www.samajalive.in
Wednesday, December 10, 2025
17.1 C
Bhubaneswar

ତେଲଙ୍ଗାନା ପାଇଁ ଆସନ ବୁଝାମଣା: ରାହୁଲଙ୍କୁ ଭେଟିଲେ ଚନ୍ଦ୍ରବାବୁ ନାଇଡୁ

ନୂଆଦିଲ୍ଲୀ : ତେଲଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଆସନ ବୁଝାମଣା ଓ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳଗୁଡିକୁ ଏକଜୁଟ କରିବା ଉଦ୍ଦେଶ୍ୟରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ତେଲୁଗ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ଏନ୍‍ ଚନ୍ଦ୍ରବାବୁ ନାଇଡୁ ଗୁରୁବାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି। ବୈଠକ ପରେ ରାହୁଲ କହିଛନ୍ତି ଯେ ‘ଆମ ମାନଙ୍କ ମଧ୍ୟରେ ଆଲୋଚନା ବେଶ ସକାରାତ୍ମକ ରହିଛି। ଦେଶରେ ଗଣତନ୍ତ୍ର ବ୍ୟବସ୍ଥା ଓ ଭବିଷ୍ୟତକୁ ସୁରକ୍ଷା ଦେବା ଏହି ଆଲୋଚନାର ମୂଳ ବିଷୟ ରହିଥିଲା। ତେଣୁ ଆମେ ଏକାଠି କାମ କରିବାକୁ ନିଷ୍ପତ୍ତି ନେଇଛୁ। ସମସ୍ତ ବିରୋଧୀ ଦଳ ଏପରି ଭାବେ ଏକାଠି ହେବା ଦରକାର।’ ଟିଡିପି ମୁଖ୍ୟ ନାଇଡୁ ମଧ୍ୟ ଅନୁରୂପ ମନ୍ତବ୍ୟ ଦେଇ କହିଛନ୍ତି ଯେ ଆମେ ଦେଶକୁ ସୁରକ୍ଷା ଦେବା ଲାଗି ଏକାଠି ହୋଇଛୁ। ଆମକୁ ଅତୀତକୁ ଭୁଲି ଯିବାକୁ ହେବ। ବର୍ତ୍ତମାନ ସମୟର ଗଣତାନ୍ତ୍ରିକ ବାଧ୍ୟବାଧକତା ଆମକୁ ଏକାଠି ହେବାକୁ ବାଧ୍ୟ କରିଛି। ବିଜେପି ନେତୃତ୍ୱ ଏନଡିଏରୁ ସମ୍ପର୍କ ତୁଟାଇବା ପରେ ନାଇଡୁ ପ୍ରଥମ କରି ରାହୁଲଙ୍କୁ ଭେଟିଛନ୍ତି। ଏହା ପୂର୍ବରୁ ମେ ମାସରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀଙ୍କ ଶପଥ ଗ୍ରହଣ ଉତ୍ସବରେ ଏକାଠି ଦେଖିବାକୁ ମିଳିଥିଲା; ମାତ୍ର ବ୍ୟକ୍ତିଗତ ଭାବେ କୌଣସି ସାକ୍ଷାତ ଆଲୋଚନା ହୋଇ ନଥିଲା। ଡିସେମ୍ବର ୭ରେ ତେଲଙ୍ଗାନା ବିଧାନସଭା ପାଇଁ ଭୋଟ ଗ୍ରହଣ ହେବ।
ଆଗାମୀ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ବିରୋଧରେ ବିରୋଧୀ ଦଳଗୁଡିକୁ ଏକଜୁଟ କରିବା ଲାଗି ନାଇଡୁ ପ୍ରୟାସ ଚଳାଇଛନ୍ତି। ରାହୁଲଙ୍କୁ ଭେଟିବା ପୂର୍ବରୁ ଗୁରୁବାର ନାଇଡୁ ଏନସିପି ମୁଖ୍ୟ ଶରଦ ପୱାର ଓ ନ୍ୟାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲାଙ୍କୁ ଦିଲ୍ଲୀରେ ଭେଟିଥିଲେ। ଏହା ସହିତ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କୁ ମଧ୍ୟ ଭେଟିଥିଲେ। ଏହିସବୁ ବୈଠକରେ ନାଇଡୁ ଅଣବିଜେପି ଦଳଗୁଡିକୁ ଏକଜୁଟ୍‍ କରିବା ଲାଗି ଆଲୋଚନା କରିଥିଲେ। ପୱାର ଓ ଅବଦୁଲ୍ଲାଙ୍କୁ ଭେଟିବା ପରେ ନାଇଡୁ ଅପରାହ୍ଣରେ ସାମ୍ବାଦିକଙ୍କୁ କହିଥିଲେ ଯେ ‘ଆମେ ଆମ ଭବିଷ୍ୟତ ପିଢିର ସୁରକ୍ଷା କରିବା ଦରକାର। ଆମେ ଦେଶର ସ୍ୱାର୍ଥ ପାଇଁ କାମ କରିବା ଦରକାର।’ ଓମାର ଅବଦୁଲ୍ଲା କହିଥିଲେ ଯେ ଦେଶ ଏବେ ଜଟିଳସ୍ଥିତି ଦେଇ ଗତି କରୁଛି। ତେଣୁ ଗଣତନ୍ତ୍ରର ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯିବା ଦରକାର। ସିବିଆଇ ଓ ଆରବିଆଇ ଭଳି ଅନୁଷ୍ଠାନ ଉପରେ ହସ୍ତକ୍ଷେପକୁ ନେଇ ପୱାର ଉଦ୍‍ବେଗ ପ୍ରକାଶ କରିଥିଲେ। ସେ କହିଥିଲେ ଆମେ ଯଦି ମିଳିମିଶି ଗଣତନ୍ତ୍ରର ସୁରକ୍ଷା ପାଇଁ କାମ କରିବା ତେବେ ଏହିସବୁ ଅନୁଷ୍ଠାନକୁ ସୁରକ୍ଷା ଦେଇପାରିବା।
ଅଣ ବିଜେପି ଓ ଅଣ କଂଗ୍ରେସ ଦଳଗୁଡିକୁ ଏକାଠି କରିବା ଉଦ୍ଦେଶ୍ୟରେ ନାଇଡୁ ପୂର୍ବରୁ ବିଏସପି ମୁଖ୍ୟ ମାୟାବତୀ, ଆପ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ଲୋକତାନ୍ତ୍ରିକ ଜନତା ଦଳ ନେତା ଶରଦ ଯାଦବ ପ୍ରମୁଖଙ୍କୁ ଭେଟିଥିଲେ। ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ଦାବିରେ ନାଇଡୁ ଚଳିତବର୍ଷ ଏନଡିଏରୁ ଓହରି ଯାଇଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories