ମଣିଷ ବଞ୍ଚିବ ନା ବାଘ?

କିଛିଦିନ ହେଲା ସୁନାବେଢ଼ା ଅଭୟାରଣ୍ୟରେ ବାଘ ମାତିଛନ୍ତି। ଆମେ ଭାରତୀୟ ଚିତାବାଘକୁ ବାଘ ବୋଲି ଆଖ୍ୟା ଦେଇଥାଉଁ। ଓଡ଼ିଶାରେ ଏହାକୁ କଲରାପତରିଆ ବାଘ ବୋଲି ବୋଲାଯାଏ। କିନ୍ତୁ କଲାରାପତରିଆ ବାଘ ଏକ କନିଷ୍ଠ ବାଘ ଯାହାର ଚରିତ୍ର ବରିଷ୍ଠ ମହାବଳ ବାଘଠାରୁ ଭିନ୍ନ। ମହାବଳ ବାଘ ମୁଖ୍ୟତଃ ଦିନରେ ଆକ୍ରମଣ କରିଥାଏ, କିନ୍ତୁ କଲରାପତରିଆ ବାଘ ବା ଚିତାବାଘ ଦିନ ଏବଂ ରାତିରେ ଆକ୍ରମଣ କରେ ଏବଂ ଚୌରବୃତ୍ତି ଏହାର ସ୍ୱଭାବ। ରାତିରେ ମଣିଷ ଗୁହାଳରେ ପଶି ଜନ୍ତୁ ମାରିବା ଘଟଣା ଅନେକ ରହିଛି।
ଉଦ୍‍ବେଗର ବିଷୟ ହେଉଛି ଗତମାସ ୩୦ ତାରିଖରେ ଭରୁଆମୁଣ୍ଡା ପଞ୍ଚାୟତ କଟିଙ୍ଗପାଣି ଗାଁର ଗୌଧସପଡାର ହୁମର ଧାରୁଆଙ୍କ ପୁଅ ଡମ୍ବରୁ (୭) ଦିନବେଳେ ସାଙ୍ଗଙ୍କ ସହ ଗାଁ ଦାଣ୍ଡରେ ଖେଳୁଥିବା ସମୟରେ କଲରାପତରିଆ ବାଘ ଟାଣି ନେଇଥିଲା। ଗ୍ରାମବାସୀ ଡମ୍ବରକୁ ଉଦ୍ଧାର କରିଥିଲେ ମଧ୍ୟ ତା ଜୀବନ ଚାଲିଯାଇଥିଲା। ପରେ ପରେ ସନ୍ଧ୍ୟାରେ ସଦର ରେଞ୍ଜ ଧରମବନ୍ଧା ଥାନା ସିଲିଆରିବାହାରର ପୂର୍ବତନ ୱାର୍ଡମେମ୍ବର ରାମେଶ୍ୱରୀ ମାଝି (୫୦) ସନ୍ଧ୍ୟାରେ ଗାଁ ମୁଣ୍ଡକୁ ଶୌଚପାଇଁ ଯାଇଥିଲେ, ହେଲେ ସେ ଘରକୁ ଫେରି ନଥିଲେ। ରାତିରେ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ମିଳି ନଥିଲା। ତହିଁ ପରଦିନ ସକାଳୁ ନିକଟସ୍ଥ ଆମକୋନା ଜଙ୍ଗଲରେ ଗ୍ରାମବାସୀ ଖୋଜାଖୋଜି କରିବା ବେଳେ ଏକ ପଥର ଚଟାଣରେ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତ ଦେହ ଠାବ କରିଥିଲେ। ବାଘଟି ମୃତ ଦେହକୁ ଖାଉଥିବା ଦେଖି ଗ୍ରାମବାସୀ ଠେଙ୍ଗାବାଡ଼ି କଟୁରି ଟାଙ୍ଗିଆ ଧରି ବାଣ ଫୁଟାଇ ବାଘକୁ ଘଉଡ଼ାଇଥିଲେ। କିଛି ସମୟ ବାଘ ଓ ଉଦ୍ଧାରକାରୀ ଦଳ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। ସେଠାରେ ମହିଳାଙ୍କ ମୁଣ୍ଡ ଓ ଗଣ୍ଡି ପ୍ରାୟ ୨୦ ଫୁଟ ଦୂରରେ ପଡିଥିଲା। ଅନ୍ତବୁଜୁଳା, କଲିଜା ଅନ୍ୟତ୍ର ଛିଟିକି ପଡିଥିଲା। ପୁନଶ୍ଚ ସନ୍ଧ୍ୟା ସମୟରେ ବାଘ କୋଦପାଲି ଗାଁକୁ ପଶି ଯାଇଥିଲା। ଗ୍ରାମର ବାଳକରାମ ବରିହାଙ୍କ ଘର ଅଗଣାରୁ ପରିବାର ଲୋକଙ୍କ ଉପସ୍ଥିତିରେ ପୁଅ ନୀଳକଣ୍ଠ ବରିହା(୮)ର ମୁଣ୍ଡକୁ ଧରି ଟାଣି ନେଇଥିଲା। ପରିବାର ଲୋକ ଓ ଗ୍ରାମବାସୀ ହୋହଲ୍ଲା କରିବା ସହ ଠେଙ୍ଗାବାଡ଼ି ଆଦି ଧରି ବାଘକୁ ଘଉଡାଇଥିଲେ ଏବଂ ଶିଶୁକୁ ବାଘ ମୁହଁରୁ ଉଦ୍ଧାର କରିଥିଲେ। ଶିଶୁଟି ଗୁରୁତର ଆହତ ହୋଇଛି। ତା’ଗଳା, କାନ, ମୁଣ୍ଡ ଓ କାନ୍ଧରେ ବାଘର ନଖ ଲାଗି ଗଭୀର କ୍ଷତ ହୋଇଛି। ସେ ବଞ୍ଚିବ କି ମରିବ କହି ହେଉନାହିଁ। ଆଶ୍ୱସ୍ତିର ବିଷୟ ଯେ ବନବିଭାଗ କର୍ମଚାରୀ ଜାଲ ବିଛାଇ ଯନ୍ତାରେ ବାଘକୁ ଧରିଛନ୍ତି। ଏହା ଏକ ଅଣ୍ଡିରା ଚିତା ଆଉ ଗୋଟିଏ ଚିତା, ସମ୍ଭବତଃ ମାଈଚିତା ତା ପୁରୁଷ ସାଥୀକୁ ଖୋଜିବା ପାଇଁ ପଇଁତରା ମାରୁଥିବାର ଲୋକେ ଦେଖିଛନ୍ତି ଏବଂ ତାହା ସତ୍ୟ ବୋଲି ଜଣାଯାଏ। ଯନ୍ତାରେ ପଡ଼ିଥିବା ବାଘକୁ ମାରି ଦେବାକୁ ଗାଁ ଲୋକେ ଦାବି କରିଛନ୍ତି। କିନ୍ତୁ ବନ କର୍ତ୍ତୃପକ୍ଷ ଏହାକୁ ଅନ୍ୟ ଏକ ଜଙ୍ଗଲରେ ଛାଡ଼ି ଦେବାକୁ ଚିନ୍ତା କରୁଛନ୍ତି।
ପ୍ରଶ୍ନ ଉଠୁଛି, ଦୁଇଟିଯାକ ବାଘ ମଣିଷ ମାରି ତା ରକ୍ତ ଶୋଷିଛନ୍ତି ଓ ମାଂସ ଖାଇଛନ୍ତି। ମଣିଷ ବାଘର ପ୍ରାକୃତିକ ଆହାର ନୁହେଁ। ଜଙ୍ଗଲକ୍ଷୟ ପରିସ୍ଥିତି ଓ ଖାଦ୍ୟାଭାବ ଚାପରେ ବାଘ ଗାଁ ମୁହାଁ ହୋଇଥାଏ। ଜଙ୍ଗଲକୁ ଅଭୟାରଣ୍ୟ ନାମକରଣ କଲେ ମଧ୍ୟ ନିବିଡ଼ ଘଞ୍ଚ ଅରଣ୍ୟ ଆଉ ନାହିଁ। ବାଘ ଏକ ଆମିଷାଶୀ ଜୀବ। କୁଟ୍ରା, ମିରିଗ, ଠେକୁଆ, ଝିଙ୍କ, ବାର୍‍ହା ଆଦି ଜୀବଙ୍କୁ ଶିକାର କରି ଖାଇ ବଞ୍ଚିବା ତା ଜୀବନ ଧର୍ମ। ପ୍ରାକୃତିକ ଖାଦ୍ୟ ନ ମିଳିଲେ ସେ ପୋଖରୀରେ ପଶି ବେଙ୍ଗ, ମାଛ, କଙ୍କଡ଼ା ଖାଉଥିବାର ନଜିର ରହିଛି। ମଣିଷକୁ ସେ ଶିକାର କରେ ନାହିଁ। ତା’ର ପ୍ରାକୃତିକ ଖାଦ୍ୟ ନ ମିଳିଲେ ସେ ବାଧ୍ୟ ହୋଇ ମଣିଷକୁ ଆକ୍ରମଣ କରେ ଓ ତାର ମାଂସ ଖାଏ। ତାଟି କବାଟ ଭାଙ୍ଗି ଛେଳି, ମେଣ୍ଢା, ଗାଈ ବାଛୁରୀ ମାରି ଖାଇବା ଅପେକ୍ଷା ମଣିଷ ସହଜଲବ୍ଧ ଆହାର ହୋଇଥାଏ ତା’ର। ମଣିଷ ମାଂସ କୁଆଡ଼େ ଭାରି ସ୍ୱାଦିଷ୍ଟ। ଥରେ ମଣିଷ ମାଂସ ମୁହଁରେ ଦେଲେ ସେଇ ମିଠା ତାକୁ ଆଉ ଅନ୍ୟଠି ମିଳେ ନାହିଁ। ତା’ର ପ୍ରକୃତି ବଦଳି ଯାଏ, ତା’ର ମତିଭ୍ରମ ହୋଇଯାଏ। ଦିନ ହେଉ ବା ରାତି ମନୁଷ୍ୟ ହିଁ ତା’ର ଲକ୍ଷ୍ୟ। ଯନ୍ତାରେ ପଡିଥିବା ବାଘକୁ ଅନ୍ୟ ଯେକୌଣସି ଜଙ୍ଗଲରେ ଛାଡ଼ିଲେ ମଧ୍ୟ, ସେ ଯେ ମଣିଷ ଆଉ ମାରିବ ନାହିଁ, କିଏ ଗ୍ୟାରେଣ୍ଟି ଦେଇପାରିବ?
