ପଶ୍ଚିମବଙ୍ଗରେ ବଢୁଛି ସାମ୍ପ୍ରଦାୟିକ ହିଂସା ଘଟଣା

0

ଆସନସୋଲ : ପଶ୍ଚିମବଙ୍ଗରେ ୫ ବର୍ଷ ଧରି ସାମ୍ପ୍ରଦାୟିକ ହିଂସା ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଗତ ରାମ ନବମୀ ଶୋଭାଯାତ୍ରାରେ ଆସନସୋଲରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା । ସେଠାରେ ଦୁଇ ସମ୍ପ୍ରଦାୟର ଲୋକ ପରସ୍ପରକୁ ପଥର ମାଡ଼ କରିଥିଲା ବେଳେ କେତେକ ସ୍ଥାନରେ ବୋମା ମାଡ଼ ହୋଇଥିଲା । ଏବେ ଆସନସୋଲରେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ମାତ୍ର ୩ ଦିନର ହିଂସାକାଣ୍ଡରେ ଜିଲାର ଚାନ୍ଦମାରି, ରେଲପାର୍କ ଏବଂ ଶ୍ରୀନଗର ଅଞ୍ଚଳର ବହୁ ଗାଡ଼ି ଓ ଦୋକାନ ଭାଙ୍ଗାରୁଜା ଓ ପୋଡ଼ାଜଳାରେ କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି । ଏବେ ବି ଆସନସୋଲ ପୁଲିସ୍‌ ଛାଉଣୀ ମଧ୍ୟରେ ରହିଛି । ତେବେ ଅନୁଧ୍ୟାନ କଲେ ଜଣାପଡେ ଯେ ପଶ୍ଚିମବଙ୍ଗରେ ଗତ ୫ ବର୍ଷ ଧରି ସାମ୍ପ୍ରଦାୟିକ ହିଂସାକାଣ୍ଡ ବୃଦ୍ଧି ପାଇବାରେ ଲାଗିଛି । ୨୦୧୨ରେ ୪୫ଟି ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟିଥିବାବେଳେ ୨୦୧୩ରେ ୪୯ଟି, ୨୦୧୪ରେ ୪୦ଟି ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟିଥିଲା । ୨୦୧୫ରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ବଢି ୬୫, ୨୦୧୬ରେ ୬୯ ଓ ୨୦୧୭ରେ ଏହା ବୃଦ୍ଧି ପାଇ ୧୭୨ରେ ପହଞ୍ଚିଥିଲା। ଚଳିତ ଥର ହିଂସାକାଣ୍ଡରେ ୩ ଜଣ ଲୋକଙ୍କ ମୃତ୍ୟୁ ଘଟିଛି । ହିଂସାକାଣ୍ଡ ସମୟରେ ଆସନସୋଲରେ ପହଞ୍ଚିଥିବା ସାଂସଦ ବାବୁଲ ସୁପ୍ରିୟୋଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ କରାଯାଇଛି । ୨୦୧୯ ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ସାମ୍ପ୍ରଦାୟିକ ହିଂସାକାଣ୍ଡ ସେତିକି ବୃଦ୍ଧି ପାଉଛି ।

Leave A Reply