www.samajalive.in
Monday, December 15, 2025
26.1 C
Bhubaneswar

ଭାରତ-ବାଂଲାଦେଶ ଫାଇନାଲ

କୁଆଲା ଲୁମ୍ପୁର  : ମହିଳା ଏସିଆ କପ୍‍ ଟ୍ୱେଣ୍ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଫାଇନାଲକୁ ଭାରତ ଉନ୍ନୀତ ହୋଇଛି। ଶନିବାର ଖେଳାଯାଇଥିବା ଅନ୍ତିମ ରାଉଣ୍ଡ ରବିନ ଲିଗ୍‍ ମ୍ୟାଚରେ ଭାରତ ୭ ୱିକେଟରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ପରାସ୍ତ କରିବା ସହ ସପ୍ତମ ଥର ପାଇଁ ଫାଇନାଲ ଖେଳିବାର ଯୋଗ୍ୟତା ହାସଲ କରିଛି। ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ପାକିସ୍ତାନ ୨୦ ଓଭରରେ ୭ ୱିକେଟରେ ୭୨ ରନ କରିଥିଲା। ଜବାବରେ ଭାରତ ୧୬.୧ ଓଭର ସୁଦ୍ଧା ୩ ୱିକେଟରେ ୭୫ ରନ କରି ବିଜୟୀ ହୋଇଥିଲା। ରବିବାର  ଭାରତ- ବାଂଲାଦେଶ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।
ପାକିସ୍ତାନ ଅଧିନାୟିକା ଟସ୍‍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ପ୍ରଥମ ଓଭରର ପଞ୍ଚମ ବଲରେ ଓପନର ନୈନ୍‍ ଆବିଦିଙ୍କୁ ବୋଲ୍‍ଡ କରି ଶିଖା ପାଣ୍ଡେ ଭାରତ ପାଇଁ ପ୍ରଥମ ସଫଳତା ଅର୍ଜନ କରିଥିଲେ। ଅନ୍ୟତମ ଓପନର ନାହିଦା ଖାନ୍‍ ଗୋଟିଏପଟେ ସତର୍କତାର ସହ ବ୍ୟାଟିଂ ଜାରି ରଖିଥିବାବେଳେ ଅନ୍ୟପଟରୁ ନିୟମିତ ବ୍ୟବଧାନରେ ୱିକେଟର ପତନ ଘଟିବା ଫଳରେ ପାକିସ୍ତାନ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ବିସ୍‍ମା ମାରୁଫ୍‍ ୪, ଜାଭେରିଆ ଖାନ୍‍ ୪, ନିଦା ଦର୍‍ ୮ ରନ କରି ପ୍ୟାଭିଲିୟନ ଫେରିଯାଇଥିବାବେଳେ ପାକ୍‍ ଦଳ ଏକଦା ୪ ୱିକେଟରେ ୩୫ ରନ କରିଥିଲା। ନାହିଦା ଖାନ୍‍ ୧୮ ଓ ସାନା ମୀର୍‍ଙ୍କ ଅପରାଜିତ ୨୦ ରନ ବଳରେ ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୭୨ ରନ କରିଥିଲା। ଭାରତ ପକ୍ଷରୁ ଏକତା ବିସ୍ତ୍‍ ୧୪ ରନରେ ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିବାବେଳେ ଶିଖା ପାଣ୍ଡେ, ଅନୁଜା ପାଟିଲ, ପୁନମ ଯାଦବ ଓ ଦିପ୍ତୀ ଶର୍ମା ପ୍ରତ୍ୟେକ ଗୋଟିଏ ୱିକେଟ ପାଇଥିଲେ।
୭୩ ରନ୍‍ର ସହଜ ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଭାରତ ୫ ରନରେ ଓପନର ମିତାଲି ରାଜ୍‍ଙ୍କ (୦) ଓ ଦିପ୍ତା ଶର୍ମାଙ୍କ (୦) ୱିକେଟ ହରାଇଥିଲା। ତେବେ ସ୍ମୃତି ମାନ୍ଧାନା ଓ ଅଧିନାୟିକା ହରମନପ୍ରୀତ କୌର ୩ୟ ୱିକେଟ ପାଇଁ ୬୫ ରନ ଯୋଗକରି ଭାରତର ବିଜୟକୁ ନିଶ୍ଚିତ କରିଥିଲେ। ୭୦ ରନରେ ହରମନପ୍ରୀତ ବ୍ୟକ୍ତିଗତ ୩୪ ରନ କରି ତୃତୀୟ ଖେଳାଳିଭାବେ ଆଉଟ ହୋଇଥିଲେ। ତେବେ ଭାରତ ୧୬.୧ ଓଭରରେ ୩ ୱିକେଟ ବିନିମୟରେ ୭୫ ରନ କରି ବିଜୟୀ ହୋଇଥିଲା। ପାକିସ୍ତାନ ପକ୍ଷରୁ ଆନମ ଅମିନ ୨ଟି ଓ ନାସ୍‍ରା ସାନ୍ଧୁ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ। ଏକତା ବିସ୍ତ୍‍ ‘ପ୍ଲେୟାର ଅଫ୍‍ ଦି ମ୍ୟାଚ’ ବିବେଚିତ ହୋଇଛନ୍ତି। ଶନିବାର ଖେଳାଯାଇଥିବା ଅନ୍ୟ ମ୍ୟାଚରେ ଥାଇଲାଣ୍ଡ ୪ ୱିକେଟରେ ଶ୍ରୀଲଙ୍କାକୁ ଓ ବାଂଲାଦେଶ ୭୦ ରନରେ ମାଲେସିଆକୁ ପରାସ୍ତ କରିଛି। ଭାରତ ଓ ବାଂଲାଦେଶ ପ୍ରତ୍ୟେକ ମୋଟ ପାଞ୍ଚଟି ମ୍ୟାଚ ମଧ୍ୟରୁ ଚାରିଟି ବିଜୟ ଓ ଗୋଟିଏ ପରାଜୟ ସହ ୮ ପଏଣ୍ଟ ଲେଖାଏଁ ପାଇ ଫାଇନାଲ ଖେଳିବାର ଯୋଗ୍ୟତା ହାସଲ କରିଛନ୍ତି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories