କଟକ : ଓଡ଼ିଶା କ୍ରୀଡ଼ାରେ ଯୋଡ଼ି ହୋଇଛି ନୂଆ ଅଧ୍ୟାୟ। ଏକାଧିକ ବିଶ୍ବସ୍ତରୀୟ ପ୍ରତିଯୋଗିତା ଆୟୋଜନ କରିଥିବା ଓଡ଼ିଶାରେ ସଫଳତାର ସହ ବିଶ୍ବସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଆୟୋଜିତ ହୋଇଛି। ଭାରତରେ ପ୍ରଥମ ଥର ପାଇଁ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍ରେ ଆୟୋଜିତ ହୋଇଛି ବିଶ୍ବ ଦୌଡ଼କୁଦ କଣ୍ଟିନେଣ୍ଟାଲ ଟୁର୍ (ବ୍ରୋଞ୍ଜ) ପ୍ରତିଯୋଗିତା। ରବିବାର ଏହି ଦିନିକିଆ ପ୍ରତିଯୋଗିତା ଆୟୋଜନ ସହ ଓଡ଼ିଶା କ୍ରୀଡ଼ା ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ୨୦୧୭ରେ କଳିଙ୍ଗ ଷ୍ଟାଡିୟମ୍ରେ ଏସୀୟ ଦୌଡ଼କୁଦ ଚମ୍ପିଆନସିପ ଆୟୋଜିତ ହୋଇଥିଲା। ଏଥର ବିଶ୍ବସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଆୟୋଜନ କରିବାରେ ସଫଳ ହୋଇଛି ଓଡ଼ିଶା। ଏହି କ୍ରୀଡ଼ା ପ୍ରତିଯୋଗିତାର ସଫଳ ଆୟୋଜନ ଓଡ଼ିଶା କ୍ରୀଡ଼ା ଇତିହାସରେ ନୂଅା ଅଧ୍ୟାୟ ସୃଷ୍ଟି କରିଛି। ବିଶ୍ବ ଆଥ୍ଲେଟିକ୍ସ, ଭାରତୀୟ ଦୌଡ଼କୁଦ ସଂଘ, ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଉକ୍ତ ପ୍ରତିଯୋଗିତା ଆୟୋଜିତ ହେଉଛି। ଏଥିରେ ୧୭ଟି ଦେଶରୁ ୧୬୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତା ପୁରୁଷ ବର୍ଗ ୧୦୦, ୨୦୦, ୪୦୦, ୮୦୦ ଓ ୫୦୦୦ ମିଟର ଦୌଡ଼, ଲଙ୍ଗଜମ୍ପ, ଟ୍ରିପଲ ଜମ୍ପ, ଜାଭେଲିନ ଥ୍ରୋ ଓ ୪ ଗୁଣା ୪୦୦ ମିଟର ରିଲେରେ ଆୟୋଜିତ ହୋଇଥିଲା। ମହିଳା ବର୍ଗରେ ୧୦୦, ୨୦୦, ୪୦୦, ୮୦୦ ଓ ୧୫୦୦ ମିଟର ଦୌଡ଼, ୧୦୦ ମିଟର ବାଧାଦୌଡ଼, ଲଙ୍ଗଜମ୍ପ, ଜାଭେଲିନ ଥ୍ରୋ, ୪ଗୁଣା ୪୦୦ ମିଟର ରିଲେ, ମିଶ୍ରିତ ୪ଗୁଣା ୪୦୦ ମିଟର ରିଲେରେ ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତା ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତା ପ୍ରଥମ ପର୍ଯ୍ୟାୟରେ ସକାଳ ୭.୪୦ରୁ ୮.୫୫ ମିନିଟ୍ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା। ସନ୍ଧ୍ୟାରେ ଆୟୋଜିତ ଉଦ୍ଯାପନୀ ଉତ୍ସବରେ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କ୍ରୀଡ଼ା ସଚିବ ସଚିନ ରାମଚନ୍ଦ୍ର ଯାଦବ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରତିଯୋଗିତା ଶେଷ ହେବା ପରେ ଆତସବାଜି ଓ ପାରମ୍ପରିକ ନୃତ୍ୟ ପ୍ରଦର୍ଶିତ ହୋଇଥିଲା।
Popular Categories



