ଖୋର୍ଦ୍ଧା ଜିଲ୍ଲା ମଲ୍ଲିପୁର ପଞ୍ଚାୟତର ମଲ୍ଲିପୁର ଗ୍ରାମର ଗ୍ରାମ୍ୟ ଜଙ୍ଗଲରେ ଆଜି ସକାଳୁ କିଛି ଲୋକ ଏକ ଖୋଲ ଭିତରେ ଏକ ଅଜଗର ସାପକୁ ଦେଖିଲେ। ସ୍ଥାନୀୟ ଯୁବକମାନେ ହଳଦିଆ ରେଞ୍ଜ ଅଫିସରଙ୍କୁ ଖବର ଦେଲା ପରେ ରେଞ୍ଜ ଅଫିସର ଜୟକୃଷ୍ଣ ପଣ୍ଡା ନିଜର ଟିମ ଧରି ପହଞ୍ଚିଲେ। ସ୍ଥାନୀୟ କିଛି ସାପ ଉଦ୍ଧାରକାରୀ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଲେ। ତେବେ ସେମାନେ ସାପକୁ ଉଦ୍ଧାର କରିବା ପୂର୍ବରୁ ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ରେଞ୍ଜ ଅଫିସରଙ୍କୁ ଉଦ୍ଧାର କରିବା ପାଇଁ ମନା କରି ନିଜେ ଯାଉଛନ୍ତି ବୋଲି କହିଲେ। ରେଞ୍ଜ ଅଫିସର ସ୍ଥାନୀୟ ସାପ ଉଦ୍ଧାରକାରୀଙ୍କୁ ବାରଣ କରିଥିଲେ।
ସ୍ନେକ ହେଲ୍ପ ଲାଇନର ଏକ ଦୁଇ ଜଣିଆ ଟିମ ଶୁଭେନ୍ଦୁ ମଲ୍ଲିକଙ୍କ ନେତୃତ୍ୱରେ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ବହୁ ଜନ ସମାଗମ ହୋଇସାରିଥିଲା ଏବଂ ଜଣେ ପୁଲିସ ସବଇନ୍ସପେକ୍ଟର ନିଜ ଷ୍ଟାଫଙ୍କୁ ଧରି ଆଇନ ଶୃଙ୍ଖଳା ରକ୍ଷା କରୁଥିଲେ। କରୋନା କଟକଣା ପାଇଁ ପୁଲିସ ଲୋକଙ୍କୁ ଦୂରକୁ ହଟେଇବା ପରେ ଶୁଭେନ୍ଦୁ ଆସ୍ତେ ଆସ୍ତେ ସାପକୁ ନିଜର ହୁକ ସାହାଯ୍ୟରେ ଅଳ୍ପ ଟେକିବା ପରେ ସାପ ପେଟ ତଳେ କିଛି ଅଣ୍ଡା ଦେଖିବାକୁ ପାଇଥିଲେ। ଆଉ ସାପକୁ ବିରକ୍ତ ନକରି ତୁରନ୍ତ ଚନ୍ଦକା ଡିଏଫଓଙ୍କୁ ଜଣେଇଥିଲେ। ସାପକୁ ତା ବସାରୁ ବାହାର ନକରି ସେହି ଜାଗାରେ ଅଣ୍ଡା ଫୁଟେଇବାକୁ ସୁଯୋଗ ଦେବା ପାଇଁ ଶୁଭେନ୍ଦୁ ପରାମର୍ଶ ଦେଇଥିଲେ। ଚନ୍ଦକା ଡିଏଫଓଙ୍କ ନିର୍ଦ୍ଦେଶରେ ଆଜି ଠାରୁ ସେହି ଜାଗାରେ ବାରିକେଡ ତିଆରି ହୋଇ ଏକ ଅସ୍ଥାୟୀ କ୍ୟାମ୍ପ ବ୍ୟବସ୍ଥା କରାଯାଇଛି।
ସ୍ଥାନୀୟ ଗ୍ରାମ କମିଟି ତରଫରୁ ଗ୍ରାମର ଯୁବକ ସଙ୍ଘ ମଧ୍ୟ ସାପର ସୁରକ୍ଷା ଦାୟିତ୍ୱ ନେଇଛନ୍ତି। ମଲ୍ଲୀପୁର ସରପଞ୍ଚ ବିଜୟ କୁମାର ଦାସ ଓ ଗଡ଼ ନିଆଳ ଗ୍ରାମ୍ୟ କମିଟି ସଭାପତି ମନୋଜ କୁମାର ପ୍ରତିହାରୀ ଗ୍ରାମବାସୀଙ୍କ ତରଫରୁ ସୁରକ୍ଷା ଦେବା ପାଇଁ ଆଗେଇ ଆସିଛନ୍ତି। ଅଜଗର ସାପଟି କିପରି ନିଜ ବସା ପାଖରେ ପାଣି ପାଇ ପାରିବ ସେଥି ନିମନ୍ତେ ଗ୍ରାମ୍ୟ କମିଟି ତରଫରୁ ଏକ ସିମେଣ୍ଟ ନନ୍ଦ ବ୍ୟବସ୍ଥା କରାଯାଇଛି। ସେହି ନନ୍ଦ ଭିତରେ ପାଣି ମଧ୍ୟ ଭର୍ତ୍ତି କରି ଦିଆଯାଇଛି। ଅଜଗର ସାପ ଅଣ୍ଡା ଦେଇଥିବା ଖବର ବିଜୁଳି ବେଗରେ ଚାରିଆଡେ ବ୍ୟାପିବା ପରେ ବହୁତ ଲୋକ ଘଟଣା ସ୍ଥଳକୁ ଆସିବାରେ ଲାଗିଛନ୍ତି। ଏଥିପାଇଁ ବନ ବିଭାଗ ତରଫରୁ ସାପ ବସା ଠାରୁ ପ୍ରାୟ ୩୦ ଫୁଟରୁ ଅଧିକ ଦୂରରେ କାଠ ବହ୍ଲା ଦ୍ୱାରା ବାରିକେଡ ନିର୍ମାଣ କରାଯାଇଛି।
ହଳଦିଆ ରେଞ୍ଜ ଅଧିକାରୀ ଜୟକୃଷ୍ଣ ପଣ୍ଡା ଏନେଇ କହିଛନ୍ତି, ଭାରତୀୟ ଅଜଗର ସାପ ବନ୍ୟପ୍ରାଣୀ (ସଂରକ୍ଷଣ) ଆଇନ, ୧୯୭୨ ଅନୁଯାୟୀ ତଫସିଲ ୧ ଅନ୍ତର୍ଭୂକ୍ତ ସାପର ବସାକୁ ଭାଙ୍ଗି ନଷ୍ଟ କଲେ ଜାମିନ ବିହୀନ ଦଫା ଧାରା ୯ (ପ୍ରୋହିବିସନ ଅଫ ହଁଟିଙ୍ଗ)ରେ ଗିରଫଦାରୀ ହେବ। ସାପ ଅଣ୍ଡା ଫୁଟିବା ପର୍ଯ୍ୟନ୍ତ ସେହି ସ୍ଥାନରେ ୨୪ ଘଣ୍ଟିଆ ପହରା ଦିଆଯିବ ବୋଲି ସେ କହିଛନ୍ତି।
ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ସାପ ଅଣ୍ଡାକୁ ବନ କର୍ମଚାରୀ ଓ ଗ୍ରାମବାସୀ ସୁରକ୍ଷା ଦେବା ଓଡ଼ିଶାରେ ପ୍ରଥମ ଘଟଣା। ଅଜଗର ସାପ ମାର୍ଚ୍ଚରୁ ଜୁନ ମାସ ମଧ୍ୟରେ ପ୍ରାୟ ୧୦୦ ପର୍ଯ୍ୟନ୍ତ ଅଣ୍ଡା ଦେଇ ଅଣ୍ଡାକୁ ଫୁଟିବା ପର୍ଯ୍ୟନ୍ତ ଜଗି ରହିଥାନ୍ତି। ଏଠି ଯଦି ମା’ ସାପକୁ ଧରି ସ୍ଥାନାନ୍ତର କରାଯାଇଥାନ୍ତା ତାହେଲେ ଆଉ ସେହି ଅଣ୍ଡା ଗୁଡିକ କସ୍ମିନ୍ କାଳେ ଫୁଟି ନଥାନ୍ତା। ସ୍ନେକ ହେଲ୍ପ ଲାଇନର ଅଧୀକୃତ ସଦସ୍ୟମାନେ ପ୍ରତିଦିନ ଘଟଣାସ୍ଥଳକୁ ଯାଇ ପୁରା ବ୍ୟବସ୍ଥାକୁ ତଦାରଖ କରିବା ସହ ଗ୍ରାମବାସୀ ଓ ବନ ବିଭାଗକୁ ସହଯୋଗ କରିବେ।
ଚନ୍ଦକା ଡିଏଫଓ କେଦାର ସ୍ୱାଇଁ କହିଛନ୍ତି, ସାପ ଅଣ୍ଡା ଫୁଟିବା ପର୍ଯ୍ୟନ୍ତ ଏହି କଟକଣା ଜାରି ରହିଲା। କୌଣସି ଲୋକଙ୍କୁ ସାପ ଅଣ୍ଡା ପାଖକୁ ଛଡା ଯିବ ନାହିଁ। ଆମ କର୍ମଚାରୀ ୨୪ ଘଣ୍ଟା ସେହି ସ୍ଥାନରେ ରହିବେ। ଗ୍ରାମବାସୀ କରୋନା କାଳରେ ନିଜ ଘରେ ରୁହନ୍ତୁ ଏବଂ ସାପ ଅଣ୍ଡା ପାଖକୁ ଆଦୌ ଆସନ୍ତୁ ନାହିଁ ବୋଲି ସେ କହିଛନ୍ତି।



