Patra electronics

ରାଜନୀତି ମଇଦାନକୁ ଓହ୍ଲାଇବେ ବିନେଶ ଫୋଗତ ? ଏହି ଦଳ ସହିତ ଆରମ୍ଭ କରିବେ ନୂଆ ଇନିଂସ

ନୂଆଦିଲ୍ଲୀ: ପ୍ୟାରିସ୍‌ ଅଲିମ୍ପିକ୍ସରେ ୧୦୦ ଗ୍ରାମ ଅଧିକ ଓଜନ କାରଣରୁ ପଦକ ହରାଇଥିବା ଭାରତୀୟ ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗତ ଶୁକ୍ରବାର ହରିୟାଣା ସାଂସଦ ଦୀପେନ୍ଦ୍ର ହୁଡ୍ଡା ଏବଂ ତାଙ୍କ ପରିବାରକୁ ଦିଲ୍ଲୀରେ ଭେଟିଛନ୍ତି। ଏହାପରେ ବିନେଶ ରାଜନୀତିରେ ପ୍ରବେଶ କରିବାକୁ ନେଇ ଚର୍ଚ୍ଚା ଜୋର ଧରିଛି। କୁସ୍ତିରୁ ଅବସର ଘୋଷଣା କରିଥିବା ବିନେଶ ଖୁବଶୀଘ୍ର କଂଗ୍ରେସ ସହିତ ନିଜର ରାଜନୈତିକ ଇନିଂସ ଆରମ୍ଭ କରିପାରନ୍ତି ବୋଲି ଅନେକ କଳ୍ପନାଜଳ୍ପନା ଲାଗି ରହିଛି।

ହରିୟାଣା ସାଂସଦ ହୁଡ୍ଡା ବିନେଶଙ୍କ ସହ ତାଙ୍କର ସାକ୍ଷାତ ସମୟର ଫଟୋ ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି। ତେବେ ସ୍ଵଦେଶ ଫେରିବା ପରଠାରୁ ବିନେଶ ଫୋଗତ ଲଗାତର ହୁଡ୍ଡା ପରିବାର ସହ ଯୋଗାଯୋଗରେ ଅଛନ୍ତି। ଏହା ତାଙ୍କର ତୃତୀୟ ସାକ୍ଷାତ ଥିଲା। କୁହାଯାଉଛି ଯେ, ଏହାପରେ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟି ପାରନ୍ତି ବିନେଶ।

ପ୍ୟାରିସ ଅଲିମ୍ପିକ୍ସରେ ତାଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ପରେ ପ୍ରିୟଙ୍କା ସାମାଜିକ ଗଣମାଧ୍ୟମରେ ଅଭିନନ୍ଦନ ଜଣାଇ ବିନେଶଙ୍କୁ ଭେଟିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏହି ପ୍ରସଙ୍ଗରେ ସେ ସାକ୍ଷାତ କରିପାରନ୍ତି ବୋଲି ଅନୁମାନ କରାଯାଉଛି। ତେବେ ଗତ କିଛି ଦିନ ହେବ ବିନେଶ କଂଗ୍ରେସରେ ସାମିଲ ହେବା ଏବଂ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ଜୋର ଧରିଛି।

ତେବେ ବର୍ତ୍ତମାନସୁଦ୍ଧା ବିନେଶ କିମ୍ବା ତାଙ୍କ ପରିବାର ପକ୍ଷରୁ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ମିଳିନାହିଁ। ସାକ୍ଷାତ ପରେ ହୁଡ୍ଡା ଗଣମାଧ୍ୟମ ସହ ଆଲୋଚନା କରିଥିଲେ। ସେ ବିନେଶଙ୍କ କଂଗ୍ରେସରେ ଯୋଗଦେବା କଥାକୁ କାଳ୍ପନିକ ବୋଲି କହିଛନ୍ତି। ସେ କହିଛନ୍ତି, ଖେଳାଳିମାନେ କେବଳ ଦଳର ହୋଇ ନଥା’ନ୍ତି ବରଂ ସମଗ୍ର ଦେଶର ହୋଇଥା’ନ୍ତି। ଯଦି କେହି କୌଣସି ଦଳରେ ସାମିଲ ହୁଅନ୍ତି, ତେବେ ଏହା ଜଣା ପଡ଼ିଯାଏ। ଯିଏ ଦଳକୁ ଆସନ୍ତି ଆମେ ତାଙ୍କୁ ସ୍ୱାଗତ କରୁ। ସେ ଆହୁରି କହିଛନ୍ତି ଯେ, ବିନେଶଙ୍କ ପ୍ରତି ଅନ୍ୟାୟ କରାଯାଇଛି। ତାଙ୍କୁ ଉପଯୁକ୍ତ ସମ୍ମାନ ମିଳିବା ଉଚିତ୍। ତାଙ୍କୁ ରାଜ୍ୟସଭାକୁ ମନୋନୀତ କରିବା ଉଚିତ ଥିଲା। ସେ ଏହା ମଧ୍ୟ କହିଛନ୍ତି ଯେ, ଅଲିମ୍ପିକ୍ସରେ ଜଣେ ସ୍ୱର୍ଣ୍ଣ ବିଜେତାଙ୍କୁ ଯେଉଁ ସମ୍ମାନ ମିଳେ ବିନେଶଙ୍କୁ ସରକାର ସେହି ସମ୍ମାନ ଦେବା ଉଚିତ୍ ଥିଲା। ଯେତେବେଳେ କି ହରିୟାଣା ସରକାର ତାଙ୍କ ପାଇଁ ରୌପ୍ୟ ପୁରସ୍କାର ସମାନ ପରିମାଣ ରାଶି ଘୋଷଣା କରିଛନ୍ତି।

Comments are closed.