www.samajalive.in
Sunday, December 14, 2025
23.1 C
Bhubaneswar

ସିଏସ୍‌କେକୁ ହରାଇ ରାଜସ୍ଥାନ ଶୀର୍ଷରେ

ଜୟପୁର : ଗୁରୁବାର ଚଳିତ ଆଇପିଏଲ୍‌ରେ ବିଜୟୀ ହୋଇଛି ରାଜସ୍ଥାନ ରୟାଲ୍‌ସ। ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ)କୁ ୩୨ ରନ୍‌ରେ ରାଜସ୍ଥାନ ପରାସ୍ତ କରିଛି। ଯଶସ୍ବୀ ଜୟସୱାଲଙ୍କ ଅର୍ଦ୍ଧଶତକ ସହ ଧ୍ରୁବ ଜୁରେଲ ଓ ଦେବଦତ୍ତ ପାଡିକଲଙ୍କ ବିସ୍ଫୋରକ ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି ରାଜସ୍ଥାନ ରୟାଲ୍‌ସ ୫ ୱିକେଟରେ ୨୦୨ ରନ୍‌ର ବଡ଼ ସ୍କୋର୍ କରିଥିଲା। ଶିବମ୍ ଦୁବେଙ୍କ ଅର୍ଦ୍ଧଶତକ ସତ୍ତ୍ବେ ସ୍ପିନର ୫ଟି ୱିକେଟ ନେବାରୁ ସିଏସ୍‌କେ ୬ ୱିକେଟରେ ୧୭୦ ରନ୍‌ କରିଥିଲା। ୮ମ ମ୍ୟାଚ୍‌ରେ ୫ମ ବିଜୟ ପରେ ରାଜସ୍ଥାନ ପୁଣି ଟେବୁଲ ଶୀର୍ଷକୁ ଫେରିଛି। ୮ମ ମ୍ୟାଚ୍‌ରେ ସିଏସ୍‌କେ ୩ୟ ପରାଜୟ ଭୋଗି ୩ୟ ସ୍ଥାନକୁ ଖସିଆସିଛି। ଉଭୟ ଦଳଙ୍କ ମଧ୍ୟରେ ପ୍ରଥମ ଚରଣ ମ୍ୟାଚ୍‌ରେ ୩ ରନ୍‌ରେ ରାଜସ୍ଥାନ ରୟାଲ୍‌ସ ଜିତିଥିଲା।
ଚେନ୍ନଇ ସୁପର କିଙ୍ଗ୍‌ସ ୨୦୩ ରନ୍‌ର ପିଛା ଆରମ୍ଭ କରିଥିବା ବେଳେ ଗତ ୪ଟି ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଥିବା ଡେଭନ୍ କନ୍‌ୱେ (୮) ଜଲ୍‌ଦି ଆଉଟ୍‌ ହୋଇଥିଲେ। ଋତୁରାଜ ଗାଏକ୍‌ୱାଡ୍‌ ବିସ୍ଫୋରକ ବ୍ୟାଟିଂ କରିଥିବା ବେଳେ ଫର୍ମରେ ଥିବା ଅଜିଙ୍କ୍ୟ ରାହାଣେ ଜଗିରଖି ଖେଳିଥିଲେ। ଦୁହେଁ ସ୍କୋର୍‌କୁ ୬୯ ରନ୍‌ରେ ପହଞ୍ଚାଇବା ପରେ ଋତୁରାଜ ଆଉଟ୍‌ ହୋଇଥିଲେ। ଋତୁରାଜ ମାତ୍ର ୨୯ ବଲ୍‌ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୪୭ ରନ୍‌ କରିଥିଲେ। ରାହାଣେ ୧୩ ବଲ୍‌ରୁ ୧୫ ରନ୍‌କରି ବିଦାୟ ନେଇଥିଲେ। ଇମ୍ପାକ୍ଟ ଖେଳାଳି ଭାବେ ଆସିଥିବା ଅମ୍ବତି ରାୟୁଡୁ ଖାତା ଖୋଲି ପାରିନଥିଲେ। ୧୧ଶ ଓଭରରେ ଚେନ୍ନଇ ସୁପର କିଙ୍ଗ୍‌ସ ମାତ୍ର ୭୩ ରନ୍‌କରି ୪ଟି ୱିକେଟ ହରାଇଥିଲା। ହେଲେ ଦୁଇ ବାମହାତି ଶିବମ୍‌ ଦୁବେ ଓ ମୋଇନ୍ ଅଲ୍ଲୀ ବିସ୍ଫୋରକ ବ୍ୟାଟିଂ କରିଥିଲେ। ମୋଇନ୍ ମାତ୍ର ୧୨ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୨୩ ରନ୍‌ କରିଥିଲେ। ଶିବମ୍ ଦୁବେ ଓ ରବୀନ୍ଦ୍ର ଜାଡ଼େଜା ଆକ୍ରମଣ କରିଥିଲେ। ହେଲେ ବିଜୟଲକ୍ଷ୍ୟ କଷ୍ଟସାଧ୍ୟ ଥିଲା। ଶେଷ ୨ ଓଭରରୁ ୪୬ ରନ୍‌ ଆବଶ୍ୟକ ଥିବା ବେଳେ ୧୩ ରନ୍‌ ହୋଇଥିଲା। ଜାଡ଼େଜା ୧୫ ବଲ୍‌ରୁ ୩ଟି ଚୌକା ସହ ଅପରାଜିତ ୨୩ ରନ୍‌ କରିଥିଲେ। ଶେଷ ବଲ୍‌ରେ ଆଉଟ୍‌ ହୋଇଥିବା ଶିବମ୍‌ ଦୁବେ ୩୩ ବଲ୍‌ରୁ ୪ଟି ଛକା ଓ ୨ଟି ଚୌକା ସହ ୫୨ ରନ୍‌ କରିଥିଲେ। ଆଡାମ୍ ଜାମ୍ପା ୩ଟି ଓ ରବିଚନ୍ଦ୍ରନ୍‌ ଅଶ୍ବିନ ୨ଟି ୱିକେଟ ପାଇଥିଲେ।
