ଲୋକସଭାରେ ୱାକଫ୍ (ସଂଶୋଧନ) ବିଧେୟକ ଆଗତ, ଯାଞ୍ଚ ପାଇଁ ଯୁଗ୍ମ ସଂସଦୀୟ କମିଟିକୁ ଗଲା

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଗୁରୁବାର ୱାକଫ୍ ସଂଶୋଧନ ବିଧେୟକ ୨୦୨୪କୁ ଲୋକସଭାରେ ଆଗତ କରିଛନ୍ତି। ବିଧେୟକ ଆଗତ ପରେ ଏହା ବିରୋଧୀ ଦଳ ଓ ମୁସଲମାନ ସଂଗଠନଗୁଡିକ ପାଇଁ ବଡ ଆଲୋଚନାର ବିଷୟ ହୋଇଛି। ଦେଶର ୱାକଫ୍ ବୋର୍ଡଗୁଡିକ ପରିଚାଳନା ନିମନ୍ତେ ବର୍ତ୍ତମାନ ସମୟରେ କାର୍ଯ୍ୟକାରୀ​‌ ହେଉଥିବା ୱାକଫ୍ ଆଇନ ୧୯୯୫ରେ ଆବଶ୍ୟକ ସଂଶୋଧନ ନିମନ୍ତେ ୱାକଫ ସଂଶୋଧନ ବିଧେୟକ ୨୦୨୪କୁ ଆଗତ କରାଯାଇଛି।  ବିଧେୟକରେ ୱାକଫ୍ ଆଇନ ୧୯୯୫କୁ ପରିବର୍ତ୍ତନ କରାଯାଇ ୟୁନିଫାଏଡ୍‌ ୱାକଫ୍ ମ୍ୟାନେଜମେଣ୍ଟ, ଏମ୍‌ପାୱାରମେଣ୍ଟ, ଏଫିସିଏନ୍ସି ଆଣ୍ଡ ଡେଭଲପ୍‌ମେଣ୍ଟ ଆଇନ ରଖାଯିବ।  ପୁରୁଣା ଆଇନରେ ପ୍ରାୟ ୪୦ଟି ସଂଶୋଧନ ଲାଗି ପ୍ରସ୍ତାବ ରହିଛି। ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ବିଧେୟକକୁ ଗୃହରେ ଆଗତ କରିଛନ୍ତି। ବିଧେୟକକୁ ଆଗତ କରି ମନ୍ତ୍ରୀ ରିଜିଜୁ କହିଥିଲେ ଯେ ଏହି ବିଧେୟକ କୌଣସି ଧାର୍ମିକ ସଂଗଠନର ସ୍ବାଧୀନତା ଉପରେ ହସ୍ତକ୍ଷେପ କରିବା ଲାଗି ଉଦ୍ଦିଷ୍ଟ ନୁହେଁ। ଏହି ବିଧେୟକ ଦ୍ବାରା କାହାର ଅଧିକାର ଚ୍ଛିନ୍ନ କରାଯିବ ନାହିଁଟ୍ଟ ବରଂ ଯେଉଁମାନଙ୍କୁ ଅଧିକାର ମିଳିନାହିଁ ସେମାନଙ୍କୁ ଅଧିକାର ଦେବା ଲାଗି ଏହି ବିଧେୟକ ଆଗତ କରାଯାଇଛି। ସମାଜବାଦୀ ପାର୍ଟି ସାଂସଦ ଅଖିଳେଶ ଯାଦବ ବିଧେୟକକୁ ବିରୋଧ କରି କହିଥିଲେ ଯେ ଜଣଙ୍କର ଧାର୍ମିକ ଅଧିକାରକୁ ଚ୍ଛିନ୍ନ କରିନେବା ଲାଗି ଏପରି ଯୋଜନା କରାଯାଇଛି। ମାତ୍ର କାହାର ଅଧିକାରକୁ ସମାଜବାଦୀ ପାର୍ଟି ଚ୍ଛିନ୍ନ କରିବାକୁ ଦେବ ନାହିଁ। ଅଖିଳେଶ କହିଥିଲେ ଯେ ବାଚସ୍ପତିଙ୍କ କ୍ଷମତାକୁ ସଙ୍କୁଚିତ କରିବା ଲାଗି ମଧ୍ୟ ସରକାର ବିଧେୟକ ଆଣିବାକୁ ଯାଉଛନ୍ତି। ଆଉ ସେମାନେ (ବିରୋଧୀ ଦଳ) ବାଚସ୍ପତିଙ୍କ ପାଇଁ ଲଢେଇ କରିବେ।

