ମହିଳା କ୍ରିକେଟର ଏନ୍ତୁଡିଶାଳ ଖୋଜୁଛି ସୁଯୋଗ

ବରିଷ୍ଠ ଟି-ଟ୍ୱେଣ୍ଟିରେ ଭଲ ପ୍ରଦର୍ଶନ, ମନୋନୟନରୁ ବଞ୍ଚିତ

ବଲାଙ୍ଗିର : ଓଡ଼ିଶା ମହିଳା କ୍ରିକେଟର ଏନ୍ତୁଡିଶାଳ ବଲାଙ୍ଗିର। କ୍ରିକେଟର୍ ପରିବାରରୁ ଆସୁଥିବା ମାଧୁରୀ ମେହେଟ୍ଟା ପ୍ରଥମ ମହିଳା କ୍ରିକେଟ ଖେଳାଳି ଭାବେ ଆନ୍ତର୍ଜାତୀୟ ମହିଳା କ୍ରିକେଟରେ ପାଦ ଦେଇଥିଲେ। ଆଉ ଜଣେ ହେଲେ ସ୍ପିନର୍ ରୋଶନାରା ପରବିନ । ମାଧୁରୀଙ୍କ ପରେ ବଲାଙ୍ଗିର ମାଟିରୁ ଭାରତୀୟ ମହିଳା ଦଳରେ ସାମିଲ ହେବା ସହ ମହିଳା ବିଶ୍ୱ କପ ଦଳରେ ସ୍ଥାନ ପାଇ ଖେଳିଥିଲେ। ମହିଳା କ୍ରିକେଟ ଓ ଜାତୀୟ ଦଳରେ ସ୍ଥାନ ପାଇ ମାଧୁରୀ-ରୋଶନାରା ଜିଲା ସହ ରାଜ୍ୟ ପାଇଁ ଗୌରବ ଆଣିଥିଲେ। ଉଭୟ ଓଡ଼ିଶା ପୁଲିସରେ ଚାକିରି କରୁଛନ୍ତି । ତେବେ ମାଧୁରୀ, ରୋଶନାରାଙ୍କ ଭଳି ଅନେକ ଯୁବତୀ ଖେଳ ପ୍ରତି ଆକୃଷ୍ଠ ହୋଇଥିଲେ। କୋଚ୍ ଅରୁଣ ନାୟକଙ୍କଠାରୁ ତାଲିମ ନେବା ସହ ଜିଲା ଦଳରେ ସ୍ଥାନ ପାଇଥିଲେ। କିଛି କିଛି ଖେଳ ଛାଡି ସରକାରୀ ଚାକିରି କଲେଣି । ନୂଆ ନୂଆ ମହିଳା କ୍ରିକେଟର୍ ମଧ୍ୟ ବାହାରୁଛନ୍ତି । ତେବେ ନିକଟରେ ସୁରଟରେ ଶେଷ ହୋଇଥିବା ସିନିୟର୍ ମହିଳା ଟି-ଟ୍ୱେଣ୍ଟିରେ ଓଡ଼ିଶା ଦଳରୁ ବଲାଙ୍ଗିରରୁ ମାଧୁରୀ, ରୋଶନାରାଙ୍କ ସହ ଆଦର୍ଶ ବିଦ୍ୟାଳୟରେ କ୍ରୀଡ଼ା ଶିକ୍ଷୟିତ୍ରୀ ଥିବା ସରିତା ମେହେର, ରାମେଶ୍ୱରୀ ନାଏକ ସ୍ଥାନ ପାଇଥିଲେ। ସୀମିତ ଓଭର କ୍ରିକେଟରେ ଭଲ ପ୍ରଦର୍ଶନ କରିଥିଲେ। ମାଧୁରୀ-ରୋଶନାରା ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରୟାସ କରୁଥିବା ବେଳେ ସରିତା ଓ ରାମେଶ୍ୱରୀଙ୍କ ଭଳି ଅନେକ ମହିଳା କ୍ରିକେଟର ସୁଯୋଗ ଅପେକ୍ଷାରେ।

ସୂଚନା ଅନୁସାରେ ଓଡ଼ିଶା ଦଳ ସିନିୟର୍ ଟି-ଟ୍ୱେଣ୍ଟିରେ ପ୍ରଥମେ ଛତିଶଗଡ, ବିହାର, ତ୍ରିପୁରା, ଝାଡଖଣ୍ଡ, ତାମିଲନାଡୁ, ହରିୟାଣାକୁ ପରାସ୍ତ କରି ସେମି ଫାଇନାଲରେ ପ୍ରବେଶ କରିଥିଲା । ଶକ୍ତିଶାଳୀ ରେଳବାଇ ମହିଳା କ୍ରିକେଟ ଦଳଠାରୁ ପରାସ୍ତ ହୋଇଥିଲା। ଛତିଶଗଡ ବିପକ୍ଷରେ ମାଧୁରୀ ୬୬ରନ, ବିହାର ବିପକ୍ଷରେ ସରିତା ୩୮ରନ୍, ତ୍ରିପୁରା ବିପକ୍ଷରେ ମାଧୁରୀ ୨୮ ଓ ସରିତା ୨୦ ରନ୍, ଝାଡଖଣ୍ଡ ବିପକ୍ଷରେ ସରିତା ୨୮ ରନ୍, ତାମିଲନାଡୁ ବିପକ୍ଷରେ ସରିତା ୬୧ ରନ୍, ହରିୟାଣା ବିପକ୍ଷରେ ମାଧୁରୀଙ୍କ ୬୬ ରନ୍, ରେଳବାଇ ଦଳ ବିପକ୍ଷରେ ମାଧୁରୀ ଓ ସରିତା ଯଥାକ୍ରମେ ୩୫ ଓ ୧୬ ରନ୍ କରିଥିଲେ। ସେହିପରି ରୋଶନାରା ତ୍ରିପୁରା, ଝାଡଖଣ୍ଡ, ତାମିଲନାଡୁ ବିପକ୍ଷରେ ଗୋଟିଏ ଲେଖାଏଁ ଓ ହରିୟାଣା ଓ ରେଳବାଇ ବିପକ୍ଷରେ ୨ଟି ଲେଖାଏଁ ୱିକେଟ ନେଇଥିଲେ। ଅନ୍ୟତମ ବୋଲର୍ ରାମେଶ୍ୱରୀ ଛତିଶଗଡ ବିପକ୍ଷରେ ଗୋଟିଏ, ବିହାର ବିପକ୍ଷରେ ୩ଟି, ତ୍ରିପୁରା ବିପକ୍ଷରେ ୨ଟ ୱିକେଟ ହାସଲ କରିଥିଲେ। କଞ୍ଜୁସି ବୋଲିଂ କରି ବିପକ୍ଷ ଦଳକୁ କମ୍ ରନ୍ ଦେଇଥିଲେ। ତେବେ ବଲାଙ୍ଗିର ଜିଲା ମହିଳା କ୍ରିକେଟର ଏନ୍ତୁଡିଶାଳ ହୋଇଥିବା ବେଳେ ଓସିଏର ପୂର୍ବତନ ସଂପାଦକ ମହିଳା କ୍ରିକେଟ ଏକାଡେମୀ ଖୋଲିବା ପାଇଁ ଘୋଷଣା କରିଥିଲେ। ଏଯାଏଁ ମହିଳା କ୍ରିକେଟ ଏକାଡେମୀ ଘୋଷଣା ଘୋଷଣାରେ ହିଁ ରହିଯାଇଛି। ପ୍ରତିଦିନ ସକାଳୁ ଓ ଅପରାହ୍ନରେ ମହିଳା କ୍ରିକେଟ ଖେଳାଳୀ ମାନେ ଗାନ୍ଧୀ ଷ୍ଟାଡିୟମରେ ନିରନ୍ତର ଅଭ୍ୟାସ ଚଳାଇଛନ୍ତି। କେବଳ କ୍ରିକେଟ ନୁହଁ, ବ୍ୟାୟାମ୍ କରିବା ସହ ସେମାନଙ୍କ ଭିତରେ ଥିବା ଦୁର୍ବଳତାକୁ ସଂଶୋଧନ କରୁଛନ୍ତି। ପୂର୍ବତନ କ୍ରିକେଟର୍ ସୂର୍ଯ୍ୟ ମିଶ୍ର, କୃଷ୍ଣଚନ୍ଦ୍ର ଦାନୀ ମଧ୍ୟ ସମୟ ପାଇଲେ ମହିଳା କ୍ରିକେଟ ବିଷୟରେ ତାଲିମ ଦେଉଥିବା ଦେଖିବାକୁ ମିଳେ । ମହିଳା କ୍ରିକେଟ ଖେଳାଳୀଙ୍କ ଦକ୍ଷତାକୁ ପରଖି ଅଧିକ ତାଲିମ ବ୍ୟବସ୍ଥା କରାଗଲେ ସେମାନଙ୍କ କ୍ରୀଡ଼ା ଦକ୍ଷତା ବୃଦ୍ଧି ସହ ସେମାନଙ୍କ ପ୍ରଦର୍ଶନ ବି ଭଲ ହୋଇପାରନ୍ତା। ଜିଲା କ୍ରୀଡ଼ା ସଂସଦ ପକ୍ଷରୁ ଅଭିଜ୍ଞ ମହିଳା କ୍ରିକେଟ ଖେଳାଳୀଙ୍କ ସହ ନୂଆ ଖେଳାଳି ଗଢିବା ଦିଗରେ ଯଥେଷ୍ଟ ଦୃଷ୍ଟି ଦିଆଯାଉଛି । କିନ୍ତୁ ମନୋନୟନ କ୍ଷେତ୍ରରେ ପଛରେ ବଲାଙ୍ଗିର ଜିଲାର ମହିଳା କ୍ରିକେଟର ବୋଲି ଅଭିଯୋଗ ହେଉଛି। ମାଧୁରୀ ଓ ରୋଶନାରାଙ୍କ ପରେ ସରିତା, ରାମେଶ୍ୱରୀ ଓ ଅନ୍ୟ ପ୍ରତିଭାବାନ ମହିଳା କ୍ରିକେଟର୍ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ସୁଯୋଗ ଅପେକ୍ଷାରେ ରହିଯାଇଛନ୍ତି।

Comments are closed.