ଭୁବନେଶ୍ଵର: ଆମ ଦେଶରେ ଏବେ ହାଜତ ମୃତ୍ୟୁ ଏକ ସାଧାରଣ ଘଟଣାରେ ପରିଣତ ହୋଇଛି। କାରାଗାର ହେଉ ଅଥବା ପୁଲିସ ହାଜତ ହେଉ ସନ୍ଦେହଜନକ ଭାବେ ଗିରଫ ଅଭିଯୁକ୍ତଙ୍କ ମୃତ୍ୟୁ ସମ୍ଭାବନା ଅଧିକ ଏବଂ ପ୍ରତିଟି ହାଜତ ଅପେକ୍ଷାକୃତ ଭାବରେ ଯମପୁରୀ ଭାବରେ ପରିଗଣିତ। ଯେହେତୁ ପୁଲିସ ଓ ଜେଲ ଅଧିକାରୀଙ୍କ ହାତରେ କ୍ଷମତା ଅଧିକ ସେମାନେ ଏହାକୁ ଅମାନୁଷିକ ଭାବରେ ପ୍ରଣୟନ କରିବାକୁ ଆଦୌ ଭୁଲନ୍ତି ନାହିଁ।
ଏଇ କିଛି ଦିନ ତଳେ ତାମିଲନାଡୁର ଏକ ମନ୍ଦିରର ସୁରକ୍ଷା କର୍ମୀ, ଅଜିତ କୁମାରଙ୍କର ପୁଲିସ ହାଜତ ମୃତ୍ୟୁ ଘଟିଥିଲା । ଯେଉଁ ମାମଲାକୁ ବିଚାର କରି ମାଡ୍ରାସ ଉଚ୍ଚ ନ୍ୟାୟାଳୟ ପୁଲିସର ଯୋଜନାବଦ୍ଧ ଅପରାଧ ଭାବରେ ବିବେଚନା କରିବାକୁ ଭୁଲି ନ ଥିଲେ। ଆହୁରି କହିଥିଲେ ଯେ, ରାଜ୍ୟ ଜାଣିଶୁଣି ଜଣେ ନାଗରିକର ମୃତ୍ୟୁ ଘଟାଇଛି। ଏଥିରେ ରାଜ୍ୟ ସରକାର ତତ୍ପରତା ଦେଖାଇ ସମ୍ପୃକ୍ତ ଥିବା ୬ ଜଣ ପୁଲିସଙ୍କୁ ନିଲମ୍ବନ କରିବା ସହ ନ୍ୟାୟିକ ଅନୁସନ୍ଧାନ ପାଇଁ ଆଦେଶ ପ୍ରଦାନ କରିଥିଲେ। ଏଥି ସହିତ ନିହତ ସୁରକ୍ଷା କର୍ମୀର ପରିବାରକୁ କ୍ଷତିପୂରଣ ବାବଦରେ ୫ ଲକ୍ଷ ଟଙ୍କା ଏବଂ ପରିବାରର ଜଣକୁ ସରକାରୀ ଚାକିରି ଏବଂ ସହରରେ ଖଣ୍ଡେ ଜାଗା ପ୍ରଦାନ କରିବାକୁ ଘୋଷଣା କରିଥିଲେ। ପରିସ୍ଥିତି ଶାନ୍ତ ନ ପଡ଼ିବାରୁ ଏହାକୁ କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋକୁ ଅନୁସନ୍ଧାନ ନିମନ୍ତେ ହସ୍ତାନ୍ତର କରାଯାଇଥିଲା। କହିବା ବାହୁଲ୍ୟ, ଦେଶ ସାରା ଏ ଭଳି ହାଜତ ମୃତ୍ୟୁ ଘଟି ଚାଲିଛି ଯାହା ଆଜି ଚିନ୍ତାର ବିଷୟ।
