ଅଲିଭର ୱେଣ୍ଡେଲ ହୋମ୍ସ ୧୮୬୧ରେ ଲିଖିତ ତାଙ୍କର ଏକ ଉପନ୍ୟାସରେ ଆମେରିକାର ବୋଷ୍ଟନ ସହରର ଧନୀ ଓ ସଂଭ୍ରାନ୍ତ ବର୍ଗଙ୍କୁ ନ୍ୟୁ ଇଂଲଣ୍ଡର ବ୍ରାହ୍ମଣ ଭାବେ ଅଭିହିତ କରିଥିଲେ। ଏହା ସହିତ ଆମେରିକାରେ ‘ବୋଷ୍ଟନ ବ୍ରାହ୍ମଣ’ ପରିଭାଷାର ଉତ୍ପତ୍ତି ହୋଇଥିଲା। କଥାଟି ହେଲା ଏହି ବୋଷ୍ଟନ ବ୍ରାହ୍ମଣମାନେ ବାସ୍ତବରେ କୌଣସି ଭାବେ ହିନ୍ଦୁଧର୍ମର ବ୍ରାହ୍ମଣଙ୍କ ପଦବାଚ୍ୟ ନୁହନ୍ତି। ସେମାନେ ଇଂଲଣ୍ଡର ଅଭିଜାତ ବର୍ଗର ଜୀବନ ଶୈଳୀ, ନୀତି ଓ ମୂଲ୍ୟବୋଧରେ ବିଶ୍ବାସ କରୁଥିଲେ; ହେଲେ କାଳକ୍ରମେ ଆମେରିକାରେ ଏହି ବ୍ରାହ୍ମଣ ଶବ୍ଦଟି ରକ୍ଷଣଶୀଳ, ଧନାଢ଼୍ୟ, ବୁଦ୍ଧିମାନ, ଆଗୁଆ ଓ ଆଭିଜାତ୍ୟ ବର୍ଗଙ୍କୁ ବୁଝାଏ, ଯାହା ଏକ ବିଦ୍ରୂପ। ଆହୁରି ମଧ୍ୟ ପ୍ରୋଟେଷ୍ଟାଣ୍ଟ ମୂଳର ଏହି ବୋଷ୍ଟନ ଖ୍ରୀଷ୍ଟିଆନମାନେ ଆମେରିକାର ଅନୁଷ୍ଠାନ ଓ ସଂସ୍କୃତିର ବିକାଶରେ ପ୍ରଭାବଶାଳୀ ଭୂମିକା ଗ୍ରହଣ କରିଥିଲେ। ସେମାନେ ଏକ ଜାତି ବା ବର୍ଗ ହିସାବରେ ବିଜ୍ଞ , ଚତୁର ଓ ସାମାଜିକ ଦୃଷ୍ଟିରୁ ଏକ ସ୍ବତନ୍ତ୍ର ବର୍ଗର ହୋଇଥିଲେ ହେଁ ସମାଜରେ ସେମାନଙ୍କୁ ନିନ୍ଦିତ କରିବାକୁ ବ୍ରାହ୍ମଣ ବୋଲି ଆକ୍ଷେପ କରାଯାଉଥିଲା।
ଏହି ଶ୍ବେତାଙ୍ଗ ଖ୍ରୀଷ୍ଟୀୟ ବ୍ରାହ୍ମଣମାନଙ୍କୁ ଭାରତୀୟ ବ୍ରାହ୍ମଣଙ୍କ ସହ ତୁଳନା କରି ଏକ ଜାତିଗତ ଆକ୍ଷେପ ନିଶ୍ଚୟ ଅଶୋଭନୀୟ। ପ୍ରସଙ୍ଗଟି ପୁଣି ଆନ୍ତର୍ଜାତିକ ପରିପ୍ରେକ୍ଷୀରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ରୁଷିଆରୁ ଭାରତ ଶସ୍ତାରେ ତୈଳ ଓ ଗ୍ୟାସ୍ କିଣିବା ଘଟଣାକୁ କେନ୍ଦ୍ର କରି ଆମେରିକା ରାଷ୍ଟ୍ରପତିଙ୍କ ବାଣିଜ୍ୟ ପରାମର୍ଶଦାତା ପିଟର ନଭାରୋ କହିଛନ୍ତି ଯେ ତେଲ କିଣୁଥିବା ଏହି ଭାରତୀୟ ‘ବ୍ରାହ୍ମଣ’ମାନେ ଭାରତର ନାଗରିକଙ୍କ ବଦଳରେ ନିଜେ ଲାଭବାନ୍ ହେଉଛନ୍ତି। ତେଣୁ ଏହି ସ୍ବାର୍ଥୀ ଗୋଷ୍ଠୀର ଏଭଳି କାରବାର ବନ୍ଦ ହେବା ଆବଶ୍ୟକ। ଏ କଥା ସତ ଯେ ସେ ଭାରତୀୟ ତୈଳ ଆମଦାନୀକାରୀଙ୍କୁ ଆମେରିକୀୟ ନାକାରାତ୍ମକ ବିଚାରରେ ବ୍ରାହ୍ମଣ ବୋଲି ଦର୍ଶାଇଛନ୍ତି ଯାହା ତାଙ୍କ ଦେଶର ପ୍ରଚଳିତ ଆଚାର ଦୃଷ୍ଟିରୁ ଆପତ୍ତିଜନକ ନୁହେଁ; ହେଲେ ତାଙ୍କ କଥାରେ ଭାରତୀୟ ବ୍ରାହ୍ମଣ ସମାଜ ମଧ୍ୟ ବିଶେଷ ବିଚଳିତ ବା ବିବ୍ରତ ହେବାର କିଛି ନାହିଁ କାରଣ ଭାରତରେ ବ୍ରାହ୍ମଣମାନେ ତଥାକଥିତ ବର୍ଣ୍ଣ ବ୍ୟବସ୍ଥାରେ ଉପରେ ଥିଲେ ମଧ୍ୟ ବଡ଼ବଡ଼ ବ୍ୟବସାୟ ,ଉଦ୍ୟୋଗ ଓ ଲାଭଜନକ କାରବାରରେ କ୍ବଚିତ ସଂପୃକ୍ତ। ଅଧିକାଂଶ ବ୍ରାହ୍ମଣ ନିର୍ଦ୍ଧନ ଏବଂ ଏବେ ସେମାନଙ୍କ ସାମାଜିକ ସ୍ଥିତି ନୂଆ ନୀତିଗତ ସମୀକରଣ ଓ ସଂରକ୍ଷଣ ପରିପ୍ରେକ୍ଷୀରେ ଭଲ ନୁହେଁ।
ନଭାରୋଙ୍କ ଅଜ୍ଞତା ଏଥିରୁ ସ୍ପଷ୍ଟ। ସେ ଜାଣି ନାହାନ୍ତି ଯେଭାରତର ତୈଳ ଆମଦାନୀକାରୀ ବ୍ୟକ୍ତିଗତଭାବେ ଲାଭବାନ ହେଉନାହାନ୍ତି । ରାଷ୍ଟ୍ର ହିତରେ ଏହା କରାଯାଉଛି। ଏଥିରେ କୌଣସି ତଥାକଥିତ ଲୋଭୀ ବ୍ରାହ୍ମଣ ବା ପ୍ରଭାବଶାଳୀ ବର୍ଗ ସଂପୃକ୍ତ ନୁହେଁ। ସେ ଆହୁରି କହିଛନ୍ତି ଯେ ବିଶ୍ବର ସର୍ବବୃହତ୍ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ ମୋଦୀ ରୁଷିଆ ଓ ଚୀନ ଭଳି ଏକଛତ୍ରବାଦୀ ରାଷ୍ଟ୍ରଙ୍କ ସହ ସମ୍ପର୍କ ବଢ଼ାଉଛନ୍ତି କାହଁିକି? ସେ ମୋଦୀଙ୍କ ଏହି ନୀତିକୁ ଅନୁପଯୁକ୍ତ କହି ଭାରତବାସୀଙ୍କୁ ସତ ବୁଝାଇବାକୁ ଚେଷ୍ଟା କରିଛନ୍ତି। ନଭାରୋ ଭୁଲି ଯାଉଛନ୍ତି ଯେ ଭାରତ ଚାଣକ୍ୟ ନୀତିରେ ବିଶ୍ବାସୀ ଯାହାର ପ୍ରଣେତା ସ୍ବୟଂ ଜଣେ ଭାରତୀୟ ବ୍ରାହ୍ମଣ, ମହାନ ବିଦ୍ବାନ ଓ ରାଷ୍ଟ୍ରନୀତି ବିଶାରଦ। ଆମେରିକାର ବଶ୍ୟତା ସ୍ବୀକାର କ’ଣ ବିଶ୍ବର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତ ପାଇଁ ଉଚିତ୍? ଦେଶ ସ୍ବାର୍ଥ ଆଗରେ ଏବଂ ଏକ ସ୍ବାଧୀନ ରାଷ୍ଟ୍ର ପ୍ରଥମେ ତାହାର ସ୍ବାର୍ଥ ଓ ସାର୍ବଭୌମତ୍ବକୁ ଦେଖେ। ନିଜ ସ୍ବାର୍ଥ ପାଇଁ ନୂଆ ସାଥୀ ଖୋଜେ, ପୁରୁଣା ସାଙ୍ଗକୁ ଦରକାର ପଡ଼ିଲେ ପ୍ରତ୍ୟାଖ୍ୟାନ କରିଥାଏ। ତେଣୁ ରାଷ୍ଟ୍ରରେ ସ୍ଥାୟୀ ମିତ୍ର ଓ ସ୍ଥାୟୀ ଶତ୍ରୁ ନଥାନ୍ତି। ଭାରତର ଏଭଳି କାର୍ଯ୍ୟରେ ବିଚଳିତ ଓ ବିବ୍ରତ ନଭାରୋ ତାଙ୍କର ନିରାଶା ପ୍ରକାଶ କରିଛନ୍ତି। ତାଙ୍କ ଉକ୍ତିରୁ ଜଣା ପଡ଼ୁଛି ଯେ ଭାରତୀୟ ସାମଗ୍ରୀ ଉପରେ ୫୦ ଶତାଂଶ ଟାରିଫ ଲାଗୁ କରିବା ପରେ ଯେଉଁ ଅସୁବିଧା ଆମେରିକାରେ ସୃଷ୍ଟି ହୋଇଛି ସେଥିରେ ସେ ଏବେ ନିରୁପାୟ। ତେଣୁ କ୍ରମଶଃ ଆଭିମୁଖ୍ୟ ନରମ କରି ଭାରତ ସହ କଥାବାର୍ତ୍ତା କରିବାକୁ ଇଙ୍ଗିତ ଦେଉଛନ୍ତି।
ଟ୍ରମ୍ପ ମଧ୍ୟ ତାଙ୍କ ଭାରତ ବିରୋଧୀ କାର୍ଯ୍ୟାନୁଷ୍ଠାନ ଘେନି ବାସ୍ତବତା ବୁଝିଲେଣି। କହିଲେଣି ଏହି ବର୍ଦ୍ଧିତ ଶୁଳ୍କ ଏକ ବିପର୍ଯ୍ୟୟ। ଚୀନ ଓ ରୁଷିଆ ସହିତ ଭାରତର ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ପରେ ସେ ପରିସ୍ଥିତିର ଗୁରୁତ୍ବ ବୁଝି କ୍ରମଶଃ ତରଳିବାକୁ ଆରମ୍ଭ କଲେଣି। ୱାଂଶିଟନ୍ କର୍ତ୍ତୃପକ୍ଷ ବୁଝିପାରିଲେଣି ଯେ ଆଉ ବିଶ୍ବରେ ତାହାର ଏକ ନାୟକତ୍ବ ନାହିଁ ଏବଂ ପୃଥିବୀ କ୍ରମଶଃ ବହୁକୈନ୍ଦ୍ରିକ ହେଲାଣି। ତେଣୁ ତାହାର ବଡ଼ଭାଇ ପଣିଆ ଓ ଲାଲଚକ୍ଷୁ ଏବେ ଅର୍ଥହୀନ। ନୂଆ ପରିବେଶ ଓ ପରିସ୍ଥିତି ଟ୍ରମ୍ପଙ୍କ ପାଇଁ ଏକ ବଡ଼ ଅଡ଼ୁଆ ସୃଷ୍ଟି କରିଛି। ସେ ଭାରତ ସହ ସମ୍ପର୍କରେ ଉନ୍ନତି ଆଣିବାକୁ ଏବେ ଆଗ୍ରହ ପ୍ରକାଶ କଲେଣି। ତାଙ୍କ ଟାଣପଣ ଭାଙ୍ଗିଲାଣି ଓ ସେ ଭାରତ ପାଇଁ ଆହୁରି ତରଳିବେ।
ସମ୍ପାଦକୀୟ: ବ୍ରାହ୍ମଣ ବିଦ୍ରୂପ
Popular Categories



