nua o banner

ଟ୍ବେଣ୍ଟି୨୦ ଚୂଡ଼ାନ୍ତ ଏକାଦଶକୁ ନେଇ ଚିନ୍ତାରେ କୋହଲି !

BJD Bijuli 480×75 Mob
0

ଧର୍ମଶାଳା : ଭାରତୀୟ ଦଳ ଖେଳୁଥିବା ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଚୂଡ଼ାନ୍ତ ଏକାଦଶରେ କିଏ ଖେଳିବ କିଏ ବାଦ୍‌ ପଡ଼ିବ ତାହାକୁ ନେଇ ଅଧିନାୟକ ବିରାଟ କୋହଲିଙ୍କ ଚିନ୍ତା ବଢ଼ି ଯାଇଥିବା ଚର୍ଚ୍ଚା ହେଉଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟ୍ବେଣ୍ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ବର୍ଷାରେ ଧୋଇ ହୋଇଯାଇଛି। ଏହି ସିରିଜ୍‌ର ବାକି ଦୁଇଟି ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଚୂଡାନ୍ତ ଏକାଦଶରେ କାହାକୁ ସାମିଲ କରିବେ ସେ ନେଇ କୋହଲି କିଛିଟା ଚିନ୍ତିତ ଥିବା ଆଲୋଚନା ହେଉଛି। ବିଶେଷ କରି ଆସନ୍ତା ବର୍ଷ ଟ୍ବେଣ୍ଟି୨୦ ବିଶ୍ବକପ୍ ଆୟୋଜିତ ହେବାକୁ ଥିବାରୁ ଏଥିପାଇଁ ବର୍ତ୍ତମାନ ଠାରୁ ଦଳକୁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ଅଛନ୍ତି କୋହଲି। ଅଧିକରୁ ଅଧିକ ଯୁବ ଖେଳାଳିଙ୍କୁ ଦଳରେ ସୁଯୋଗ ଦେଇ ସେମାନଙ୍କ ଦକ୍ଷତା ପରଖିବାକୁ ଚାହୁଁଛନ୍ତି କୋହଲି।
ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳ ତରଫରୁ ରୋହିତ ଶର୍ମା ବ୍ୟାଟିଂ ଓପନ୍‌ କରିବା ନିଶ୍ଚିତ। ତେବେ ତାଙ୍କ ସହ ସବୁ ମ୍ୟାଚ୍‌ରେ ଶିଖର ଧାୱନ୍‌ ବ୍ୟାଟିଂ ଓପନ୍‌ କରିବେ ବୋଲି ନିଶ୍ଚିତତା ନାହିଁ। ଟେଷ୍ଟ ଦଳରୁ ବାଦ୍ ପଡ଼ିବା ପରେ ଧାୱନ୍‌ଙ୍କ ଫର୍ମ ଉପରେ ଦଳୀୟ ମ୍ୟାନେଜମେଣ୍ଟର ନଜର ରହିଛି। ବିଶ୍ବକପ୍‌ ଖେଳୁଥିବା ବେଳେ ଆଘାତପ୍ରାପ୍ତ ହୋଇଥିଲେ ଧାୱନ୍‌। ଏହାପରେ ସେ ୱେଷ୍ଟଇଣ୍ଡିଜ ବିପକ୍ଷ ୩ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ। ଧାୱନ୍‌ ଯଦି ସଫଳ ନ ହୁଅନ୍ତି ତେବେ କେଏଲ୍‌ ରାହୁଲ କିମ୍ବା ଅନ୍ୟ ଯୁବ ଖେଳାଳିଙ୍କୁ ଓପନର୍‌ ଭାବେ ସୁଯୋଗ ମିଳିପାରେ।
ସେହିପରି ମଧ୍ୟଭାଗରେ ଶ୍ରେୟାସ୍‌ ଆୟାର ଓ ମନୀଷ ପାଣ୍ଡେଙ୍କ ମଧ୍ୟରୁ କାହାକୁ ଟ୍ବେଣ୍ଟି୨୦ ଦଳରେ ସାମିଲ କରାଯିବ ତାହାକୁ ନେଇ ଅନିଶ୍ଚିତତା ରହିଛି। ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଶ୍ରେୟାସ୍‌ ଆୟରଙ୍କ ଠାରୁ ମନୀଷ ପାଣ୍ଡେ ଅଧିକ ମ୍ୟାଚ୍‌ ଖେଳିଛନ୍ତି। ଟ୍ବେଣ୍ଟି୨୦ରେ ପନ୍ତ୍‌ ୪ନଂରେ ବ୍ୟାଟିଂ କରୁଥିବା ବେଳେ ଆୟାର ବର୍ତ୍ତମାନ ବେଶ୍‌ ଭଲ ଫର୍ମରେ ଥିବାରୁ ତାଙ୍କୁ ୪ନଂ ସ୍ଥାନରେ ବ୍ୟାଟିଂ କରିବାର ସୁଯୋଗ ମିଳିବା ନେଇ ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ମନୀଷ ପାଣ୍ଡେ ଆଶାନୁରୂପକ ପ୍ରଦର୍ଶନ କରୁନଥିବାରୁ ଆୟାରଙ୍କୁ ଅଧିକ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଖେଳିବା ସୁଯୋଗ ପ୍ରଦାନ କରିବାକୁ କେତେକ ମହଲରୁ ଦାବି ହେଉଛି।
