କିଛି ଦିନ ତଳେ ସାମାଜିକ ଗଣମାଧ୍ୟମରେ ଏକ ସଚେତନତା ବାର୍ତ୍ତା ଦେଖିବାକୁ ମିଳିଥିଲା – “ବୁଢ଼ାବାପା ନଦୀରେ ପାଣି ଦେଖୁଥିଲେ, ବାପା କୂଅରେ ପାଣି ଦେଖିଲେ, ଆମେ ଟ୍ୟାପ୍ରେ ପାଣି ଦେଖିଲୁ, ଆମ ପିଲାମାନେ ବୋତଲରେ ପାଣି ଦେଖିଲେ, ଆମ ନାତିମାନେ ପାଣି କ୍ୟାପସୁଲ ଦେଖିବେ ଓ ଆମ ଅଣ ନାତିମାନେ ପାଣି ଲୁହରେ ଦେଖିବେ”। ବଡ଼ ଚମତ୍କାର ଭାବରେ ଜଳ ସଂକଟର ଭୟାବହତା ବାବଦରେ ଉପରୋକ୍ତ ବାର୍ତ୍ତାରେ ପ୍ରାକ୍ ସୂଚନା ଦିଆଯାଇଛି। ଜୁନ୍ ୩୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ “ମନ୍ କି ବାତ୍” ମାଧ୍ୟମରେ ଜଳ ସଂରକ୍ଷଣ ଉପରେ ସାରଗର୍ଭକ ଉଦ୍ବୋଧନ ଦେଇଛନ୍ତି। ଜଳ କହିଲେ ବହୁତ ଲୋକ ଏହାକୁ ଜୀବନ କହନ୍ତି। ଏହା ଏକ ସ୍ୱାଦହୀନ, କ୍ୟାଲୋରୀ ହୀନ, ରଙ୍ଗହୀନ, ବାସ୍ନାହୀନ, ସ୍ୱଚ୍ଛ ତରଳ ପଦାର୍ଥ। ପୃଥିବୀର ଉପର ଭାଗର ଶତକଡ଼ା ୭୧ ଭାଗ ଜଳ। ବାକି ଅଂଶ ଭୂତଳ ଜଳ ଏବଂ ଅନ୍ୟାନ୍ୟ ଅବସ୍ଥାରେ ରହିଛି। ଜଳକୁ ପ୍ରକୃତରେ ଜୀବନର ଅନ୍ୟନାମ କହିବାର ଯଥାର୍ଥତା ଅଛି। ଆମ ଶରୀରର ଶତକଡ଼ା ୬୦ଭାଗ, ମସ୍ତିସ୍କ ଓ ହୃତ୍ପିଣ୍ଡର ଶତକଡ଼ା ୭୩ ଭାଗ, ଫୁସ୍ଫୁସ୍ର ଶତକଡ଼ା ୮୩ ଭାଗ, ଚର୍ମର ଶତକଡ଼ା ୬୪ ଭାଗ, ବୃକକ୍ର ଶତକଡ଼ା ୭୯ ଭାଗ ଏବଂ ଆମ ହାଡ଼ର ଶତକଡ଼ା ୩୧ ଭାଗ ଜଳ। ପ୍ରତ୍ୟେକ ଦିନ ଜଣେ ଲୋକ ୩ ଲିଟର ପାଣି ପିଇବା ଦରକାର ଏବଂ ଦଶଦିନ ଧରି ପାଣି ନ ପିଇଲେ ଜଣେ ମୃତ୍ୟୁବରଣ କରିବା ଥୟ, କିନ୍ତୁ ଆଲୋଚନାର ବିଷୟ ହେଉଛି ପୃଥିବୀ ପୃଷ୍ଠରେ ଶତକଡ଼ା ୭୧ ଭାଗ ଜଳ ଥିଲେ ଜଳ ପାଇଁ ଏତେ ହାହାକାର କାହିଁକି ? ଏହାର ଉତ୍ତର ହେଲା ଜଳ ପରିଚାଳନାର ତ୍ରୁଟି ଯୋଗୁଁ ସଂକଟର ଉତ୍ପତ୍ତି।
ଜଳ ପରିଚାଳନା ଓ ପାନୀୟ ଜଳର ସମସ୍ୟା ଭାରତ, ଇରାନ, ଇରାକ, ୟେମେନ୍, ଲିବିୟା, ଜୋର୍ଡାନ ଭଳି ରାଷ୍ଟ୍ରରେ ଉତ୍କଟ। ରାଜସ୍ଥାନର ଏକ ନିର୍ଦିଷ୍ଟ ଇଲାକାରେ ଜଣେ ଲୋକ ୪ କିମ୍ବା ୫ ଜଣମହିଳାଙ୍କୁ ବିବାହ କରନ୍ତି ପାଣି ପାଇଁ। ଏହି ସ୍ତ୍ରୀ ଲୋକମାନେ ମୁଣ୍ଡରେ ଗରା ଧରି ଆଠରୁ ଦଶ କିଲୋମିଟର ଯାଆନ୍ତି ଏବଂ ଘଣ୍ଟାଘଣ୍ଟା ଧରି ଧାଡ଼ିରେ ଛିଡ଼ା ହୁଅନ୍ତି ଚୁଆରୁ ପାଣି ଟିକିଏ ପାଇବା ପାଇଁ। ଆଉ ମଧ୍ୟ ଏଭଳି ଅନେକ ଅଞ୍ଚଳ ଅଛି ଯେଉଁଠାରେ ଚାରିଆଡ଼େ ଜଳ, କିନ୍ତୁ ତାହା ପାନୀୟ ଉପଯୋଗୀ ନୁହେଁ। ଏହାକୁ ପାନୀୟ ଜଳ ସଂକଟ କୁହାଯାଏ।
ଏହାର କାରଣ ଅନେକ ଅଛି, କିନ୍ତୁ ନିରାକରଣ କଣ ଆଲୋଚନା କରିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୧ ତାରିଖରୁ ଜାତୀୟ ଜଳ ଅଭିଯାନ ଆରମ୍ଭ କରିଛନ୍ତି ଯାହାର ସ୍ଲୋଗାନ୍ “ହର୍ ଘର୍ ଜଳ” ବା ଜାତୀୟ ଜଳ ଅଭିଯାନ। ଏହି ଅଭିଯାନ ମଧ୍ୟରେ ସେ ଶୁଖିଲା ନଦୀ, ପୋଖରୀ, କୂଅର ପୁନରୁଦ୍ଧାର କରିବା, ଅଧିକ ଜଙ୍ଗଲ ତିଆରି କରିବା,ବର୍ଷା ଜଳ ନିୟନ୍ତ୍ରଣ କରିବା, ଅନେକ ଜଳ ସଂରକ୍ଷଣ ପ୍ରକଳ୍ପ ନିର୍ମାଣ କରିବା, ଭୂତଳ ଜଳ ଉପଯୋଗ କରିବା ଓ ସାଧାରଣ ଲୋକଙ୍କ ସଚେତନତା ବଢ଼ାଇବା ପାଇଁ ଆହ୍ୱାନ ଦେଇଛନ୍ତି। ଏପରିକି ବିଦ୍ୟାଳୟରେ ଅଧ୍ୟୟନରତ ବିଦ୍ୟାର୍ଥୀମାନଙ୍କୁ ରାଲି, ବକ୍ତୃତା, ନାଚ, ଗୀତ, ସଙ୍ଗୀତ, ଚିତ୍ରାଙ୍କନ ପ୍ରତିଯୋଗିତା ମାଧ୍ୟମରେ ସଚେତନତା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ପ୍ରତ୍ୟେକ ଛାତ୍ରଛାତ୍ରୀ କିପରି ମିତବ୍ୟୟୀ ହୋଇ ପ୍ରତ୍ୟେକ ଦିନ ୧ ଲିଟର ଜଳ ସଂଚୟ କରିବେ ଏବଂ ପାନୀୟ ଜଳର ସତ୍ ଉପଯୋଗ କରିବେ ସେଥିପାଇଁ ଆହ୍ୱାନ ଦେଇଛନ୍ତି। ଜାତିସଂଘର ଜେନେରାଲ୍ ଆସେମ୍ବ୍ଲି ଜୁଲାଇ ୨୮, ୨୦୧୦ ତାରିଖରେ ପାନୀୟ ଜଳକୁ ମାନବିକ ଅଧିକାର ହିସାବରେ ଗ୍ରହଣ କରିଛନ୍ତି। ପୃଥିବୀର ୫୦ ଟି ଦେଶ ପାନୀୟ ଜଳର ମାନ, ସୁରକ୍ଷା ଏବଂ ଉତ୍ତମ ଯୋଗାଣ ନିମନ୍ତେ ଆଇନ୍ ପ୍ରଣୟନ କରିଛନ୍ତି। ଏହି ଦେଶମାନଙ୍କରେ ବୋତଲ ପାଣିର ଆବଶ୍ୟକତା ନାହିଁ କି େରାଗ ଆଶଙ୍କା ନାହିଁ।
