କଲକାତା: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ଏବଂ ହିଂସା ଜାରି ରହିଛି। ଏହା ମଧ୍ୟରେ ପ୍ରଥମ ଥର ଲାଗି ଜଣେ ବିଜେପି ନେତା ନାଗରିକତା ଆଇନକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଆଇନରେ ସବୁ ଧର୍ମକୁ ସ୍ଥାନ ମିଳିଥିବାବେଳେ ମୁସଲିମ ଧର୍ମ କାହିଁକି ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଏହି ନେତା ଜଣକ ହେଉଛନ୍ତି ପଶ୍ଚିମବଙ୍ଗର ବିଜେପି ଉପାଧ୍ୟକ୍ଷ ତଥା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାତି ଚନ୍ଦ୍ର କୁମାର ବୋଷ। ସେ ଏହି ଆଇନ ବିରୋଧରେ ନିଜର ସ୍ବର ଉତ୍ତୋଳନ କରି କହିଛନ୍ତି, ଯଦି ଏହି ଆଇନର କୌଣସି ଧର୍ମ ସହିତ ସମ୍ପର୍କ ନାହିଁ, ତେବେ ଏଥିରେ ମୁସଲମାନଙ୍କୁ କାହିଁକି ସାମିଲ କରାଯାଇ ନାହିଁ ?
ଚନ୍ଦ୍ର କୁମାର ବୋଷ ଟ୍ବିଟ୍ କରି କହିଛନ୍ତି, ଯଦି ନାଗରିକତା ଆଇନର କୌଣସି ଧର୍ମ ସହିତ ସମ୍ପର୍କ ନାହିଁ, ତେବେ ଆମେ ହିନ୍ଦୁ, ଶିଖ, ବୌଦ୍ଧ, ଖ୍ରୀଷ୍ଟିଆନ, ପାର୍ସି ଏବଂ ଜୈନ ଧର୍ମ କଥା କାହିଁକି କହୁଛେ। ତା’ହେଲେ ମୁସଲମାନଙ୍କୁ କାହିଁକି ସାମିଲ କରାଯାଇ ନାହିଁ। ସେ ଆଉ ଏକ ଟ୍ବିଟରେ କହିଛନ୍ତି, ଅନ୍ୟ କୌଣସି ଦେଶ ସହିତ ଭାରତର ତୁଳନା କରନ୍ତୁ ନାହିଁ, କାରଣ ଏହି ଦେଶ ସବୁ ଧର୍ମ ଏବଂ ସମ୍ପ୍ରଦାୟ ପାଇଁ ଉନ୍ମୁକ୍ତ। ଯଦି ମୁସଲମାନଙ୍କୁ ସେମାନଙ୍କ ନିଜ ଦେଶରେ ନିର୍ଯାତନା ଦିଆଯିବ ନାହିଁ, ତେବେ ସେମାନେ ଆସିବେ ନାହିଁ। ଫଳରେ ସେମାନଙ୍କୁ ଏଥିରେ ସାମିଲ କରାଯିବାରେ ଅସୁବିଧା ନାହିଁ।
ପଶ୍ଚିମବଙ୍ଗରେ ବିଜେପି ପକ୍ଷରୁ ଆଇନ ସମର୍ଥନରେ ଏକ ବିରାଟ ଶୋଭାଯାତ୍ରା କରାଯିବା ସମୟରେ ରାଜ୍ୟ ଉପାଧ୍ୟକ୍ଷ ଚନ୍ଦ୍ରକୁମାର ବୋଷଙ୍କ ଏଭଳି ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି।