ଜାତୀୟ ମାନବାଧିକାର କମିସନଙ୍କ ୨୦୨୧-୨୦୨୨ର ରିପୋର୍ଟ ଅନୁଯାୟୀ ମୋଟ ହାଜତ ମୃତ୍ୟୁ ୨୧୫୦ ଥିବାବେଳେ ଏଥିରୁ ପୁଲିସ ଏବଂ ଜେଲ ହାଜତ ମୃତ୍ୟୁ ଯଥାକ୍ରମେ ୧,୯୫୫ଏବଂ ୧୫୫। ବିଗତ ୬ ବର୍ଷରେ ଉତ୍ତରପ୍ରଦେଶରେ କେବଳ ୨, ୬୩୦ଟି ହାଜତ ମୃତ୍ୟୁ ଘଟିଛି ଯାହା ଭାରତର ସବୁ ପ୍ରଦେଶ ଠାରୁ ଅଧିକ। ଦକ୍ଷିଣ ଭାଗର ରାଜ୍ୟ ସମୂହରୁ ତାମିଲନାଡୁରେ ସର୍ବାଧିକ ହାଜତ ମୃତ୍ୟୁ ଘଟିଥିବା ତଥ୍ୟ ମିଳିଛି। ମୋଟାମୋଟି ଭାବରେ କହିବାକୁ ଗଲେ ଭାରତରେ ୨୦୧୬ରୁ ୨୦୨୨ ମଧ୍ୟରେ ସମୁଦାୟ ୧୧, ୬୫୦ଟି ହାଜତ ମୃତ୍ୟୁ ଘଟିଛି।
୨୦୨୩ର ଜାତୀୟ ମାନବାଧିକାର କମିସନ ଏବଂ ସରକାରୀ ତଥ୍ୟ ବିଶ୍ଳେଷଣ କଲେ ଜଣାଯାଏ ଯେ ୨୦୧୭ରୁ ୨୦୨୨ ମଧ୍ୟରେ ମାତ୍ର ୩୪୫ଟି ହାଜତ ମୃତ୍ୟୁ ମାମଲାରେ ମାଜିଷ୍ଟ୍ରେଟ ଅନୁସନ୍ଧାନ ନିମନ୍ତେ ନିେର୍ଦଶ ପ୍ରଦାନ କରିଛନ୍ତି। ଜାତୀୟ ଅପରାଧ ରେକର୍ଡ ସଂସ୍ଥାର ରିପୋର୍ଟ ଅନୁସାରେ ୨୦୦୦ରୁ ୨୦୨୦ ମଧ୍ୟରେ ୧୮୮୮ଟି ହାଜତ ମୃତ୍ୟୁ ଘଟିଥିଲା ଯେଉଁଥିରୁ ମାତ୍ର ୮୯୩ଟି ମାମଲାରେ ପୁଲିସ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଫର୍ଦ ଦାଖଲ କରାଯାଇଥିବାବେଳେ ମାତ୍ର ୨୬ ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଅର୍ଥାତ୍ ବିଗତ ୨୦ ବର୍ଷରେ ମାତ୍ର ୨୬ ଜଣ ପୁଲିସ ଅଧିକାରୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୨୦୧୦ରୁ ୨୦୨୦ ମଧ୍ୟରେ ୬୯ ପ୍ରତିଶତ ହାଜତ ମୃତ୍ୟୁ ଘଟିଛି। ଏଥିରୁ ଅସୁସ୍ଥତା ନିମନ୍ତେ ୪୦ ପ୍ରତିଶତ ଏବଂ ଆତ୍ମହତ୍ୟା ନିମନ୍ତେ ୨୯ ପ୍ରତିଶତ ହୋଇଥିବାବେଳେ ଅବଶିଷ୍ଟଙ୍କର ପ୍ରାକୃତିକ ମୃତ୍ୟୁ ଘଟିଛି। ତେବେ ହାଜତ ହିଂସା ଭାରତରେ ଆଇନ ଶୃଙ୍ଖଳା ସମସ୍ୟା ନୁହେଁ। ଏହା ସାଧାରଣତଃ ଜାତି, ବଂଶ ଏବଂ ସମାଜ ଯୋଗୁଁଁ ଘଟିଥାଏ। ଜାତୀୟ ମାନବାଧିକାର କମିଶନଙ୍କ ତଥ୍ୟ ଅନୁଯାୟୀ, ୧୯୯୬ ରୁ ୨୦୧୮ ମଧ୍ୟରେ ଘଟିଥିବା ସମସ୍ତ ହାଜତ ମୃତ୍ୟୁର ୭୦ ପ୍ରତିଶତ ନିହତ ହେଉଛନ୍ତି ସମାଜର ଦରିଦ୍ର ତଥା ଦଳିତ ବର୍ଗର। ହାଜତ ଦୁଇ ପ୍ରକାରର ଯଥା ପୁଲିସ ହାଜତ ଏବଂ ବିଚାର ବିଭାଗ ଅଥବା ନ୍ୟାୟିକ ହାଜତ। ପୁଲିସ ଜଣକୁ ସନ୍ଦେହରେ ଗିରଫ କରି ହାଜତରେ ରଖିବାର ସର୍ବାଧିକ ଅବଧି ୨୪ ଘଣ୍ଟା ଏବଂ ଏହା ପରେ ସେହି ଅଞ୍ଚଳର ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର ପରେ ମାଜିଷ୍ଟ୍ରେଟ ଆସାମୀକୁ ନ୍ୟାୟିକ ହାଜତ ଅଥବା କାରାଗାରକୁ ପଠାଇଥାନ୍ତି।
ଭାରତୀୟ ନାଗରିକ ସୁରକ୍ଷା ସଂହିତା ଆଇନ ଅଥବା ବି.ଏନ.ଏସ.ଏସ.ର ଧାରା ୬୮ (ପୁରାତନ ସି.ଆର.ପି.ସି.ର ଧାରା ୫୭)ଅନୁଯାୟୀ ସନ୍ଦେହରେ ଅଣାଯାଇଥିବା ଅଭିଯୁକ୍ତକୁ ୨୪ ଘଣ୍ଟାରୁ ଅଧିକ ସମୟ ଅଟକାଇ ହେବନାହିଁ। କେବଳ ବି.ଏନ.ଏସ.ଏସ.ର ଧାରା ୧୮୭(୩), ୨୩୨ ଏବଂ ୩୪୬ ପ୍ରକାରେ ନ୍ୟାୟାଳୟର କ୍ଷମତା ରହିଛି ଆସାମୀର ବିଚାର ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ତାହାକୁ ବିଚାର ବିଭାଗ ହାଜତରେ ରଖିବା।
ବିଚାର ପୂର୍ବରୁ କିମ୍ବା ଦୋଷୀ ସାବ୍ୟସ୍ତ ହେବା ପରେ କିମ୍ବା ପୁଲିସର କାର୍ଯ୍ୟକଳାପ ହେତୁ ଅଥବା ସ୍ୱାସ୍ଥ୍ୟ ପରୀକ୍ଷଣ ସମୟରେ ଆସାମୀର ମୃତ୍ୟୁ ହେଲେ ଏହା ହାଜତ ମୃତ୍ୟୁ ଭାବେ ଗଣାଯାଏ। ପୁଲିସ ହାଜତ, ନ୍ୟାୟିକ ହାଜତ ଏବଂ ସେନା ଅଥବା ଅର୍ଦ୍ଧ ସାମରିକ ବଳ ହାଜତରେ ମୃତ୍ୟୁ ଏବଂ ଏନକାଉଣ୍ଟରରେ ମୃତ୍ୟୁକୁ ମଧ୍ୟ ହାଜତ ମୃତ୍ୟୁ ହିସାବରେ ନିଆଯାଏ।
