Patra electronics

ପ୍ରଥମ ଥର ମୁହଁ ଖୋଲିଲେ ହସିନା: ବିତାଡ଼ନ ପାଇଁ ଆମେରିକା ଦାୟୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ପଦରୁ ହଟିବା ଓ ବାଂଲାଦେଶରୁ ବିତାଡିତ ହେବା ଘଟଣାରେ ଶେଖ ହସିନା ପ୍ରଥମ କରି ମୁହଁ ଖୋଲିଛନ୍ତି। ନିଜର ଏଭଳି ପରିସ୍ଥିତି ପାଇଁ ହସିନା ଆମେରିକାକୁ ପ୍ରତ୍ୟକ୍ଷ ଭାବେ ଦାୟୀ କରିଛନ୍ତି। ହସିନା କହିଛନ୍ତି ଯେ ଆମେରିକା ତାଙ୍କ ପାଇଁ ଏପରି ସ୍ଥିତି ସୃଷ୍ଟି କରିଛି। ଆଉ ଏହାର କାରଣ ହେଉଛି ବଙ୍ଗୋପସାଗରର ସେଣ୍ଟ ମାର୍ଟିନ୍‌ ଦ୍ବୀପ। ବାଂଲାଦେଶ ଅଧିକୃତ ଏହି ଦ୍ବୀପକୁ ଆମେରିକା ନିଜ ଅକ୍ତିଆରକୁ ନେବାକୁ ଚେଷ୍ଟା କରିଥିଲା। ମାତ୍ର ଏଥିପାଇଁ ସେ ରାଜି ହୋଇ ନଥିଲେ। ସେଣ୍ଟ ମାର୍ଟିନ ଦ୍ବୀପକୁ ଯଦି ଆମେରିକା ହାତକୁ ଟେକି ଦେଇଥାନ୍ତେ ତେବେ ସେ କ୍ଷମତା ବଜାୟ ରଖିଥାନ୍ତେ। ଏହି ଅବସରରେ ଦେଶବାସୀଙ୍କୁ ମୌଳବାଦୀଙ୍କ ଦ୍ବାରା ପରିଚାଳିତ ନହେବାକୁ ହସିନା ନିବେଦନ କରିଛନ୍ତି। ହସିନା ଦେଶ ଛାଡିବା ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ କରିବା ଲାଗି କହିଥିଲେ। ମାତ୍ର ସେନା ତାଙ୍କୁ ଏଥିପାଇଁ ଅନୁମତି​‌ ଦେଇ ନଥିଲା। ହସିନା ଦେଶବାସୀଙ୍କୁ ଯାହା ସମ୍ବୋଧନ କରିବାକୁ ଚାହଁୁଥିଲେ ତାକୁ ଏବେ ସେ ପ୍ରକାଶ କରିଛନ୍ତି। ହସିନା କହିଛନ୍ତି ​‌େ​‌ଯ ଲୋକଙ୍କୁ ବିଭ୍ରାନ୍ତ କରିବା ଲାଗି ତାଙ୍କ କଥାକୁ ବଦଳାଇ କୁହାଯାଉଛି। ତାଙ୍କ ବିରୋଧରେ ବିକ୍ଷୋଭ କରିଥିବା ଛାତ୍ରମାନଙ୍କୁ ହସିନା ‘ରଜାକାର’ ବୋଲି ସମ୍ବୋଧନ କରିଛନ୍ତି। ୧୯୭୧ ବାଂଲାଦେଶ ସ୍ବାଧୀନତା ଆନ୍ଦୋଳନବେଳେ ବାଂଲାଦେଶର ଯେଉଁ ନାଗରିକମାନେ ପାକିସ୍ତାନ ସେନାର ସପକ୍ଷରେ ରହିଥିଲେ ସେମାନଙ୍କୁ ‘ରାଜାକାର’ ବୋଲି ସମ୍ବୋଧନ କରାଯାଏ।

