www.samajalive.in
Saturday, December 6, 2025
17.1 C
Bhubaneswar

ମହିଳା ବିଶ୍ୱକପ ହକି: ଭାରତ-ଆୟରଲାଣ୍ଡ କ୍ୱାର୍ଟର ମୁକାବିଲା ଆଜି

ଲଣ୍ଡନ : ଭାରତ ଆସନ୍ତାକାଲି ଅର୍ଥାତ ଗୁରୁବାର ମହିଳା ବିଶ୍ୱକପ ହକି ପ୍ରତିଯୋଗିତାରେ କ୍ୱାର୍ଟର ଫାଇନାଲ ମ୍ୟାଚରେ ଆୟରଲାଣ୍ଡକୁ ଭେଟିବ। ଭାରତ ଏହି ଟୁର୍ଣ୍ଣାମେଣ୍ଟର ଲିଗ୍‍ ପର୍ଯ୍ୟାୟରେ ଦୁଇଟି ମ୍ୟାଚ ଅମୀମାଂସିତ ରଖିଥିବାବେଳେ ଅନ୍ୟ ଏକ ମ୍ୟାଚରେ ଆୟରଲାଣ୍ଡ ନିକଟରୁ ପରାସ୍ତ ହୋଇଥିଲା। ତେବେ ଗ୍ରୁପ୍‍-ବି’ରେ ୩ୟ ସ୍ଥାନ ଅଧିକାର କରି ଭାରତ ପ୍ଲେଅଫ୍‍ ମ୍ୟାଚ ପାଇଁ ଯୋଗ୍ୟତା ହାସଲ କରିଥିଲା। ମଙ୍ଗଳବାର ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ଉନ୍ନତ ପ୍ରଦର୍ଶନ କରି ଇଟାଲୀକୁ ୩-୦ ଗୋଲରେ ପରାସ୍ତ କରିବା ସହ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛି। ଯଦି ଗୁରୁବାର ମ୍ୟାଚରେ ଆୟରଲାଣ୍ଡକୁ ପରାସ୍ତ କରିବ, ତାହାହେଲେ ଭାରତ ଦୀର୍ଘ ୪୪ ବର୍ଷ ପରେ ମହିଳା ବିଶ୍ୱକପର ସେମିଫାଇନାଲ ଖେଳିବାର ସୌଭାଗ୍ୟଲାଭ କରିବ। ୧୯୭୪ରେ ଭାରତୀୟ ମହିଳା ହକି ଦଳ ଶେଷ ଥର ପାଇଁ ବିଶ୍ୱକପ ସେମିଫାଇନାଲକୁ ଉନ୍ନୀତ ହୋଇଥିବାବେଳେ ସେମାନଙ୍କୁ ୪ର୍ଥ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡିଥିଲା। ଚଳିତ ଟୁର୍ଣ୍ଣାମେଣ୍ଟର ପ୍ରଦର୍ଶନକୁ ସମୀକ୍ଷା କଲେ ଆୟରଲାଣ୍ଡ ଏହି ମୁକାବିଲାରେ ଫେଭରିଟ୍‍ ମାନ୍ୟତା ପାଇବା ସ୍ୱାଭାବିକ। ଗ୍ରୁପ୍‍ ପର୍ଯ୍ୟାୟରେ ଆୟରଲାଣ୍ଡ ତିନିଟି ମ୍ୟାଚରୁ ଦୁଇଟି ବିଜୟ ଓ ଗୋଟିଏ ପରାଜୟ ସହ ୬ ପଏଣ୍ଟ ପାଇ ସିଧାସଳଖ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲା।
