www.samajalive.in
Sunday, December 14, 2025
26.1 C
Bhubaneswar

ମେ ୨ ଯାଏ କାଳବୈଶାଖୀ

ଭୁବନେଶ୍ବର : କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ, କୁଆପଥର ବୃଷ୍ଟି ଏବଂ ଝଡ଼ତୋଫାନ ହେଉଛି। ଆଜି ଉପକୂଳ ସହିତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ୨୫ ଜିଲାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ, ଝଡ଼ତୋଫାନ ଏବଂ କୁଆପଥର ବୃଷ୍ଟିପାତର ସମ୍ଭାବନା ରହିଛି। ଦକ୍ଷିଣ ଓଡ଼ିଶାର ନବରଙ୍ଗପୁର,କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି ଏବଂ ଗଞ୍ଜାମ ୬ଜିଲାରେ ପ୍ରବଳ ବର୍ଷା ଏବଂ କୁଆପଥର ମାଡ଼ର ସମ୍ଭାବନା ଥିବାରୁ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କମଳା ସତର୍କ ସୂଚନା ଜାରି କରାଯାଇଛି।
ପାଣିପାଗ କେନ୍ଦ୍ରର ପୂର୍ବାନୁମାନ, ପଶ୍ଚିମ ବିଦର୍ଭ, ଉତ୍ତର ତାମିଲନାଡୁ, ଆଭ୍ୟନ୍ତରୀଣ କର୍ଣ୍ଣାଟକ ଉପରେ ଏକ ନିମ୍ନଚାପ ରେଖା ବ୍ୟାପିବା ସହ ପବନର ଅସନ୍ତୁଳନ ଯୋଗୁଁ ବିଭିନ୍ନ ଜିଲାରେ କାଳବୈଶାଖୀ ଜନିତ ବର୍ଷା ହେଉଥିବା ବେଳେ କିଛି ସ୍ଥାନରେ କୁଆପଥର ବୃଷ୍ଟିପାତ ହୋଇଛି। ରାଜ୍ୟର ଅଧିକାଂଶ ଅଞ୍ଚଳରେ ଏହିପରି ପାଗ ମେ ୨ ପର୍ଯ୍ୟନ୍ତ ଲାଗି ରହିବା ଦ୍ବାରା ସର୍ବାଧିକ ତାପମାତ୍ରା ବୃଦ୍ଧିର ସମ୍ଭାବନା ନାହିଁ। ଏହି ସମୟରେ କାଳବୈଶାଖୀ ଜନିତ ବଜ୍ରପାତ, ବର୍ଷା ଓ କୁଆପଥର ମାଡ଼ର ସମ୍ଭାବନା ରହିଛି।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି, ଗଞ୍ଜାମର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ନବରଙ୍ଗପୁର, କଳାହାଣ୍ଡି ଏବଂ କନ୍ଧମାଳର କିଛି ଅଞ୍ଚଳରେ କୁଆପଥର ବୃଷ୍ଟିର ସମ୍ଭାବନା ଥିବାବେଳେ ବିଜୁଳି ଘଡ଼ଘଡ଼ି ସହ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି। ଏଥିପାଇଁ ଉପରୋକ୍ତ ଜିଲା ଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ କମଳା ସତର୍କ ସୂଚନା ଜାରି କରାଯାଇଛି।
ଅନ୍ୟପଟେ ମାଲକାନଗିରି, କୋରାପୁଟ, ନୂଆପଡ଼ା, ବଲାଙ୍ଗୀର, ସୁବର୍ଣ୍ଣପୁର, ସମ୍ବଲପୁର, ବୌଦ୍ଧ, ଅନୁଗୋଳ, ନୟାଗଡ଼, କଟକ, ଢେଙ୍କାନାଳ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାର କିଛି ଅଞ୍ଚଳରେ ବଜ୍ରପାତ ସହ ଝଡ଼ତୋଫାନ ହୋଇପାରେ। ଘଣ୍ଟା ପ୍ରତି ୩୦ରୁ ୪୦କିମି ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ଏହିସବୁ ଜିଲାଗୁଡ଼ିକୁ ହଳଦିଆ ସତର୍କ ସୂଚନା ଜାରି କରାଯାଇଛି।
ଆଜି ବାରିପଦାରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଛି। ଜିଲାରେ ବିଜୁଳି ଘଡ଼ଘଡ଼ି ସହ ୫୭.୬ମିମି ବର୍ଷା ହୋଇଛି। ଏଥିସହିତ ଛତ୍ରପୁରରେ ୭ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ସର୍ବାଧିକ ତାପମାତ୍ରା ତାଳଚେରରେ ୩୯.୪ ଡିଗ୍ରୀ, ଅନୁଗୋଳ ୩୯.୧, ଭୁବନେଶ୍ବର ୩୭.୩ ଏବଂ କଟକରେ ୩୮.୮ଡିଗ୍ରୀ ରହିଛି।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories