www.samajalive.in
Saturday, December 6, 2025
23.1 C
Bhubaneswar

କନ୍ଦରପୁର ଟାଙ୍ଗିସାହିରେ ପାନୀୟ ଜଳ ସଙ୍କଟ

ଆଠଗଡ: ଆଠଗଡ ବ୍ଲକ ଅନ୍ତର୍ଗତ କନ୍ଦରପୁର ଟାଙ୍ଗିସାହିର ଶେଷ ମୁଣ୍ଡରେ ପାନୀୟ ଜଳ ସଂକଟ ଯୋଗୁଁ ୮ଟି ପରିବାର ହନ୍ତସନ୍ତ ହେଉଛନ୍ତି । ଆଠଗଡ ଅଞ୍ଚଳରେ ଏବେ କିଛିଦିନ ହେବ ତାପମାତ୍ରା ୪୨ ଡିଗ୍ରୀ ଉପରକୁ ହୋଇ ଯାଇଥିବାବେଳେ ଟାଙ୍ଗିସାହି ଲୋକ ପାନୀୟଜଳ ଟିକେ ପାଇଁ ଡହଳବିକଳ ହୋଇ ପ୍ରାୟ ଅଧ କମି ଦୂର ଯାଉଛନ୍ତି ପିଇବା ପାଣି ସଂଗ୍ରହ କରିବାକୁ । ଏହି ସମସ୍ୟା ସମ୍ପର୍କରେ ସଂପୃକ୍ତ ଗ୍ରାମବାସୀ ବାରମ୍ବାର ପଞ୍ଚାୟତ କର୍ତ୍ତୃପକ୍ଷ ଓ ବ୍ଲକ ପ୍ରଶାସନକୁ ଲିଖିତ ଅଭିଯୋଗ କଲେ ମଧ୍ୟ ଅଧିକାରୀମାନଙ୍କ ଖାମଖିଆଲ ମନୋଭାବ ଯୋଗୁଁ ଏହି ସମସ୍ୟା ଆହୁରି ଜଟିଳ ହୋଇପଡିଛି। ଏହା ଏକ ପାହାଡିଆ ଅଞ୍ଚଳ ହୋଇଥିବାରୁ ଖରାଦିନ ଆରମ୍ଭରୁ କୂଅ ଶୁଖିଯାଇଥାଏ । ଟାଙ୍ଗିସାହିର ଜନସଂଖ୍ୟା ୨୫୦ ରୁ ଊର୍ଦ୍ଧ୍ବ ହେବ। ସ୍ୱଜଳଧାରା ଯୋଜନାରେ ପାଇପ ଜଳ ଯୋଗାଣ ବ୍ୟବସ୍ଥା ହୋଇଥିଲେ ମଧ୍ୟ ତାହା ଯଥେଷ୍ଟ ହେଉନଥିବାରୁ ଶେଷ ମୁଣ୍ଡରେ ରହୁଥିବା ପରିବାରଙ୍କ ପାଇଁ ପାଇପ୍ ସମ୍ପ୍ରସାରଣ କରାଯାଇନାହିଁ । ସେ ଅଞ୍ଚଳରେ ଗୋଟିଏ ବି ନଳକୂପ ନାହିଁ। ପାନୀୟ ଜଳ ସମସ୍ୟା ନେଇ ସଂପୃକ୍ତ ପରିବାରଗୁଡିକ ପକ୍ଷରୁ ଚଳିତମାସ ୨ ତାରିଖରେ ବିଡିଓଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା। ଏହାର ପ୍ରତିବାଦରେ ଗୁରୁବାର ଗ୍ରାମର ୩୦ରୁ ଉର୍ଦ୍ଧ୍ବ ପୁରୁଷ ଓ ମହିଳା ହାତରେ ବାଲଟି ଓ ଡେକଚି ଧରି ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ବ୍ଲକ ପ୍ରଶାସନ ଓ ଗ୍ରାମ୍ୟ ପାନୀୟଜଳ ବିଭାଗ ମଧ୍ୟରେ ସମନ୍ବୟର ଅଭାବ ଯୋଗୁଁ ଏଭଳି ଘଟଣା ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଉପଜିଲାପାଳ ପ୍ରଶାନ୍ତ କୁମାର ତରାଇ ଏହାକୁ ନେଇ ବ୍ଲକ ପ୍ରଶାସନ ଓ ଗ୍ରାମ୍ୟ ପାନୀୟଜଳ ବିଭାଗ ଅଧିକାରୀଙ୍କ ଉପରେ ବିରକ୍ତି ପ୍ରକାଶ ସହିତ ତୁରନ୍ତ ସମସ୍ୟାର ସମାଧାନ ପାଇଁ ଟ୍ୟାଙ୍କର ଯୋଗେ ପ୍ରତିଦିନ ଉକ୍ତ ଅଞ୍ଚଳକୁ ପାନୀୟଜଳ ଯୋଗାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଟ୍ୟାଙ୍କର ନପହଞ୍ଚିବା ପର୍ଯ୍ୟନ୍ତ ଧାରଣାରୁ ହଟିବେନି ବୋଲି ଗ୍ରାମବାସୀ ଜିଦ୍ କରି ବସି ରହିଥିଲେ । ପରେ ତହସିଲଦାର କ୍ଷେତ୍ରମୋହନ ସ୍ୱାଇଁ ଗ୍ରାମବାସୀଙ୍କୁ ବୁଝାସୁଝା କରି ତୁରନ୍ତ ପାନୀୟଜଳ ପଠାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣ ପ୍ରତ୍ୟାହୃତ ହୋଇଥିଲା। ଅପରାହ୍ନରେ ସଂପୃକ୍ତ ଅଞ୍ଚଳରେ ଟ୍ୟାଙ୍କର ଯୋଗେ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିବା ବିଡିଓ ପ୍ରଦୀପ କୁମାର ସାହୁ ପ୍ରକାଶ କରିଛନ୍ତି ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories