ଗଭୀର ନଳକୂପକୁ ସଂଯୋଗ କରୁଥିବା ବିଦ୍ୟୁତ୍ ତାର ଚୋରି, ୧୫ ଏକର ଧାନ ଫସଲ ନଷ୍ଟ

ରେଙ୍ଗାଲି : ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବିଦ୍ୟୁତ ସବ୍ ଡିଭିଜନ ଅନ୍ତର୍ଗତ ଲଇଡା ସେକ୍ସନର ବୈଜାପାଲି ଗ୍ରାମର ୪ଟି ଗଭୀର ନଳକୂପକୁ ବିଦ୍ୟୁତ ଲାଇନ୍ ସଂଯୋଗ କରୁଥିବା ୧୧କେଭି ବିଦ୍ୟୁତ ତାର ଗତ ୨୩ ତାରିଖ ଦିନ ଚୋରି ହୋଇଯାଇଛି। ବିଦ୍ୟୁତ  ବିଭାଗ ପକ୍ଷରୁ  ଏପର୍ଯ୍ୟନ୍ତ ନୂତନ ତାର ସଂଯୋଗ କରାଯାଇନାହିଁ। ଫଳରେ ୪ଟି ଯାକ ନଳକୂପ ଅଚଳ ହୋଇ ୧୫ ଏକର ଜମି ମାଟି ଫାଟି ଯାଇ ଆଁ କରିଛି।  ଧାନ ଗଛ ପାଣି ଅଭାବରୁ ପାଳ ଭଳି ହୋଇ ମରିଯାଉଛି। ଚାଷୀ ନାହିଁ ନଥିବା କ୍ଷତିର ସମ୍ମୁଖୀନ ହେଉଛନ୍ତି। ଶୀଘ୍ର ନୂତନ ବିଦ୍ୟୁତ ତାର ଖଞ୍ଜାଯାଇ ବିଦ୍ୟୁତ ଲାଇନ ଯୋଗାଇ ଦେବାକୁ ଚାଷୀ ମାନେ ଦାବି କରିଥିଲେ ମଧ୍ୟ ବିଭାଗୀୟ ଏଥିପ୍ରତି ଆଦୌ ଗୁରୁତ୍ବ ଦେଉ ନଥିବାରୁ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି।

୧୧ ଟି ସ୍କାନରୁ ସାଢେ ୩ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଥିବା ବିଦ୍ୟୁତ ତାରକୁ ଦୁର୍ବୃତ୍ତ ମାନେ ଗତ ୨୩ ତାରିଖ ରାତିରେ ଚୋରି  କରି ନେଇଥିବା ସଂକ୍ରାନ୍ତରେ ଲଇଡା ସେକ୍ସନର କନିଷ୍ଠ ଯନ୍ତ୍ରୀ ଲଇଡା ଫାଣ୍ଡିରେ ଏତଲା ଦେଇଛନ୍ତି। ଥାନାରେ ଏକ ମାମଲା ରୁଜୁ କରାଯାଇ ପୁଲିସ ତନାଘନା କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ। ଜିଲ୍ଲାପାଳ ଏଥିରେ ହସ୍ତକ୍ଷେପ କରି ଶୀଘ୍ର ନୂତନ ବିଦ୍ୟୁତ ତାର ଯୋଗାଇ ବିଦ୍ୟୁତ ଲାଇନ୍ କାର୍ଯ୍ୟକ୍ଷମ କରିବାର ବ୍ୟବସ୍ଥା କରିବା ସହିତ କ୍ଷୟକ୍ଷତିର ଆକଳନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ମା ସମଲେଶ୍ବରୀ କୃଷକ ସୁରକ୍ଷା ସଙ୍ଗଠନର ସଭାପତି ସଲିଲ ନାଏକ ଏବଂ ପୂର୍ବତନ ସଭାପତି ସରୋଜ ପୂଜାରୀ  ଏବଂ  କ୍ଷତିଗ୍ରସ୍ତ ଚାଷୀ  ସଞ୍ଜୟ ସାହୁ, ଶ୍ରୀରାମ କୁମୁରା ପ୍ରମୁଖ ଦାବି କରିଛନ୍ତି।  ସୂଚିତ ଯେ ମହାବୀର ସାହୁଙ୍କ ୨ଟି, ସଞ୍ଜୟ ସାହୁ ଗୋଟିଏ ଏବଂ  ଶ୍ରୀରାମ କୁମୁରାଙ୍କ ଗୋଟିଏ ଗଭୀର ନଳକୂପ ସଂଯୋଗ କରୁଥିବା ବିଦ୍ୟୁତ ଲାଇନର ତାର ଚୋରି ହୋଇଛି।  ଦୀର୍ଘ ଦିନ ପରେ ବିଦ୍ୟୁତ ତାର ଚୋରି ରାକେଟ୍ ପୁଣି ସକ୍ରିୟ ହୋଇ ଉଠି ଥିବାରୁ  ପୁଲିସ ଓ ଟାଟା ପାୱାର  ପକ୍ଷରୁ ପାଟ୍ରୋଲିଂ ବ୍ୟବସ୍ଥା କଡାକଡି କରାଯିବାର ଆବଶ୍ୟକ ବୋଲି ମତ ପ୍ରକାଶ ପାଉଛି।

ଏ ସଂକ୍ରାନ୍ତରେ ରେଙ୍ଗାଲି ବିଦ୍ୟୁତ ସବ୍ ଡିଭିଜନର ଏସଡିଓ ଆସିତ୍ ମହାନ୍ତିଙ୍କୁ ନୂତନ ବିଦ୍ୟୁତ ତାର କେବେ ସଂଯୋଗ କରାଯିବ ବୋଲି ପଚରାଯିବାରୁ  ଆମେ ନୂତନ ତାର ଯୋଗାଇ ଦେବାକୁ ନିର୍ବାହୀ ଯନ୍ତ୍ରୀଙ୍କୁ ଅନୁରୋଧ କରିଛୁ। ସାଢେ ୩ କିଲୋମିଟର ତାର ଆସିଲେ ଆମେ ଲାଇନ୍ ସଂଯୋଗର ବ୍ୟବସ୍ଥା କରିବୁ। ଏସଂକ୍ରାନ୍ତରେ ଥାନାରେ ମଧ୍ୟ ଏତଲା ଦିଆଯାଇଛି ବୋଲି ମହାନ୍ତି କହିଛନ୍ତି।

Comments are closed.