍ରାବର ବିରତିପୂର୍ବରୁ ଶତକଡା ୪୦ ଭାଗ ସ୍ତନକର୍କଟ ରୋଗ ହେବାର ଚାନ୍ସ କମିଯାଇଥାଏ। କର୍ମଜୀବୀ ମହିଳାମାନେ ଘରେ ଥିବା ସମୟରେ ଶିଶୁକୁ ସ୍ତନ୍ୟପାନ କରାଇବା ସହ ଅନ୍ୟ ସମୟରେ କ୍ଷୀର କାଢି ଶିଶୁକୁ ଏକ୍ସପ୍ରେସଡ ବ୍ରେଷ୍ଟ ମିଲ୍କ ଦେବା ଜରୁରୀ। ମହିଳାମାନେ ବିଶେଷ ଭାବରେ କର୍ମଜୀବୀ ମହିଳାମାନେ ନିଜର ଦୃଢ ଇଚ୍ଛାଶକ୍ତି ସହ ନିଜ ଶିଶୁକୁ ସ୍ତନ୍ୟପାନ କରାଇବାକୁ ବଦ୍ଧ ପରିକର ହେବା ଉଚିତ୍।
ଡଃ ସରୋଜିନୀ ଷଡଙ୍ଗୀ
ସ୍ତ୍ରୀରୋଗ ଓ ପ୍ରସୂତି ବିଶେଷଜ୍ଞ, କଟକ-୧୨
ମୋ-୯୪୩୭୦୫୫୦୦୭
Comments are closed.