ଅଖିଳେଶଙ୍କ ଦାବି ଉପରେ ଜବାବ ଦେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଥିଲେ ଯେ  ବାଚସ୍ପତିଙ୍କ କ୍ଷମତା କେବଳ ବିରୋଧୀ ଦଳଗୁଡିକ ପାଇଁ ଉଦ୍ଦିଷ୍ଟ ନୁହେଁଟ୍ଟ ଏହା ସମ୍ପୂର୍ଣ୍ଣ ଗୃହ ପାଇଁ ଉଦ୍ଦିଷ୍ଟ। ବାଚସ୍ପତିଙ୍କ କ୍ଷମତାକୁ ନେଇ ଏପରି ଗୋଳମାଳିଆ କଥାବାର୍ତ୍ତା କରିବା ଅଖିଳେଶଙ୍କ ପକ୍ଷରେ ଠିକ୍ ନୁହେଁ। ଡିଏମକେ ସାଂସଦ କାନିମୋଝି କହିଥିଲେ ଯେ ୱାକଫ୍ ସଂଶୋଧନ ବିଧେୟକ ସମ୍ବିଧାନର ଧାରା ୩୦କୁ ଉଲ୍ଲଙ୍ଘନ କରୁଛି। ଏହା ନିର୍ଦ୍ଦିଷ୍ଟ ଧାର୍ମିକ ଗୋଷ୍ଠୀକୁ ଟାର୍ଗେଟ କରିବା ଲାଗି  ଅଣାଯାଇଛି। କଂଗ୍ରେସ ସଦସ୍ୟ କେସି ବେଣୁଗୋପାଳ ବିଧେୟକକୁ ବିରୋଧ କରି କହିଥିଲେ ଯେ ମହାରାଷ୍ଟ୍ର ଓ ହରିୟାଣା ବିଧାନସଭାକୁ ଦୃଷ୍ଟିରେ ରଖି ଏହି ବିଧେୟକ ଅଣାଯାଇଛି। ଆମେ ହିନ୍ଦୁ ହୋଇଥିବାବେଳେ ଆମେ ଅନ୍ୟ ଧର୍ମକୁ ସମ୍ମାନ ଜଣାଇବା ଦରକାର। ଏହି ବିଧେୟକ ଦେଶର ସଂଘୀୟ ଶାସନ ବ୍ୟବସ୍ଥା ଉପରେ ଏକ ଆକ୍ରମଣ। ଏଆଇଏମଆଇଏମ୍ ସଦସ୍ୟ ଅସାଦୁଦ୍ଦିନ ଓୱେସୀ କହିଥିଲେ ଏହି ବିଧେୟକ ସମ୍ବିଧାନର ଧାରା ୧୪, ୧୫ ଓ ୨୫କୁ ଉଲ୍ଲଙ୍ଘନ କରୁଛି। ଏହା ପକ୍ଷପାତିତା ଓ ସ୍ବେଚ୍ଛଚାରିତାର ଏକ ବଡ ନମୁନା। ଏହି ବିଧେୟକ ଆଗତ କରି ସରକାର ଦେଶକୁ ବିଭାଜନ କରିବାକୁ ଯାଉଛନ୍ତି। ଏହା ପ୍ରମାଣିତ କରୁଛି ଯେ ସରକାର ମୁସଲମାନଙ୍କ ଶତ୍ରୁ।

ୱାକଫ ସଂଶୋଧନ ବିଧେୟକକୁ ବିଜେପିର ଦୁଇ ପ୍ରମୁଖ ସହଯୋଗୀ ଦଳ ଜେଡିୟୁ ଓ ଟିଡିପି ସମର୍ଥନ କରିଛନ୍ତି। ଜେଡିୟୁ ନେତା ତଥା କେନ୍ଦ୍ରମନ୍ତ୍ରୀ ଲଲନ ସିଂହ କହିଛନ୍ତି ଯେ ଏହି ବିଧେୟକ ମୁସଲମାନ ବିରୋଧୀ ନୁହେଁ। କୌଣସି ଅନୁଷ୍ଠାନ ଲୁଚାଛପାରେ କିଛି କାମ କରିବା ପରିବର୍ତ୍ତେ ସ୍ବଚ୍ଛ ଭାବେ ସମସ୍ତ ଅବଗତିରେ କାର‌୍ୟ୍ୟ କରିବା ଦରକାର। ଯାହା ଏହି ବିଧେୟକର ମୂଳ ଲକ୍ଷ୍ୟ। ସେହିପରି ଟିଡିପି ସଦସ୍ୟ ହରିଶ ବାଲଯୋଗୀ କହିଥିଲେ ଯେ ବିଧେୟକରେ ସରକାର ଯେଉଁ ଉଦ୍‌ବେଗ ପ୍ରକାଶ କରିଛନ୍ତି ତାକୁ ସେ ସମର୍ଥନ କରନ୍ତି। ଏହି ବିଧେୟକ ସ୍ବଚ୍ଛତା ଆଣିବାରେ ସହାୟକ ହେବ। ବିଧେୟକ ଉପରେ ବ୍ୟାପକ ଆଲୋଚନା ହେବା ପରେ ଏହାକୁ ଯାଞ୍ଚ ନିମନ୍ତେ ଯୁଗ୍ମ ସଂସଦୀୟ କମିଟିକୁ ପଠାଇ ଦିଆଯାଇଛି।

Comments are closed.