ସମାଜ ଡିଜିଟାଲ ଡେସ୍କ: ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟିଛି। ହ୍ରିତିକ୍ ରୋଶନ ଓ ଜୁନିଅର ଏନଟିଆର ଅଭିନୀତ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଓ୍ବାର ୨’ର ଟ୍ରେଲର ଶୁକ୍ରବାର ରିଲିଜ୍ ହୋଇଛି। ଟ୍ରେଲରରେ ହ୍ରିତିକ୍ ଓ ଜୁନିଅର ଏନଟିଆରଙ୍କ ମଧ୍ୟରେ ଜବରଦସ୍ତ ଲଢେଇ ଦେଖିବାକୁ ମିଳିଛି। ଏଥିରୁ ଜଣାପଡ଼ୁଛି ଯେ ଫିଲ୍ମରେ ଉଭୟଙ୍କ ମଧ୍ୟରେ ଉଚ୍ଚ କୋଟିର ଆକ୍ସନ ଦେଖିବାକୁ ମିଳିବ। ଫିଲ୍ମର ଟ୍ରେଲର ରିଲିଜ୍ ହେଉ ହେଉ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି।
୨ ମିନିଟ୍ ୩୫ ସେକେଣ୍ଡର ଏହି ଟ୍ରେଲରରେ ହ୍ରିତିକ୍ ଓ ଜୁନିଅର ଏନଟିଆରଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ମାଟି ଓ ପାଣିରୁ ଆରମ୍ଭ କରି ଆକାଶ ପର୍ଯ୍ୟନ୍ତ ଆକ୍ସନର ଝଲକ୍ ନଜର ଆସିଛି। ‘ଓ୍ବାର ୨’ର ଟ୍ରେଲରରେ ହ୍ରିତିକ୍ ଓ ଜୁନିଅର ଏନଟିଆରଙ୍କ ସମେତ ପ୍ରାୟ ସବୁ କଳାକାରଙ୍କ ଝଲକ୍ ଦେଖିବାକୁ ମିଳିଛି। ଫିଲ୍ମର ମୁଖ୍ୟ ନାୟିକ କିଆରା ଆଡଭାଣୀ ଓ ଆଶୁତୋଷ ରାଣା ନଜର ଆସିଛନ୍ତି। ଟ୍ରେଲରରୁ ଜଣାପଡ଼ୁଛି ଫିଲ୍ମରେ କିଆରାଙ୍କ ଆକ୍ସନ ଅବତାର ଦେଖିବାକୁ ମିଳିବ।
‘ଓ୍ବାର ୨’ ୟଶରାଜ ଫିଲ୍ମର ସ୍ପାଇ ୟୁନିଭର୍ସର ଏକ ଅଂଶ। ଏହା ୨୦୧୯ରେ ଆସିଥିବା ‘ଓ୍ବାର’ର ଦ୍ଵିତୀୟ ଭାଗ। ଅୟାନ ମୁଖାର୍ଜୀ ନିର୍ଦେଶିତ ଏହି ଚଳଚ୍ଚିତ୍ର ଅଗଷ୍ଟ ୧୪ ତାରିଖରେ ପରଦାକୁ ଆସିବ।



