ନୋଏଡା : ସ୍ବାମୀଙ୍କ ଅନୈତିକ ସମ୍ପର୍କର ପ୍ରମାଣ ସଂଗ୍ରହ କରୁଥିବା ବେଳେ ଖୋଦ୍ ସ୍ବାମୀଙ୍କ ପ୍ରେମିକାଙ୍କ ଗାଡି ଧକ୍କାରେ ଜଣେ ମହିଳା ଆହତ ହୋଇଛନ୍ତି । ଏନେଇ ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି ।
ଘଟଣାଟି ଏହିପରି , ୨୦୧୭ରେ ନୂଆଦିଲ୍ଲୀ ସେକ୍ଟର-୭୫ରେ ରହୁଥିବା ଜଣେ କର୍ମଜୀବୀ ମହିଳା ସେକ୍ଟର ୧୨୬ରେ ରହୁଥିବା ଜଣେ ସପ୍ଟୱେୟର ଇଞ୍ଜିନିୟଙ୍କୁ ବିବାହ କରିଥିଲେ । କିଛି ଦିନ ଉଭୟଙ୍କ ମଧ୍ୟରେ ଭଲ ସମ୍ପର୍କ ରହିବା ପରେ କେତେକ କାରଣ ହେତୁ ମହିଳା ଜଣଙ୍କ ତାଙ୍କ ସ୍ବାମୀଙ୍କୁ ସନ୍ଦେହ କରିବା ଆରମ୍ଭ କରିଥିଲେ । ଚଳିତ ଜୁଲାଇ ୧୫ ତାରିଖରେ ମହିଳା ଜଣଙ୍କ ଜାଣିବାକୁ ପାଇଥିଲେ ଯେ ତାଙ୍କ ସ୍ବାମୀ ପ୍ରେମିକା ଗାଡିରେ ବୁଲୁଛନ୍ତି । ଏହା ଜାଣିବା ପରେ ତୁରନ୍ତ ମହିଳା ଜଣକ ସେଠାରେ ପହଞ୍ଚି ଯାଇଥିଲେ । ସେଠାରେ ପହଞ୍ଚି ତାଙ୍କ ସ୍ବାମୀଙ୍କୁ ଫୋନ୍ କରିଥିଲେ । ହେଲେ ତାଙ୍କ ସ୍ବାମୀ ଫୋନ ରିସିଭ୍ କରିନଥିଲେ । ସାମ୍ନାରେ ତାଙ୍କ ସ୍ବାମୀ ଓ ପ୍ରେମିକାକୁ ଦେଖି ପ୍ରମାଣ ସଂଗ୍ରହ କରିବାକୁ ଫଟୋ ଏବଂ ଭିଡିଓ କରିବା ପାଇଁ ମହିଳା ଜଣଙ୍କ ଉକ୍ତ ଗାଡି ସମ୍ମୁଖକୁ ଚାଲି ଯାଇଥିଲେ । ଏହା ଦେଖି ତାଙ୍କ ସ୍ବାମୀଙ୍କ ପ୍ରେମିକା ତୁରନ୍ତ ଗାଡି ଚଳାଇବା ଆରମ୍ଭ କରିଥିଲେ ଏବଂ ଉକ୍ତ ମହିଳାଙ୍କୁ ଧକ୍କା ଦେଇ ସେଠାରୁ ପଳାଇ ଯାଇଥିଲେ । ଆହତ ଅବସ୍ଥାରେ ମହିଳା ଜଣଙ୍କ ସେକ୍ଟର-୪୯ ଥାନାରେ ପହଞ୍ଚି ତାଙ୍କ ସ୍ବାମୀ ଓ ପ୍ରେମିକା ଉଭୟଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ପୁଲିସ ଏହି ଘଟଣାରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ସ୍ବାମୀ ଓ ତାଙ୍କ ପ୍ରେମିକାକୁ ପଚରାଉଚରା କରିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କହିଛି ।



