ବାଜପେୟୀ-ଆଡ଼ଭାନୀଙ୍କ ମୂଳଦୂଆ ଉପରେ ମୋଦୀ-ଶାହାଙ୍କ ଅଟ୍ଟାଳିକା

ବିହାର ବିଧାନସଭା ନିର୍ବାଚନରେ ବିଜେପି ଓ ଏନଡ଼ିଏ ନୀତିଶକୁମାରଙ୍କୁ ସମ୍ମୁଖରେ ରଖି ବିଜୟୀ ହେବା ଓ କ୍ଷମତା ଦଖଲ କରିବା ଏକ ଛୋଟ ପ୍ରସଙ୍ଗ ନୁହେଁ । ଶକ୍ତିଶାଳୀ ଆରଜେଡ଼ି ନେତୃତ୍ବାଧୀନ ମହାଗଠବନ୍ଧନକୁ ପରାଜିତ କରି ସବୁ ପ୍ରତିକୂଳ ପରିସ୍ଥିତିରେ ସରକାରକୁ ଫେରିବା ମୋଦୀ-ଶାହା ଯୋଡ଼ି ଯେଉଁ ସଫଳତା ହାସଲ କରିଛନ୍ତି ତାହା ଅନନ୍ୟ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମନେ କରୁଛନ୍ତି । ଏପରିକି ବର୍ଷକ ତଳେ ସମ୍ପୂର୍ଣ୍ଣ ନକରାତ୍ମକ ପରିବେଶରେ ତୃଣମୂଳ ସରକାର ଶାସିତ ରାଜ୍ୟରେ ୪୨ଟି ଲୋକସଭା ଆସନରୁ ୧୮ଟିରେ ବିଜୟୀ ହେବା ଓ ୧୩୦ରୁ ଅଧିକ ବିଧାନସଭା ଆସନରେ ଅଗ୍ରଣୀ ରହିବା ମଧ୍ୟ ଛୋଟିଆ କଥା ନୁହେଁ । ଗତ ୬ ବର୍ଷ ଧରି ଦେଶରେ ମୋଦୀଙ୍କ ନେତୃତ୍ବ ଓ ଶାହାଙ୍କ ନିର୍ବାଚନ ପରିଚାଳନା ବିଜେପିକୁ ଯେଉଁ ଅଭୂତପୂର୍ବ ସଫଳତା ଦେଇଛି ତାହା ଅନେକଙ୍କ ବାଜପେୟୀ ଓ ଆଡ଼ଭାଣୀଙ୍କ ଯୋଡ଼ି ପ୍ରସଙ୍ଗକୁ ସ୍ମରଣ କରାଇ ଦେଇଛି । ବାଜପେୟୀ-ଆଡ଼ଭାଣୀ ଦଳ ପାଇଁ ଯେଉଁ ମହଲର ମୂଳଦୁଆ ପୋତିଥିଲେ ମୋଦୀ-ଶାହା ଯୋଡ଼ି ତାହା ଉପରେ ଏକ ବିଶାଳ ଅଟ୍ଟାଳିକା ଗଢ଼ି ପାରିଛନ୍ତି ବୋଲି ଅନେକ ରାଜନୈତିକ ପର୍ଯ୍ୟବେକ୍ଷକ ମତ ଦେଇଛନ୍ତି ।

ବିଶେଷ ଭାବରେ ମଧ୍ୟପ୍ରଦେଶ ଓ କର୍ଣାଟକରେ ପରାଜୟରୁ ବି ଦଳ ସରକାର ଗଠନ କରିବାର ସାମର୍ଥ୍ୟ ହାସଲ କରିବା ପଛରେ ଏହି ଦୁଇ ନେତାଙ୍କ ଅବଦାନ କିଛି କମ୍ ନୁହେଁ । କର୍ଣ୍ଣାଟକର କୁମାରସ୍ବାମୀ ସରକାରର ପତନ ଓ ମଧ୍ୟପ୍ରଦେଶରେ କମଳନାଥ ସରକାରକୁ ବାହାର ରାସ୍ତା ଦେଖାଇ ପୁଣିଥରେ ଯଥାକ୍ରମେ ୟେଦୁରପ୍ପା ଓ ଶିବରାଜସିଂହ ଚୌହ୍ବାନଙ୍କୁ କ୍ଷମତାକୁ ଫେରାି ଆଣିବା କିଛି ଚମତ୍କାରଠାରୁ କମ ନୁହେଁ ବୋଲି କୁହାଯାଇପାରେ । ଆଉ ମୋଦୀ-ଶାହାଙ୍କ ଏହି ଚମତ୍କାରିତାକୁ ବିନୟ ସୀତାପତି ନାମକ ଜଣେ ସମୀକ୍ଷକ ‘ହିନ୍ଦୁ-ଗ୍ଲୁ’ ବା ହିନ୍ଦୁତ୍ବ ଅଠା ବୋଲି ଉଲ୍ଲେଖ କରିଛନ୍ତି । ଏହାହିଁ ବିଜେପିକୁ ଅନ୍ୟ ରାଜନୈତିକ ଦଳଠାରୁ ପୃଥକ କରି ରଖିଛି ଓ ବିଜୟୀ ହେବାରେ ସହାୟକ ହୋଇଛି ବୋଲି ସୀତାପତି କହିଛନ୍ତି । ଦେଶରେ ଏକ ସମୟରେ ବାଜପେୟୀ ଓ ଲାଲକୃଷ୍ଣ ଆଡ଼ଭାନୀଙ୍କ ମଧ୍ୟରେ ଯେଉଁ ନିସ୍ବାର୍ଥପର ଯୁଗଳବନ୍ଦୀ ଗଢ଼ି ଉଠିଥିଲା ତାହାକୁ ମୋଦୀ-ଶାହା ଆଗକୁ ବଢ଼ାଇଛନ୍ତି ବୋଲି ଯଦିଓ କୁହାଯାଇ ପାରିବ ନାହିଁ ତେବେ ମୋଦୀ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଦେଶରେ ହିନ୍ଦୁ ଜାତୀୟତାବାଦର ମଞ୍ଜି ବୁଣା ସରିଥିଲା ଏବଂ ଏବେ ଏହାର ଅଙ୍କୁରୋଦଗମ ପରେ ମୋଦୀ-ଶାହା ସେଥିରେ କେବଳ ଜଳ ସିଞ୍ଚନ କରିଛନ୍ତି ମାତ୍ର ।