ହାତୀ ଭଳି ବାଘ ସଂଘବଦ୍ଧ ଜୀବନଯାପନ କରେନାହିଁ। ଆଇନ ଅନୁଯାୟୀ ସରକାର ଅର୍ଥ ଆକାରରେ ଦୁର୍ଗତ ପରିବାରକୁ ଆର୍ଥିକ କ୍ଷତିପୂରଣ ଘୋଷଣା କରିଛନ୍ତି। କିନ୍ତୁ ଯାହା କଲେ ମଧ୍ୟ ଦୁର୍ମୂଲ୍ୟ ଜୀବନ କ’ଣ ଆଉ ଫେରିଆସିବ? ମଣିଷ ମଣିଷକୁ ମାରିଲେ ମୃତ୍ୟୁଦଣ୍ଡ ହୋଇଥାଏ। କିନ୍ତୁ ପଶୁ ମଣିଷକୁ ମାରିଲେ ତା ପାଇଁ ଦଣ୍ଡ? ଗ୍ରାମବାସୀଙ୍କ ଧରାଯାଇଥିବା ବାଘକୁ ମାରିଦେବା ଦାବି ଭିତ୍ତିହୀନ ନୁହେଁ। ମଣିଷ ବଞ୍ଚିବ ନା ବାଘ- ସେମାନଙ୍କ ଯୁକ୍ତି। ଦିନ ଥିଲା, ଜଙ୍ଗଲରେ ବାଘ ହାଉଯାଉ ହେଉଥିଲେ। ବର୍ତ୍ତମାନ ପରିସ୍ଥିତି ଭିନ୍ନ। ଦେଶ କ୍ରମଶଃ ଜନବହୁଳ ଓ ବନବିରଳ ହୋଇଆସୁଛି। ପ୍ରକୃତିର ଧାରା ବଦଳିଛି। ଜଳବାୟୁ ପରିବର୍ତ୍ତନ ଓ ପରିବେଶ ଅସନ୍ତୁଳନ ଗୁରୁତର ସମସ୍ୟା ଭାବେ ଉପସ୍ଥିତ ହୋଇଛି। ଏହା ପୃଥିବୀର ମାନବ ସମାଜ ପାଇଁ ଏକ ବିରାଟ ଆହ୍ୱାନ। ବନ୍ୟପ୍ରାଣୀ ବର୍ତ୍ତମାନ କ୍ଷୟିଷ୍ଣୁ ଓ କେତେ ଜୀବ ଧରାପୃଷ୍ଠରୁ ଲୋପପାଇ ଗଲେଣି, ଆଉ କେତେ ବିରଳରୁ ବିରଳତର। ସୁନାବେଢ଼ା ଅଭୟାରଣ୍ୟରେ ବିଶେଷଜ୍ଞଙ୍କ ମତରେ କଲରାପତରିଆ ବାଘ ସଂଖ୍ୟା ତିରିଶ। ସେଠି ବାଘଗଣନା ଚାଲିଛି। ପ୍ରକୃତ ଚିତ୍ର ଜଣାପଡିବ ଚୂଡ଼ାନ୍ତ ରିପୋର୍ଟ, ପ୍ରକୃତ ତଥ୍ୟ ଆସିବା ପର୍ଯ୍ୟନ୍ତ। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ମଣିଷଖିଆ ପାଗଳ ବାଘକୁ ଅନ୍ୟ ଜଙ୍ଗଲରେ ଛାଡ଼ିବା ଅନୁଚିତ। ତାକୁ ମୃତ୍ୟୁଦଣ୍ଡ ନ ଦେଇ ଆଜୀବନ କାରାଦଣ୍ଡ ସ୍ୱରୂପ ଚିଡ଼ିଆଖାନାରେ ରଖାଯିବା ନିହାତି ଆବଶ୍ୟକ ମନେହୁଏ। ପାଗଳ ହିଂସ୍ର ଜନ୍ତୁଙ୍କ ପାଇଁ ଚିଡ଼ିଆଖାନା ହିଁ ଏକମାତ୍ର ବିକଳ୍ପ।

 

ରାଧାମୋହନ ମହାପାତ୍ର
ଅବସରପ୍ରାପ୍ତ ସେଲ୍‌ଟ୍ୟାକ୍ସ କମିସନର
ଦୂରଭାଷ:୯୮୬୧୧୮୯୯୩୬

 

 

Comments are closed.