ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ସକାଳେ ଅବପାତରେ ପରିଣତ ହୋଇ ଉତ୍ତର-ପୂର୍ବ ଦିଗକୁ ଗତି କରୁଛି। ଏହା ଅଧିକ ତୀବ୍ର ହୋଇ ୨୫ ତାରିଖ ସକାଳ ସୁଦ୍ଧା ବାତ୍ୟାରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ନିର୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା ଦେଇଛନ୍ତି।
୨୫ ତାରିଖ ରାତି ସୁଦ୍ଧା ବାତ୍ୟା ଭୀଷଣ ରୂପ ନେଇ ଉତ୍ତର ଦିଗକୁ ଗତି କରିବ। ଏହାର ପ୍ରଭାବରେ ୨୫ରେ ଉପକୂଳ ଓଡ଼ିଶାରେ ୪୦ରୁ ୫୦ କିମି ବେଗରେ ପବନ ବହିବ। ୨୫ ତାରିଖରେ ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବାବେଳେ ୨୬ରେ ଭଦ୍ରକ ଓ ବାଲେଶ୍ବରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ନିର୍ଦେଶିକା କହିଛନ୍ତି।
ଅପରପକ୍ଷରେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଏସଆରସି ପକ୍ଷରୁ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଓ ମୟୁରଭଞ୍ଜ ଜିଲାପାଳ। ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦେଇଛନ୍ତି। ବାଂଲାଦେଶ ମୁହାଁ ବାତ୍ୟା ପ୍ରଭାବରେ ୪ ଜିଲାରେ ବର୍ଷା ଓ ପବନ ସମ୍ଭାବନା ରହିଥିବାରୁ ବର୍ଷା ଓ ପବନ ନେଇ ଏହି ୪ ଜିଲାର ଜିଲାପାଳଙ୍କୁ ଏସଆରସି ଆଲର୍ଟ କରିଛନ୍ତି।