ବିଂଶ ଶତାବ୍ଦୀର ପ୍ରାରମ୍ଭରେ ୧୯୯୮-୨୦୦୪ ମସିହା ପର୍ଯ୍ୟନ୍ତ ଦେଶରେ ବିଜେପି ଶାସନରେ ଥିଲା । ଅଟଳବିହାରୀ ବାଜପେୟୀ ଏହି ସମୟରେ ୩ଥର ପ୍ରଧାନମନ୍ତ୍ରୀ ହୋଇଥିଲେ । ପ୍ରଥମ ଥର ୧୩ ଦିନ, ଦ୍ବିତୀୟ ଥର ୧୩ ମାସ ଓ ତୃତୀୟ ଥର ପୂର୍ଣ ୫ ବର୍ଷ । ଏହି ସମୟରେ ଦେଶକୁ ଏକ ନୂଆ ଦିଶା ଦେବା ଲାଗି ବାଜପେୟୀ ଉଦ୍ୟମ କରିଥିଲେ । ଦେଶର ସାର୍ବଙ୍ଗୀନ ଉନ୍ନତି ନିମନ୍ତେ ନକ୍ସା ପ୍ରସ୍ତୁତ କରିଥିଲେ । ଏବେ ବିଜେପି ସେହି ନକ୍ସାକୁ କେବଳ କାର୍ଯ୍ୟକ୍ଷମ କରିବାକୁ ଯାଉଛି । ଆଉ ଏହି ନକ୍ସା କାର୍ଯ୍ୟକ୍ଷମ ନିମନ୍ତେ ଦାୟିତ୍ବ ନେଇଥିବା ନରେନ୍ଦ୍ରଭାଇ ଦାମୋଦର ଦାସ ମୋଦୀ ହିଁ ନିଜର ସହଯୋଗୀ ଭାବରେ ବାଛିଛନ୍ତି ଅମିତ୍ ଅନୀଲ ଚନ୍ଦ୍ର ଶାହାଙ୍କୁ । ଶ୍ରୀ ଶାହା ପୂର୍ବରୁ ଗୁଜରାଟରେ ମୋଦୀଙ୍କ ସହଯୋଗୀ ଥିଲେ, ଆଉ ଏବେ ଦେଶ ଶାସନରେ ମଧ୍ୟ ତାଙ୍କୁ ସହଯୋଗୀ ମନୋନୀତ କରିଛନ୍ତି ଶ୍ରୀ ମୋଦୀ ।

prayash

ରେଡ଼ିଫ୍ ଡ଼ଟ୍ କମକୁ ଏକ ସାକ୍ଷାତକାରରେ ସୀତାପତି କହିଛନ୍ତି ଯେ ବାଜପେୟୀ ଥିଲେ ଧର୍ମନିରପେକ୍ଷ ଉଦାରବାଦୀ ଓ ଆଡ଼ଭାନୀ ଥିଲେ କଠୋରପନ୍ଥୀ । ଉଭୟଙ୍କ ମଧ୍ୟରେ ଅତି ମଧୁର ଘନିଷ୍ଠତା ଥିଲା, ପରସ୍ପର ବିରୋଧାତ୍ମକ ଚିନ୍ତାଧାରାରେ ବିଶ୍ବାସ କରୁଥିଲେ ହେଁ କେହି କାହାକୁ ପରିବର୍ତନ କରିବାକୁ ଚେଷ୍ଟା କରୁ ନ ଥିଲେ ଓ ପରସ୍ପରକୁ ସହ୍ୟ କରିବାର ଏକ ଅଦ୍ଭୁତ ଶକ୍ତି ଉଭୟଙ୍କର ରହିଥିଲା । ଉଭୟ ନିଜନିଜ ଭୂମିକାରେ ଅଭିନୟ କରୁଥିଲେ । ମୋଦୀ-ଶାହାଙ୍କୁ ମଧ୍ୟ ଅନୁରୂପ ଭାବରେ ତୁଳନା କରାଯାଇ ପାରେ । ଜଣେ କିଛିଟା ଉଦାରବାଦୀ ଓ ଅନ୍ୟଜଣେ କିଛିଟା କଠୋରପନ୍ଥୀ ବୋଲି ଶ୍ରୀ ସୀତାପତି କହିଛନ୍ତି ।