ଆମ ସମ୍ବିଧାନରେ କିନ୍ତୁ ହାଜତରେ ଥିବା ସମୟରେ ଆସାମୀକୁ ଜୀବନ ଓ ସ୍ବାଧୀନତାର ଅଧିକାର ସହ ସୁରକ୍ଷା ପ୍ରଦାନ କରାଯିବା ନିମନ୍ତେ ନିୟମ ରହିଛି। ଦୋଷ ସ୍ବୀକାରୋକ୍ତି ନିମନ୍ତେ ତାକୁ କୌଣସି ପ୍ରକାରର ଶାରୀରିକ ନିର୍ଯାତନା, ଭୟ ଏବଂ ଦଣ୍ଡ ପ୍ରଦାନ କରାଯାଇ ପାରିବ ନାହିଁ। ହାଜତ ମୃତ୍ୟୁ ଆମ ସମ୍ବିଧାନର ମୌଳିକ ବ୍ୟବସ୍ଥା ଏବଂ ସଂରଚନାର ପରିପନ୍ଥୀ। ଏହାର ଧାରା ୨୦(୧) ଅନୁସାରେ ନିୟମ ଉଲଂଘନ ନ ହେବା ପର୍ଯ୍ୟନ୍ତ ଜଣକୁ ଦୋଷୀ ସାବ୍ୟସ୍ତ କରାଯାଇପାରିବ ନାହିଁ ଏବଂ ଧାରା ୨୦(୩) ଅନୁସାରେ ଜଣକୁ ଜୋର ଜବରଦସ୍ତ ସାକ୍ଷ୍ୟ ପ୍ରଦାନ ନିମନ୍ତେ ବାଧ୍ୟ କରାଯାଇପାରିବ ନାହିଁ।
ଭାରତୀୟ ସାକ୍ଷ୍ୟ ଅଧିନିୟମ ୨୦୨୩ର ଧାରା ୨୨ ଅନୁସାରେ ଭୟ ଦେଖାଇ ଦୋଷ ସ୍ବୀକାର କରାଯାଇଥିଲେ ତାହା ନ୍ୟାୟାଳୟରେ ଗ୍ରହଣୀୟ ହେବ ନାହିଁ। ବି.ଏନ.ଏସ.ଏସ. ୨୦୨୩ର ଧାରା ୧୮୨ ଅନୁସାରେ ଅନୁସନ୍ଧାନ କରୁଥିବା ଅଫିସର କାହାକୁ ଦୋଷ ସ୍ବୀକାର କରିବା ନିମନ୍ତେ ବାଧ୍ୟ କରି ପାରିବେ ନାହିଁ। ଏହାର ଧାରା ୫୦ ଅନୁସାରେ ଗିରଫ ବ୍ୟକ୍ତିକୁ ଗିରଫର କାରଣ ପ୍ରଦାନ କରିବାକୁ ହେବ। ଧାରା ୪୩ ଅନୁସାରେ ଗିରଫର ପ୍ରଣାଳୀ ଏବଂ ୪୬ ଅନୁସାରେ ଅଯଥାରେ ଗିରଫ ବ୍ୟକ୍ତିଙ୍କୁ ବହୁ ଦିନ ପର୍ଯ୍ୟନ୍ତ ହାଜତରେ ରଖିହେବ ନାହିଁ।
ହାଜତ ମୃତ୍ୟୁ ନିମନ୍ତେ ଦାୟୀ ଅଫିସରଙ୍କୁ ଦଣ୍ଡ ପ୍ରଣୟନ ନିମନ୍ତେ ବ୍ୟବସ୍ଥା ରହିଛି। ବି.ଏନ.ଏସ.ଏସ.ର ଧାରା ୧୦୩ ଅନୁଯାୟୀ ହାଜତ ମୃତ୍ୟୁ ନିମନ୍ତେ ଦାୟୀ ପୁଲିସ ଅଧିକାରୀଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯିବ। ଏହାର ଧାରା ୧୦୫ ଅନୁସାରେ ହାଜତ ମୃତ୍ୟୁ ନିମନ୍ତେ ପୁଲିସ ଅଫିସର ଦାୟୀ ରହିବେ। ଧାରା ୧୦୮ ଅନୁସାରେ ଦାୟୀ ପୁଲିସ ଅଫିସର ହାଜତ ମୃତ୍ୟୁ ଘଟାଇଥିବା ଅଭିଯୋଗରେ ଦଣ୍ଡିତ ହେବେ। ଭାରତୀୟ ପୁଲିସ ଆଇନର ଧାରା ୭ ଅନୁଯାୟୀ, ବରିଷ୍ଠ ପୁଲିସ ଅଧିକାରୀ, ହାଜତ ମୃତ୍ୟୁ ନିମନ୍ତେ ଦାୟୀ ପୁଲିସ ଅଫିସରଙ୍କୁ ନିଲମ୍ବନ କରିପାରିବେ ଏବଂ ଧାରା ୨୯ ଅନୁସାରେ କର୍ତ୍ତବ୍ୟରେ ଅବହେଳା ନିମନ୍ତେ ସମ୍ପୃକ୍ତ ପୁଲିସ ଅଧିକାରୀଙ୍କୁ ଦଣ୍ଡ ପ୍ରଦାନ କରାଯିବ।
ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ହାଜାତରେ ଥିବା ସମୟରେ ଆସାମୀର ସୁରକ୍ଷା ଏବଂ ଜୀବନ ରକ୍ଷା ନିମନ୍ତେ ନିୟମ ପ୍ରଣୟନ କରାଯାଇଛି। ୧୯୪୮ର ସାର୍ବଜନୀନ ମାନବାଧିକାର ଘୋଷଣାନାମାର ଧାରା ୫ ଅନୁସାରେ ଦୋଷୀ ସାବ୍ୟସ୍ତ ନ ହେବା ପର୍ଯ୍ୟନ୍ତ ଆସାମୀକୁ ନିରପରାଧ ହିସାବରେ ବିବେଚନା କରାଯିବ। ୧୯୬୬ର ଅନ୍ତର୍ଜାତୀୟ ବେସାମରିକ ଏବଂ ରାଜନୈତିକ ଚୁକ୍ତିର ଧାରା ୬ ଅନୁସାରେ ଆସାମୀର ଜୀବନ ରକ୍ଷା ନିମନ୍ତେ ଅଧିକାର ରହିଛି। ୨୦୧୫ରେ ଜାତିସଂଘ ମଧ୍ୟ ବନ୍ଦୀମାନଙ୍କ ନିମନ୍ତେ ‘ସର୍ବନିମ୍ନ ସୁରକ୍ଷା ନିୟମ’ ଜାରି କରିଛି ଯେଉଁଥିରେ ସେମାନଙ୍କର ଜୀବନ ସୁରକ୍ଷା ଉଲ୍ଲିଖିତ।
୧୯୯୪ରେ ଯୋଗୀନ୍ଦର କୁମାର ବନାମ ଉତ୍ତର ପ୍ରଦେଶ ରାଜ୍ୟ ମାମଲାରେ ମାନ୍ୟବର ସୁପ୍ରିମ କୋର୍ଟ ଏକ ଐତିହାସିକ ରାୟ ପ୍ରଦାନ କରିଥିଲେ ଯେଉଁଥିରେ ଉଲ୍ଲେଖ ଥିଲା ଯେ ସମ୍ବିଧାନର ଧାରା ୨୧ ( ମୌଳିକ ଅଧିକାର)ଏବଂ ଧାରା ୨୨(୧) (ଗିରଫ ବ୍ୟକ୍ତିଙ୍କ ସୁରକ୍ଷା) ଅନୁସାରେ ହାଜତରେ ଥିବା ବ୍ୟକ୍ତିମାନଙ୍କୁ ଅଧିକାର ପ୍ରଦାନ କରାଯିବ। ହାଜତ ମୃତ୍ୟୁ ଏଡ଼ାଇବା ନିମନ୍ତେ ଜାତୀୟ ମାନବାଧିକାର କମିସନ ୧୯୯୩ ରେ ଗଠନ କରାଯାଇଥିଲା ଯାହା ପ୍ୟାରିସ ଚୁକ୍ତି ୧୯୯୧ ଆଧାରରେ ଗଠିତ। ୧୯୪୮ରେ ଅନ୍ତର୍ଜାତୀୟ ମାନବାଧିକାର ନିୟମ ଗଠନ କରାଯାଇଥିଲା। ହାଜତରେ ଥିବା ବନ୍ଦୀଙ୍କୁ ସମ୍ମାନର ସହ ରଖାଯାଇବା ନିମନ୍ତେ ଜାତିସଂଘର ଚୁକ୍ତି ୧୯୪୫ରେ ଗଠନ କରାଯାଇଥିଲା। ୧୯୫୩ରେ ୟୁରୋପୀୟ ମାନବାଧିକାର ଏବଂ ମୌଳିକ ସୁରକ୍ଷା ନିମନ୍ତେ କମିଟି ଗଠନ କରାଯାଇଥିଲା। ବନ୍ଦୀମାନଙ୍କୁ ସୁରକ୍ଷା ନିମନ୍ତେ ଜାତି ସଙ୍ଘରେ ନେଲ୍ସନ ମାଣ୍ଡେଲା ନିୟମ ୨୦୧୫ ରେ ଗ୍ରହଣ କରାଯାଇଥିଲା। ୧୯୬୯ରେ ଆମେରିକାରେ ଆମେରିକୀୟ ମାନବାଧିକାର କମିଶନ ଗଠନ ହୋଇଥିଲା। ଭାରତରେ ୨୭୩ତମ ଆଇନ କମିସନ ମଧ୍ୟ ହାଜତରେ ଶାରୀରିକ ଅତ୍ୟାଚାରକୁ ଦଣ୍ଡନୀୟ ଭାବେ ଆଇନ ପ୍ରଣୟନ କରିଛନ୍ତି।
ଦେଶରେ ତଥା ବିଶ୍ବ ସ୍ତରରେ ଏତେ ସବୁ ନିୟମ ପ୍ରଣୟନ ହୋଇ ମଧ୍ୟ ହାଜତ ମୃତ୍ୟୁ ଆଜି ଆମ ଦେଶ ପାଇଁ ଏକ କଳଙ୍କ ଯାହା ବାସ୍ତବରେ ଅବର୍ଣ୍ଣନୀୟ। ହାଜତରେ ଥିଲେ ବି ଜନସାଧାରଣଙ୍କର ବଞ୍ଚିବାର ଅଧିକାର ସମସ୍ତଙ୍କର ରହିଛି। ଆହୁରି ମଧ୍ୟ ସୁସ୍ଥ ଗଣତନ୍ତ୍ରରେ ହାଜତ ମୃତ୍ୟୁ ନାଗରିକ ଅଧିକାରର ପରିପନ୍ଥୀ। ଏଥି ନିମନ୍ତେ ସବୁ ସ୍ତରରେ ସଚେତନତା ଆବଶ୍ୟକ। ହାଜତ କାହାରି ଜୀବନ ନେବା ନିମନ୍ତେ ପ୍ରତିଷ୍ଠା ହୋଇନାହିଁ। ସ୍ବାଧୀନତା ହରାଇ ହାଜତରେ ରହିବାର ଅର୍ଥ ନୁହେଁ, ଜୀବନ ଧାରଣରେ ପୂର୍ଣ୍ଣଛେଦ ଘଟାଇବା। ସାଧାରଣତନ୍ତ୍ରରେ କେବଳ ଧନିକ ବର୍ଗଙ୍କୁ ସୁରକ୍ଷା ନୁହେଁ ବରଂ ଧନୀ ଏବଂ ଦରିଦ୍ରଙ୍କର ସୁରକ୍ଷା ନିଶ୍ଚିତ କରିବା ଜରୁରୀ।
ହାଜତ ମୃତ୍ୟୁ ସମସ୍ୟା କେବଳ ନ୍ୟାୟିକ ନିୟମ ସଂଶୋଧନ ଦ୍ବାରା ସମାଧାନ ହେବା ଅସମ୍ଭବ। ନିମ୍ନ ସ୍ତରରୁ ଶେଷ ସ୍ତର ଅର୍ଥାତ୍ ଗିରଫ, ହାଜତ ଅବଧି, ନ୍ୟାୟିକ ପର୍ଯ୍ୟବେକ୍ଷଣ ଏବଂ ନିରବଚ୍ଛିନ୍ନ ପର୍ଯ୍ୟାଲୋଚନ ନିଶ୍ଚିତ ଭାବେ ଜରୁରୀ। ପ୍ରେତ୍ୟକ ହାଜତ ମୃତ୍ୟୁରେ ଏଫ.ଆଇ.ଆର. ସହ ସ୍ବାଧୀନ ସଂସ୍ଥା ଦ୍ବାରା ଅନୁସନ୍ଧାନ ଜରୁରୀ। ଫାଷ୍ଟ ଟ୍ରାକ କୋର୍ଟଗୁଡ଼ିକ ପ୍ରଶାସନିକ ବିଳମ୍ବକୁ ତ୍ୱରାନ୍ୱିତ କରିବା ନିମନ୍ତେ ବିହିତ ପଦକ୍ଷେପ ନେବା ଜରୁରୀ। ମାନବାଧିକାର ଏବଂ ସାମାଜିକ କର୍ମୀଙ୍କୁ ହାଜତରେ ଥିବା କଏଦୀଙ୍କ ସୂଚନା ଏବଂ ସେମାନଙ୍କର ସ୍ବାସ୍ଥ୍ୟାବସ୍ଥା ସରକାରଙ୍କ ଦ୍ବାରା ପ୍ରଦାନ କରିବା ଜରୁରୀ। ଏହାଦ୍ୱାରା ହାଜତ ବ୍ୟବସ୍ଥାରେ ସ୍ବଚ୍ଛତା ଆଣାଯାଇପାରିବ। ଏହା ଛଡ଼ା ପୀଡିତଙ୍କ ପରିବାରକୁ କ୍ଷତିପୂରଣ ସହ ଦୀର୍ଘ ମିଆଦୀ ସହାୟତା ପ୍ରଦାନ କରାଯିବା ଜରୁରୀ। ବିଶେଷ କରି ପୁଲିସ ଏବଂ ସୁରକ୍ଷା ବଳଙ୍କୁ ହାଜତରେ ଥିବା ଅଭିଯୁକ୍ତଙ୍କ ଉତ୍ତମ ରକ୍ଷଣା ବେକ୍ଷଣ ସହ କିପରି ଉତ୍ତମ ବ୍ୟବହାର କରାଯିବ ଏ ବିଷୟରେ ସବିଶେଷ ପ୍ରଶିକ୍ଷଣ ପ୍ରଦାନ କରାଯିବା ଆବଶ୍ୟକ। ଅଧିକନ୍ତୁ ଜାତୀୟ ମାନବାଧିକାର କମିସନଙ୍କୁ ହାଜତରେ ଥିବା ଅଭିଯୁକ୍ତଙ୍କୁ ଭେଟି ସେମାନଙ୍କର ସୁବିଧା ଅସୁବିଧା ବୁଝିବା ନିମନ୍ତେ ସମ୍ୟକ କ୍ଷମତା ପ୍ରଦାନ କରାଯିବା ଆବଶ୍ୟକ। ହୁଏତ ଏହା ହୋଇ ପାରିଲେ ଆମ ଦେଶରୁ ହାଜତ ମୃତ୍ୟୁ ସମସ୍ୟାର ସମାଧାନ ହୋଇପାରିବ।
ହାଜତ ମୃତ୍ୟୁ ଓ ଏହାର ସମାଧାନ
Popular Categories