ଅଗଷ୍ଟ ୫ରୁ ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଲାଗି ରହିଛି। ପ୍ରଧାନମନ୍ତ୍ରୀ ପଦରୁ ଶେଖ ହସିନାଙ୍କ ଇସ୍ତଫା ଦାବି କରି ଦେଶବ୍ୟାପୀ ହିଂସା ଓ ବିକ୍ଷୋଭ ହୋଇଥିଲା। ବିକ୍ଷୋଭକାରୀଙ୍କ ଚାପରେ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଭାରତ ଚାଲିଆସିଥିଲେ। ହସିନାଙ୍କ ଇସ୍ତଫା ପରେ ମହମ୍ମଦ ୟୁନୁସଙ୍କ ନେତୃତ୍ବରେ ଦେଶରେ ଅନ୍ତରୀଣ ସରକାର ଗଠିତ ହୋଇଛି। ଏହା ସତ୍ତ୍ବେ ଲୋକେ ବିକ୍ଷୋଭ ଓ ହିଂସା ଜାରି ରଖିଛନ୍ତି। ଦେଶର ବିଭିନ୍ନ ସ୍ଥାନରେ ହିନ୍ଦୁ ଓ ସଂଖ୍ୟାଲଘୁ ବିରୋଧୀ ହିଂସାକାଣ୍ଡ ଘଟିଚାଲିଛି। ଏହା ସହିତ ଶେଖ ହସିନାଙ୍କ ଦଳ ଆୱାମି ଲିଗ୍‌ର ନେତାଙ୍କୁ ମଧ୍ୟ ଟାର୍ଗେଟ କରାଯାଉଛି। ଏପରିସ୍ଥଳେ ହିନ୍ଦୁ ଓ ଆୱାମି ଲିଗ୍‌ର ନେତା ଓ କର୍ମୀ ଏକଜୁଟ୍ ହୋଇ ରାସ୍ତାକୁ ଓହ୍ଲାଇଛନ୍ତି। ସେମାନେ ହିଂସାର ମୁକାବିଲା କରିବା ଲାଗି ଅସ୍ତ୍ର ଉଠାଇଛନ୍ତି। ସେହିପରି ବାଂଲାଦେଶରେ ହିନ୍ଦୁ ଓ ସଂଖ୍ୟାଲଘୁଙ୍କ ସୁରକ୍ଷା ଦାବିରେ ନ୍ୟୁୟର୍କସ୍ଥିତ ଜାତିସଂଘ ମୁଖ୍ୟାଳୟ ବାହାରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ଆମେରିକାର ସ୍ବେଚ୍ଛାସେବୀ ସଂଗଠନ ‘ହିନ୍ଦୁ ଆକ୍ସନ’ ନେତୃତ୍ବରେ ଏହି ବିକ୍ଷୋଭ ପ୍ରଦର୍ଶନ ହୋଇଛି। ବିକ୍ଷୋଭକାରୀମାନେ ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଆକ୍ରମଣ ବନ୍ଦ ଲାଗି ଜାତିସଂଘ ଓ ଆମେରିକାର ହସ୍ତକ୍ଷେପ ଲୋଡିଛନ୍ତି। ଆମେରିକାର ଅନେକ ସାଂସଦ ମଧ୍ୟ ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି। ଅନ୍ତରୀଣ ସରକାର ମୁଖ୍ୟ ୟୁନୁସ କହିଛନ୍ତି ଯେ, ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ନିନ୍ଦନୀୟ। ସଂଖ୍ୟାଲଘୁ ବିରୋଧୀ ହିଂସାକୁ ରୋକିବା ଲାଗି ତାଙ୍କ ସରକାର ଆବଶ୍ୟକ ପଦକ୍ଷେପ ନେବ। ପ୍ରଥମେ ଜୁଲାଇ ମଧ୍ୟ ଭାଗରୁ ସଂରକ୍ଷଣ ବିରୋଧୀ ହିଂସା ପରେ ହସିନାଙ୍କ ଇସ୍ତଫା ଦାବି ହିଂସାରେ ମୋଟ ୬୦୦ ଲୋକ ପ୍ରାଣ ହରାଇଲେଣି।

Comments are closed.