ଭାରତୀୟ ରାଜନୀତିରେ ଯୁଗଳବନ୍ଦୀ ଯେ ନୂଆ ତାହା ନୁହେଁ । ଏକଦା ମହାତ୍ମା ଗାନ୍ଧୀ ଓ ଜବାହରଲାଲ ନେହେରୁଙ୍କ ମଧ୍ୟରେ ଥିଲା ପ୍ରଗାଢ଼ ନିବିଡ଼ତା । ଏହାକୁ ଯୁଗଳବନ୍ଦୀ ଭାବରେ ଉଲ୍ଲେଖ କରାଯାଉଥିଲା । ସୋନିଆ ଗାନ୍ଧୀ ଓ ମନମୋହନ ସିଂହଙ୍କ ମଧ୍ୟରେ ମଧ୍ୟ ରାଜନୈତିକ ନିବିଡ଼ତା ରହିଥିଲା । ଜୟଲଳିତା-ଶଶିକଳାଙ୍କ ଯୁଗଳବନ୍ଦୀ ଓ ଏକଦା ମୁଲାୟମ ସିଂହ ଯାଦବ- ଅମର ସିଂହଙ୍କ ଘନିଷ୍ଠ ଯୁଗଳବନ୍ଦୀ ବେଶୀ ପୁରୁଣା କଥା ନୁହେଁ ।

୧୯୬୮ ମସିହାରେ ଦିନଦୟାଲ ଉପାଧ୍ୟାୟଙ୍କ ହତ୍ୟା ପରେ ବଳରାଜ ମାଧୋଙ୍କୁ ଅତିକ୍ରମ କରି ବାଜପେୟୀ ଶୀର୍ଷସ୍ଥାନକୁ ଉନ୍ନୀତ ହୋଇଥିଲେ । ୧୯୬୮ରୁ ୧୯୮୬ ମସିହା ପର୍ଯ୍ୟନ୍ତ ଦଳ ସମ୍ପୂର୍ଣ୍ଣ ରୂପେ ତାଙ୍କ ନିୟନ୍ତ୍ରଣରେ ରହିଥିଲା । ବାଜପେୟୀଙ୍କର  ଏକ ଧର୍ମନିରପେକ୍ଷ ସମାଜବାଦୀ ଭାବମୂର୍ତି ଥିଲା ଏବଂ ତାହା ଦଳକୁ ଆଗକୁ ବଢ଼ାଇବାରେ ସହାୟକ ହୋଇଥିଲା । ଏହି ସମୟରେ ଲାଲକୃଷ୍ଣ ଆଡ଼ଭାନୀଙ୍କ ସହ ତାଙ୍କର ଘନିଷ୍ଠତା ଓ ଉଭୟଙ୍କ ଯୁଗଳବନ୍ଦୀ ଦେଶରେ ଦଳକୁ ଆଗକୁ ବଢ଼ାଇବାରେ ସହାୟକ ହୋଇଥିଲା ।

ଅନୁରୂପ ଭାବରେ ରାଜନୀତିରେ ସବୁବେଳେ ଯୁଗଳ ଶକ୍ତି ସଫଳ ହୋଇ ଆସିଛି । ବାଜପେୟୀ-ଆଡ଼ଭାନୀଙ୍କ ପରି ମୋଦୀ-ଶାହାଙ୍କ ଯୋଡ଼ି ମଧ୍ୟ ସଫଳତା ପାଇଛନ୍ତି । ଯେପରି ଯୁଦ୍ଧ ସମୟରେ ଦ୍ଵୈତ ଇଞ୍ଜିନ (ଡ଼ବଲ ଇଞ୍ଜିନ) ବିଶିଷ୍ଟ ଲଢ଼ୁଆ ଯୁଦ୍ଧ ଜାହାଜ ଅସଫଳ ହୁଏ ନାହିଁ, ସେପରି ଯେତେବେଳେ ଯେଉଁ ଦଳରେ ଦୁଇଜଣ ଏକ ସମୟରେ ଦଳକୁ ନେତୃତ୍ବ ଦେଇଥାଆନ୍ତି ଓ ବିନା ସର୍ତରେ ପରସ୍ପରକୁ ସମର୍ଥନ ଦିଅନ୍ତି ସେଠାରେ ସଫଳତା ମିଳିବା ଅବଶ୍ୟମ୍ଭାବୀ ।

Comments are closed.