ପନ୍ତ୍‌ ଜଣେ ବିସ୍ଫୋରକ ବ୍ୟାଟସମ୍ୟାନ୍‌ ଭାବେ ଜଣାଶୁଣା। ପନ୍ତ୍‌ ଆଗାମୀ ଦିନରେ ବରିଷ୍ଠ ୱିକେଟରକ୍ଷକ ମହେନ୍ଦ୍ର ସିଂହ ଧୋନିଙ୍କ ସ୍ଥାନ ନେବେ ବୋଲି ସମସ୍ତେ ଆଶା ରଖିଛନ୍ତି। ତାଙ୍କୁ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଅଧିକରୁ ଅଧିକ ମ୍ୟାଚ୍‌ ଖେଳିବାର ସୁଯୋଗ ମିଳୁଛି। ତେବେ ପନ୍ତ୍‌ ହାତଗଣତି କେତେକ ମ୍ୟାଚ୍‌କୁ ଛାଡ଼ି ଦେଲେ ଅଧିକାଂଶ ମ୍ୟାଚ୍‌ରେ ବେପରୁଆ ସଟ୍‌ ଖେଳି ଆଉଟ୍‌ ହେଉଥିବାରୁ କୋହଲିଙ୍କ ଚିନ୍ତା ବଢ଼ାଇ ଦେଇଛି। ପନ୍ତ୍‌ଙ୍କୁ ନିଜ ପ୍ରଦର୍ଶନରେ ଉନ୍ନତି ଆଣିବାକୁ ପଡ଼ିବ ବୋଲି କୋହଲି ସ୍ପଷ୍ଟ କରି ସାରିଛନ୍ତି।
ସେହିପରି ବରିଷ୍ଠ ୱିକେଟରକ୍ଷକ ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ଅନିଶ୍ଚିତତା ଲାଗି ରହିଛି। ଧୋନି ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ଖେଳିବେ କି ନାହିଁ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ଧୋନି ଏ ସଂପର୍କରେ ନିଜ ଆଡୁ କିଛି ସ୍ପଷ୍ଟ ନ କରିବା ମଧ୍ୟ କୋହଲିଙ୍କ ଚିନ୍ତା ବଢ଼ାଇ ଦେଇଛି।
ଅନ୍ୟପକ୍ଷରେ ଟ୍ବେଣ୍ଟି୨୦ ଦଳରେ ସ୍ପିନର ଭାବେ କାହାକୁ ସାମିଲ କରାଯିବ ତାହାକୁ ନେଇ ମଧ୍ୟ କୋହଲିଙ୍କ ଚିନ୍ତା ବଢ଼ିଯାଇଛି। କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ୍‌ ସ୍ପିନର ଭାବେ ସଫଳତା ପାଉଥିଲେ ମଧ୍ୟ ସେମାନଙ୍କ ବ୍ୟାଟିଂକୁ ନେଇ କୋହଲି ଅସନ୍ତୁଷ୍ଟ ଅଛନ୍ତି। ତେଣୁ ଯୁବ ସ୍ପିନର ରାହୁଲ ଚହର୍‌ ଏବଂ ୱାଶିଂଟନ ସୁନ୍ଦରଙ୍କୁ ନେଇ ପରୀକ୍ଷାନିରୀକ୍ଷା କରିବାକୁ କୋହଲି ମନ ବଳାଇଛନ୍ତି।
ଟ୍ବେଣ୍ଟି୨୦ ଫର୍ମାଟ୍‌ରେ ଭାରତୀୟ ଦଳର ପ୍ରମୁଖ ଦ୍ରୁତ ବୋଲର ଭାବେ ଯଶପ୍ରୀତ୍‌ ବୁମରା ରହିଛନ୍ତି। ତେବେ ତାଙ୍କ ସହ କେଉଁ ଦ୍ରୁତ ବୋଲରଙ୍କୁ ଚୂଡ଼ାନ୍ତ ଭାରତୀୟ ଏକାଦଶରେ ସାମିଲ କରାଯିବ ସେ ନେଇ କୋହଲି ଚିନ୍ତିତ ଅଛନ୍ତି। ଭୁବନେଶ୍ବର କୁମାର, ନବଦୀପ ସାଇନି ଚୂଡ଼ାନ୍ତ ଏକାଦଶରେ ସାମିଲ ହେବା ଦୌଡ଼ରେ ଥିବା ବେଳେ ଦୀପକ ଚହର୍‌ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ସଫଳତା ପାଇବେ କି ନାହିଁ ସେଥିନେଇ କୋହଲି ଅଙ୍କ କଷୁଛନ୍ତି। ସେହିପରି ଖଲିଲ୍‌ ଅହମ୍ମଦ ମଧ୍ୟ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବାକୁ ଅନାଇ ବସିଛନ୍ତି। ତେବେ ତାଙ୍କୁ ନିଜ ପ୍ରଦର୍ଶନରେ ଉନ୍ନତି ଆଣିବାକୁ ପଡ଼ିବ।
ଏସବୁ ପ୍ରସଙ୍ଗକୁ ଦୃଷ୍ଟିରେ ରଖି ଟ୍ବେଣ୍ଟି୨୦ ବିଶ୍ବକପ୍‌ ନିମନ୍ତେ ଏକ ଶକ୍ତିଶାଳୀ ଦଳ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଅଧିନାୟକ ବିରାଟ କୋହଲି ଓ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଲାଗି ପଡ଼ିଛନ୍ତି। ବିଶ୍ବକପ୍ ପୂର୍ବରୁ ଭାରତୀୟ ଦଳ ଖେଳିବାକୁ ଥିବା ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ପରୀକ୍ଷାନିରୀକ୍ଷା ଜାରି ରହିବା ସୁନିଶ୍ଚିତ।

Leave A Reply