ଟସ୍ ଜିତି ରାଜସ୍ଥାନ ରୟାଲ୍‌ସ ବ୍ୟାଟିଂ ନେଇଥିଲା। ରାଜସ୍ଥାନର ଓପ୍‌ନିଂ ଯୋଡ଼ି ଓଭର ପିଛା ୧୦ ରନ୍‌ ହାରରେ ସ୍କୋର୍ କରିଥିଲେ। ବାମହାତି ଯଶସ୍ବୀ ଜୟସୱାଲ ବିସ୍ଫୋରକ ବ୍ୟାଟିଂ କରିଥିଲେ। ୮୨ ରନ୍‌ର ଓପ୍‌ନିଂ ଭାଗିଦାରୀ ପରେ ଇଂଲଣ୍ଡର ବଟ୍‌ଲର ୨୧ ବଲ୍‌ରୁ ୪ଟି ଚୌକା ସହ ୨୭ ରନ୍‌ କରି ଆଉଟ୍‌ ହୋଇଥିଲେ। ଯଶସ୍ବୀ ଓ ଅଧିନାୟକ ସଞ୍ଜୁ ସାମ୍‌ସନ ୩୯ ରନ୍‌ ଯୋଡ଼ିଥିଲେ। ସାମ୍‌ସନ ୧୭ ବଲ୍‌ରୁ ଗୋଟିଏ ଚୌକା ସହ ୧୭ ରନ୍‌ କରିଥିଲେ। ଯଶସ୍ବୀ ଜୟସୱାଲ ଦର୍ଶନୀୟ ଇନିଂସ ଖେଳି ମାତ୍ର ୪୩ ବଲ୍‌ରୁ ୪ଟି ଛକା ଓ ୮ଟି ଚୌକା ସହ ୭୭ ରନ୍‌ କରିଥିଲେ। ସିମ୍ରନ୍ ହେତ୍‌ମେୟର ୧୦ ବଲ୍‌ରୁ ମାତ୍ର ୮ ରନ୍‌ କରି ପାରିଥିଲେ। ୧୭ଶ ଓଭରରେ ରାଜସ୍ଥାନ ୧୪୬ ରନ୍‌ରେ ୪ଟି ୱିକେଟ ହରାଇଥିଲା। ତେ​‌େ​‌ବ ଶେଷ ୨୩ଟି ବଲ୍‌ ରାଜସ୍ଥାନ ରୟାଲ୍‌ସ ପାଇଁ ବେଶ୍‌ ଫଳପ୍ରସୂ ହୋଇଥିଲା। ଏହି ୨୩ଟି ବଲ୍‌ରୁ ୫୬ ରନ୍‌ ହେବାରୁ ରାଜସ୍ଥାନ ୨ ଶହ ରନ୍‌ ଅତିକ୍ରମ କରି ପାରିଥିଲା। ଦୁଇ ଭାରତୀୟ ବ୍ୟାଟ୍‌ସମ୍ୟାନ୍ ଧ୍ରୁବ ଜୁରେଲ ଓ ଦେବଦତ୍ତ ପାଡିକଲ ଆକ୍ରମଣାତ୍ମକ ବ୍ୟାଟିଂକରି ମାତ୍ର ୨୦ ବଲ୍‌ରୁ ୫୩ ରନ୍‌ ଯୋଡ଼ିଥିଲେ। ଉତ୍ତର ପ୍ରଦେଶର ଧ୍ରୁବ ଜୁରେଲ ମାତ୍ର ୧୫ ବଲ୍‌ରୁ ୨ଟି ଛକା ଓ ୩ଟି ଚୌକା ସହ ୩୪ ରନ୍‌ କରିଥିଲେ। ପାଡିକଲ ମଧ୍ୟ ଅନୁରୂପ ବିସ୍ଫୋରକ ବ୍ୟାଟିଂକରି ୧୩ ବଲ୍‌ରୁ ୫ଟି ଚୌକା ସହ ୨୭ ରନ୍‌କରି ଅପରାଜିତ ଥିଲେ। ପେସ୍ର ତୁଷାର ଦେଶପାଣ୍ଡେ ୨ଟି ୱିକେଟ ପାଇଥିଲେ। ଯଶସ୍ବୀ ଜୟସୱାଲ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।

Hot this week

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

ଭାରତ ଉପରେ ୫୦% ବାଣିଜ୍ୟିକ ଶୁଳ୍କକୁ ବିରୋଧ

ଶୁଳ୍କ ପ୍ରତ୍ୟାହାର ପ୍ରସ୍ତାବ ଆଣିଲେ ୩ ସିନେଟର ୱାଶିଂଟନ : ଆମେରିକା ରାଷ୍ଟ୍ରପତି...

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

Related Articles

Popular Categories