ଜଳ ଯଦି ଜୀବନ ତେବେ ଜଳକର ଦେଇ ପାନୀୟ ଜଳ ପାଇପ୍ରୁ ପିଇବାରେ ଅସୁବିଧା କଣ ? କର ଦିଅ ନୀରୋଗ ରୁହ। ଅପର ପକ୍ଷରେ ପାନୀୟ ଜଳ ପାଇଁ ମିନେରାଲ ବୋତଲ ପାଣି ପିଇ ଓ କ୍ୟାନସର୍ ଭଳି ରୋଗରେ ପଡ଼ିବା କେତେ ଯୁକ୍ତିଯୁକ୍ତ? କେବଳ ପାନୀୟ ଜଳ ନୁହେଁ, ସେଚ, ଶିଳ୍ପ, ସ୍ନାନ ପାଇଁ ମଧ୍ୟ ଜଳ ସମ୍ବଳ ନାହିଁ। କିଛି ବୁଦ୍ଧିଜୀବୀ ଏ ବାବଦରେ ଚିନ୍ତିତ ଥାଇ ପାରନ୍ତି, କିନ୍ତୁ ସମାଜରେ କିଛି ଲୋକ ଏହାର ସମାଧାନ ପାଇଁ ବିଚିତ୍ର ପନ୍ଥା ଅବଲମ୍ବନ କରନ୍ତି। ଏକବିଂଶ ଶତାବ୍ଦୀରେ ମଣିଷ ଚନ୍ଦ୍ର ଓ ମଙ୍ଗଳରେ ଜଳର ଅବସ୍ଥିତିର ଅନୁଧ୍ୟାନ କରୁଛି। ବର୍ଷା କିପରି ହୁଏ, ଜଳର ବିନିଯୋଗ କିପରି ହେବ ସେଥିପାଇଁ ଅନ୍ତଃରାଷ୍ଟ୍ରୀୟ ଚୁକ୍ତି ହେଉଥିବାବେଳେ କେତେଜଣ ଈଶ୍ୱର ବିଶ୍ୱାସୀ ବର୍ଷା ପାଇଁ ବେଙ୍ଗ ପୂଜା ଓ ଯଜ୍ଞ କରିବା ଦେଖିବାକୁ ମିଳେ। ଦ୍ୱୀପ ମାଟିତଳେ ପୋତିଲେ ବର୍ଷା ହେବ ନାହିଁ ବୋଲି ଅନେକେ ଭାବିଥାନ୍ତି। ଏ ସବୁ ବିଶ୍ୱାସକୁ ପଛରେ ପକାଇ ନିକଟରେ ମୁମ୍ବଇ ସହରର କିଛି ପୂଜକ ବଡ଼ବଡ଼ ପୁଷ୍ପ ସୁଗନ୍ଧିତ ଓ ପୁଷ୍ପସୁସଜ୍ଜିତ ପାଣି କୁଣ୍ଡରେ ଉପବିଷ୍ଟ କରି ଧ୍ୟାନ କଲେ ଇନ୍ଦ୍ର ଦେବଙ୍କୁ ବୃଷ୍ଟି କରିବାକୁ, କିନ୍ତୁ ଗୋଟିଏ ବିନ୍ଦୁ ବର୍ଷା କରାଇ ପାରିଲେ ନାହିଁ।
ସମାଜର ବୌଦ୍ଧିକ ସ୍ଥିତି ବିଚିତ୍ର। ଗୋଟିଏ ପଟେ ପୂଜାପାଠ, ଧ୍ୟାନ, ଯଜ୍ଞ, ଆରାଧନା ଓ ବର୍ଷା ପାଇଁ ଇନ୍ଦ୍ର ଦେବତାଙ୍କୁ ପୂଜା। ଅନ୍ୟପଟେ ଜଳ ସଂକଟ ଦୂର କରିବା ପାଇଁ ବୈଜ୍ଞାନିକଙ୍କ ପ୍ରଚେଷ୍ଟା। ପିଟର ଜେ. ନାମକ ଜଣେ ବୈଜ୍ଞାନିକ ଓମ୍ ପ୍ରୋସେସର୍ ନାମରେ ଗୋଟିଏ ଜଳ ଉତ୍ପାଦନ କଳ ତିଆରି କରିଛନ୍ତି। ସେଥିରେ ସେ ମଣିଷର ମଳକୁ ଗରମ ଓ ବାଷ୍ପ କରି, ଆବର୍ଜନାରୁ ବାଷ୍ପକୁ ଅଲଗା କରି ପୁନଃ ଥଣ୍ଡା ଉପଚାର ପ୍ରକ୍ରିୟାରେ ପାନୀୟ ଜଳ ବାହାର କରିଛନ୍ତି। ମଣିଷ ମଳରୁ ତିଆରି ଏହି ପାଣିକୁ ଅନେକ ଲୋକ ଘୃଣା କରିପାରନ୍ତି, ଅପବିତ୍ର ମନେ କରିପାରନ୍ତି ଓ ବ୍ୟବହାର କରି ନ ପାରନ୍ତି, କିନ୍ତୁ ଏହି ଜଳ କେତେ ଶୁଦ୍ଧ ଓ ସୁରକ୍ଷିତ ତାହା ଲୋକମାନଙ୍କୁ ଜଣେଇବା ପାଇଁ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ତଥା ପୃଥିବୀର ଅନ୍ୟତମ ଧନାଢ଼୍ୟ ବ୍ୟକ୍ତି ବିଲ୍ ଗେଟ୍ସ ମଣିଷ ମଳରୁ ନିଷ୍କାସିତ ଏକ ଗ୍ଲାସ ଜଳ ପାନ କରି ପୃଥିବୀର ବିଭିନ୍ନ ଗଣମାଧ୍ୟମରେ ପ୍ରଚାର କରିଛନ୍ତି।
ଉତ୍କଟ ପାନୀୟ ଜଳ ସଂକଟରେ ପ୍ରଭାବିତ ରାଷ୍ଟ୍ରମାନଙ୍କର ସମସ୍ୟା ଦୂର କରିବା ପାଇଁ ବିଲ୍ ଗେଟ୍ସ ଓ ମିଲିଣ୍ଡା ଫାଉଣ୍ଡେସନ୍ ବହୁ ପରିମାଣର ଡଲାର ଦାନ ଆକାରରେ ଦେଇ ଏହି ଉଦ୍ୟମର ପ୍ରଚାର, ପ୍ରସାର ଓ ପ୍ରୟୋଗକୁ ଉତ୍ସାହିତ କରିଛନ୍ତି। ଭାରତୀୟ ବୈଜ୍ଞାନିକମାନେ ବାୟୁମଣ୍ଡଳରୁ ପାନୀୟ ଜଳ ଅମଳ ପାଇଁ ଯନ୍ତ୍ରପାତି ଉଦ୍ଭାବନ କରିଛନ୍ତି। ବର୍ତ୍ତମାନ ଏହି ଏହାର ବ୍ୟବହାର କଲକାତା, ଚେନ୍ନଇ, ମୁମ୍ବାଇ ଭଳି ସହରରେ ଆରମ୍ଭ ହୋଇଥିଲା ବେଳେ ଲଦାଖରେ ନିୟୋଜିତ ଭାରତୀୟ ସେନା, ଚେନ୍ନଇର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ଏବଂ ହାଇଦ୍ରାବାଦରେ ତଟରକ୍ଷୀ ବାହିନୀ ମଧ୍ୟ ଏହି ଯନ୍ତ୍ରକୁ ବ୍ୟବହାର କରି ପାନୀୟ ଜଳ ପାଇପାରୁଛନ୍ତି।
ଭାରତ ଭଳି ଦେଶରେ ବଙ୍ଗୋପସାଗର, ଆରବସାଗର,ଗଙ୍ଗା, ଯମୁନା, ବ୍ରହ୍ମପୁତ୍ର, କ୍ରିଷ୍ଣା, କାବେରୀ, ମହାନଦୀ ଭଳି ଚିରସ୍ରୋତା ନଦୀ ଏବଂ ମୌସୁମୀର ଅବିରତ ଆଶୀର୍ବାଦ ଥାଉ ଥାଉ ଆମର ପାନୀୟ ଜଳ ସଂକଟ ରହିବା ଦୁର୍ଭାଗ୍ୟଜନକ। ଏହି ସଂକଟର ସମାଧାନ ହେଉଛି “ଜାତୀୟ ଜଳ ଅଭିଯାନରେ” ଆପଣଙ୍କର ଯୋଗଦାନ। ତେଣୁ ବିଭିନ୍ନ ଉତ୍ସବରେ ଚାରାରୋପଣ କରିବା ସହିତ ଛାତ ଉପରେ ବର୍ଷାଜଳର ସଂରକ୍ଷଣ, କୂଅ ପୋଖରୀ, ନଦୀଗୁଡ଼ିକର ପୁନରୁଦ୍ଧାର, ବର୍ଜ୍ୟଜଳର ସଠିକ୍ ବିନିଯୋଗ କରିବା ଆବଶ୍ୟକ। ଏହାଦ୍ୱାରା ଆମର ଭବିଷ୍ୟତ ବଂଶଧର ଜଳକୁ ଲୁହ ହିସାବରେ ନ ପାଇ ଅମୃତ ହିସାବରେ ପାଇବେ। ନ ହେଲେ ତାଙ୍କ ଲୁହ ପାଇଁ ଆମେ ଦାୟୀ ରହିବା।
ଜଳସଂକଟ ଓ ପ୍ରତିକାର
Popular Categories