ଅପରପକ୍ଷରେ ଭାରତ ତିନିଟି ମ୍ୟାଚରୁ ଦୁଇଟି ଡ୍ର ଓ ଗୋଟିଏ ପରାଜୟ ସହ ୨ ପଏଣ୍ଟ ପାଇ ତୃତୀୟ ସ୍ଥାନ ଅଧିକାର କରି କ୍ୱାର୍ଟର ଫାଇନାଲ ନିମନ୍ତେ ପ୍ଲେଅଫ୍‍ ଖେଳିବାକୁ ବାଧ୍ୟ ହୋଇଥିଲା। ପୁନଶ୍ଚ ଲିଗ୍‍ରେ ଆୟରଲାଣ୍ଡ ଭାରତକୁ ୧-୦ ଗୋଲରେ ପରାସ୍ତ କରିଥିଲା। ବିଶ୍ୱ ମାନ୍ୟତାରେ ଭାରତ ଓ ଆମେରିକା ତଳେ ଥିବା ସତ୍ତ୍ବେ ଆୟରଲାଣ୍ଡ ସେମାନଙ୍କୁ ପରାସ୍ତ କରିବାରେ ସଫଳ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଗୁରୁବାର ମ୍ୟାଚରେ ଆୟରଲାଣ୍ଡ ଦଳ ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣରୁ ନିଶ୍ଚିତଭାବେ ଆଗୁଆ ରହିବ। ଏହାସତ୍ତ୍ବେ ଭାରତ ନିକଟରେ ପରାଜୟର ପ୍ରତିଶୋଧ ନେବାକୁ ଏହା ଏକ ସୁଯୋଗ ଆଣିଛି। ପ୍ଲେଅଫ୍‍ରେ ଇଟାଲୀକୁ ହରାଇବାପରେ ଭାରତୀୟ ଦଳର ମନୋବଳ ମଧ୍ୟ ଊର୍ଦ୍ଧ୍ବଗାମୀ ହୋଇଛି।
ଲିଗ୍‍ ପର୍ଯ୍ୟାୟରେ ପେନାଲଟି କର୍ଣ୍ଣରକୁ ଗୋଲରେ ପରିବର୍ତ୍ତନ କରିବାରେ ଭାରତ ଯେଉଁ ବିଫଳତା ପ୍ରଦର୍ଶନ କରିଥିଲା, ତାହା ଇଟାଲୀ ବିପକ୍ଷ ମ୍ୟାଚରେ ଦେଖିବାକୁ ମିଳିନଥିଲା। ଭାରତ ଏହି ମ୍ୟାଚରେ ୬ଟି ପେନାଲଟି କର୍ଣ୍ଣର ପାଇଥିବାବେଳେ ଦୁଇଟି ସୁଯୋଗକୁ ଗୋଲରେ ପରିବର୍ତ୍ତନ କରିଥିବାବେଳେ ଯୁବ ଖେଳାଳି ଲାଲରେମ୍‍ସିଆମି ଚମତ୍କାର ଫିଲ୍ଡ ଗୋଲ ସ୍କୋର କରିଥିଲେ। ଆୟରଲାଣ୍ଡ ପୂର୍ବରୁ ୨୦୧୭ରେ ହକି ୱାର୍ଲ୍ଡ ଲିଗ୍‍ ସେମିଫାଇନାଲରେ ଭାରତକୁ ପରାସ୍ତ କରିଥିବାବେଳେ ଚଳିତ ଟୁର୍ଣ୍ଣାମେଣ୍ଟର ଲିଗ୍‍ରେ ମଧ୍ୟ ଭାରତକୁ ହରାଇଛି। ଭାରତୀୟ ଗୋଲରକ୍ଷକ ସବିତା ଚଳିତ ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରି ଦଳକୁ ଏକାଧିକ ଗୋଲ ବରଣ କରିବାରୁ ରକ୍ଷା କରିଛନ୍ତି। ରକ୍ଷଣଭାଗରେ ଦୀପଗ୍ରେସ ଏକ୍କା, ଲିଲିମା ମିଞ୍ଜ୍‍ଙ୍କ ପ୍ରଦର୍ଶନ ଉପରେ ଦଳ ନିର୍ଭରଶୀଳ ଥିବାବେଳେ ଅଧିନାୟିକା ରାଣୀ ରାମପାଲ, ବନ୍ଦନା କଟାରିଆ, ଲାଲରେମ୍‍ସିଆମି ଓ ନେହା ଗୋଏଲଙ୍କୁ ନେଇ ଭାରତୀୟ ଫରୱାର୍ଡବାହିନୀ ଆୟରଲାଣ୍ଡ ରକ୍ଷଣଭାଗକୁ ବ୍ୟତିବ୍ୟସ୍ତ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ମ୍ୟାଚ ଆରମ୍ଭ: ଭାରତୀୟ ସମୟ ରାତି ୧୦.୩୦।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories