www.samajalive.in
Saturday, December 6, 2025
23.1 C
Bhubaneswar

ଅବପାତ ଆଣିବ ବନ୍ୟା : ଆଜି ମୁଣ୍ଡଳି ଛୁଇଁବ ୬ଲକ୍ଷ କ୍ୟୁସେକ୍‍ ବନ୍ୟାଜଳ

ଭୁବନେଶ୍ବର: ମହାନଦୀ ଉପରମୁଣ୍ଡରେ ଅତି ପ୍ରବଳ ବର୍ଷା ଦ୍ବାରା ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢ଼ୁଛି। ଜଳଭଣ୍ଡାରରୁ ୨୦ଟି ଫାଟକ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ଫଳସ୍ବରୂପ ମହାନଦୀ ଏବଂ ଏହାର ଶାଖା ନଦୀଗୁଡ଼ିକ ବଢିବାରେ ଲାଗିଛି। ଆସନ୍ତାକାଲି ଶୁକ୍ରବାର ସକାଳ ୯ରୁ ମଧ୍ୟାହ୍ନ ୧୨ ମଧ୍ୟରେ ମୁଣ୍ଡଳିରେ ବନ୍ୟାଜଳ ୬ଲକ୍ଷ କ୍ୟୁସେକ୍ ଛୁଇଁବା ସମ୍ଭାବନା ରହିଛି। ଶନିବାର ମୁଣ୍ଡଳି ଦେଇ ୭ଲକ୍ଷ ଘନଫୁଟ ବନ୍ୟାଜଳ ପ୍ରତିସେକେଣ୍ଡରେ ପ୍ରବାହିତ ହେବ। ଏହା ତଳମୁଣ୍ଡରେ ବନ୍ୟା ସୃଷ୍ଟି କରିପାରେ ବୋଲି ଆଶଙ୍କା ରହିଛି। ମାତ୍ର ଜଳସମ୍ପଦ ବିଭାଗ ପକ୍ଷରୁ ବନ୍ୟା ଆଶଙ୍କାକୁ ଏଡ଼ାଇ ଦିଆଯାଇଛି। କାରଣ ଗତ ୨୪ ଘଣ୍ଟାରେ ହୀରାକୁଦ-ଖଇରମାଳ ଏବଂ ଖଇରମାଳ-ମୁଣ୍ଡଳି ମଧ୍ୟରେ ବିଶେଷ ବର୍ଷା ହୋଇନି। ତଳମୁଣ୍ଡରେ ଜଳପ୍ରବାହ କମ୍‌ ଥିବାରୁ ବନ୍ୟା ସ୍ଥିତି ଉପୁଜିବ ନାହିଁ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି। ଅନ୍ୟପଟେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃ‌ଷ୍ଟି ହୋଇ ୨୬ତାରିଖ ସୁଦ୍ଧା ଅବପାତ ରୂପ ନେବ। ଏହାର ପ୍ରଭାବରେ ଦକ୍ଷିଣ ଉପକୂଳବର୍ତ୍ତୀ ଜିଲା ଗୁଡ଼ିକରେ ପ୍ରବଳ ବର୍ଷା ହୋଇପାରେ। କୋରାପୁଟ ଏବଂ ମାଲକାନଗିରି ଜିଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ସମ୍ଭାବ୍ୟ ସ୍ଥିତି ମୁକାବିଲା ପାଇଁ ଗୁରୁବାର ସ୍ବତନ୍ତ୍ର ରିଲିଫ ଆୟୁକ୍ତ ଦକ୍ଷିଣ ଓ ଉପକୂଳବର୍ତ୍ତୀ ଓଡ଼ିଶାର ୧୮ ଜିଲାର ଜିଲାପାଳଙ୍କ ସହ ଆଭାସି ମାଧ୍ୟମରେ ପ୍ରସ୍ତୁତି ବୈଠକ କରିଛନ୍ତି। ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ସହ ସ୍ଥିତି ଉପରେ ନଜର ରଖିବାକୁ ଜିଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି।

ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ଗୁରୁବାର ରାତି ୯ଟା ସୁଦ୍ଧା ଜଳସ୍ତର ୬୨୮.୮୩ ଫୁଟ ରହିଛି। ତେବେ ଗତ ୨୪ ଘଣ୍ଟାରେ ମହାନଦୀ ଉପର ମୁଣ୍ଡରେ ୫୪.୮୧ ମିମି ବର୍ଷା ହୋଇଥିବାରୁ ଜଳଭଣ୍ଡାରକୁ ଜଳପ୍ରବାହ ବଢିବା ସମ୍ଭାବନା ରହିଛି। ଅନ୍ୟପକ୍ଷରେ ତଳମୁଣ୍ଡରେ ୭.୦୪ ମିମିରେ ବର୍ଷା ରେକର୍ଡ କରାଯାଇଛି। ଏଥିପାଇଁ ଗତକାଲି ହୀରାକୁଦର ୧୬ଟି ଫାଟକ ଖୋଲିଥିବା ବେଳେ ଆଜି ଆଉ ୪ଟି ଫାଟକ ଖୋଲିଛି। ଉପରମୁଣ୍ଡରୁ ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ଲକ୍ଷ ୯୭ହଜାର ୯୦୩ ଘଟଫୁଟ ଜଳ ପ୍ରବେଶ କରୁଥିବାବେଳେ ୨୦ଟି ଫାଟକ, ପାୱାର ଚ୍ୟା‌େ‌ନଲ ଏବଂ କେନାଲ ଦେଇ ପ୍ରତି ସେକେଣ୍ଡରେ ୩ଲକ୍ଷ ୬୧ ହଜାର ୪୩୨ ଘଟଫୁଟ ଜଳ ନିଷ୍କାସିତ ହେଉଛି। ଖଇରମାଳରେ ପ୍ରତି ସେକେଣ୍ଡରେ ୪.୯୦ ଲକ୍ଷ ଘଟଫୁଟ ଜଳ ପ୍ରବାହିତ ହେଉଥିବାବେଳେ ବରମୂଳ ୪.୮୪ ଘଟଫୁଟ ଏବଂ ମୁଣ୍ଡଳିରେ ୨ ଲକ୍ଷ ୭୪ ହଜାର ୪୦୦ ଘଟଫୁଟ ଜଳ ପ୍ରତି ସେକେଣ୍ଡରେ ପ୍ରବାହିତ ହେଉଛି। ମହାନଦୀ ଫୁଲୁଥିବାରୁ ଏହାର ତଳମୁଣ୍ଡରେ ଶାଖା ନଦୀ କୁଶଭଦ୍ରା, ଦୟା, ଦେବୀ ନଦୀର ଜଳସ୍ତର ବଢ଼ିବ। ତଳମୁଣ୍ଡରେ ସତର୍କ ରହିବା ପାଇଁ ଜିଲା ପ୍ରଶାସନକୁ ସଜାଗ କରାଯାଇଛି।

- Advertisement -

ଉତ୍ତର ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ୧୨ ଘଣ୍ଟାରେ ଏକ ଲଘୁଚାପ ସୃ‌ଷ୍ଟି ହେବ। ଏହା ପଶ୍ଚିମ ଦିଗକୁ ଗତି କରିବ। ୨୬ ତାରିଖରେ ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଅବପାତ ରୂପ ନେବା ଅଧିକ ସମ୍ଭାବନା ରହିଛି। ସେପ୍ଟେମ୍ବର ୨୭ରେ ପାଖାପାଖି ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିପାରେ।

ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅତି ସକ୍ରିୟ ରହିଛି। ଅନେକ ଜିଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ଆଭ୍ୟନ୍ତରୀଣ ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, ବରଗଡ଼ ଜିଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ନୂଆପଡ଼ାରେ ୮୧.୮ମି.ମି, ନନ୍ଦାହାଣ୍ଡିରେ ୭୫ ଏବଂ ଥୁଆମୂଳ. ରାମପୁରରେ ୭୨ମି.ମି. ବର୍ଷା ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଏବଂ ମାଲକାନଗିରି ଜିଲାରେ ଅତି ପ୍ରବଳ ବର୍ଷା ହୋଇପାରେ। ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, କନ୍ଧମାଳ, ବାଲେଶ୍ବର, ନୟାଗଡ଼, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ ଏବଂ କେନ୍ଦୁଝର ଜିଲାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଦିଆଯାଉଛି। ସମ୍ଭାବ୍ୟ ଅବପାତକୁ ନେଇ ଏସଆରସି କୋରାପୁଟ, ମାଲକାନଗିରି ଜିଲାପାଳଙ୍କୁ ଅଧିକ ସତର୍କ ରହିବାକୁ କହିଛନ୍ତି। ଆବଶ୍ୟକସ୍ଥଳେ ଅଗ୍ନିଶମ ସେବା ଏବଂ ଓଡ୍ରାଫ ଦଳଗୁଡ଼ିକୁ ନିୟୋଜିତ କରିବାକୁ ନିର୍ଦେଶ ଦିଆଯାଇଛି। ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ଡ୍ରେନେଜ ଇଞ୍ଜିନିୟର/ଅଧିକାରୀମାନେ ଆବଶ୍ୟକ ସାମଗ୍ରୀ ସହ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି।

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories