ବିଜୟ ହଜାରେ ଟ୍ରଫି, ଆଜି ଓଡ଼ିଶା-କେରଳ ମୁକାବିଲା

କଟକ: ବିସିସିଆଇ ଘରୋଇ ଟୁର୍ଣ୍ଣାମେଣ୍ଟ ବିଜୟ ହଜାରେ ଟ୍ରଫି ଦିନିକିଆ କ୍ରିକେଟ ଶନିବାରଠାରୁ ଆରମ୍ଭ ହେଉଛି। ଏଲିଟ୍ ଗ୍ରୁପ-ସି ରେ ସ୍ଥାନ ପାଇଥିବା ଓଡ଼ିଶା ପ୍ରଥମ ମ୍ୟାଚ ବେଙ୍ଗାଲୁୁରୁର ଅଲୁର କ୍ରିକେଟ ଗ୍ରାଉଣ୍ଡରେ କେରଳ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ। ବରିଷ୍ଠ ଖେଳାଳିଙ୍କ ବଦଳରେ ଓଡ଼ିଶା ନୂତନ ଯୁବ ଅଧିନାୟକ ଶାନ୍ତନୁ ମିଶ୍ରଙ୍କ ନେତୃତ୍ବରେ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଛି। ଦଳରେ ଅଭିଜ୍ଞ ଖେଳାଳି ଭାେବ ଶୁଭ୍ରାଂଶୁ ସେନାପତି,ରାଜେଶ ଧୁପର, ଦେବାଶିଷ ସାମନ୍ତରାୟ, ସନ୍ଦୀପ ପଟ୍ଟନାୟକଙ୍କ ଭଳି ବ୍ୟାଟ୍ସମ୍ୟାନ ରହିଛନ୍ତି। ବୋଲିଂ ବିଭାଗରେ ରାଜେଶ ମହାନ୍ତି, ସୂର୍ୟ୍ୟକାନ୍ତ ପ୍ରଧାନ, ଦେବବ୍ରତ ପ୍ରଧାନ, ଅଙ୍କିତ ଯାଦବ, ଅଭିଷେକ ଯାଦବ,ପ୍ରମୁଖ ରହିଛନ୍ତି। ଏକାଧିକ ନୂତନ ଖେଳାଳିଙ୍କୁ ନେଇ ଗଠିତ ଓଡ଼ିଶା ଟୁର୍ଣ୍ଣାମେଣ୍ଟରେ ଭଲ ଆରମ୍ଭ କରିବା ଲକ୍ଷ୍ୟ ରଖିଛି। ମୁଖ୍ୟ ପ୍ରଶିକ୍ଷକ ରଶ୍ମିରଞ୍ଜନ ପରିଡ଼ା ମଧ୍ୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବା ନେଇ ଆଶାବାଦୀ ରହିଛନ୍ତି।

ସୟଦ ମୁସ୍ତାକ ଅଲ୍ଳୀ ଟ୍ବେଣ୍ଟି ୨୦ ଲିଗ୍’ରେ ଓଡ଼ିଶା ଯୁବ ଖେଳାଳିମାନଙ୍କୁ ନେଇ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିଲା। ଏଥିରେ ଦଳ ଦୟନୀୟ ପ୍ରଦର୍ଶନ କରିଥିବାବେଳେ ଦିନିକିଆ ବିଜୟ ହଜାରେ ଟ୍ରଫିରେ ଭଲ କରିବାର ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ଅଭିଜ୍ଞ ୱିକେଟ କିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନଙ୍କ ନେତୃ୍ତ୍ବାଧୀନ କେରଳ ମଧ୍ୟ କୌଣସି ଗୁଣରେ କମ୍ ନୁହେଁ। ସାମସନଙ୍କ ବ୍ୟତୀତ ରବିନ୍ ଉଥପ୍ପା, ସଚିନ ବେବି, ଜଲାଲ ସାକ୍ସେନା, ବିଷ୍ଣୁ ବିନୋଦ ପ୍ରମୁଖ ରହିଛନ୍ତି। ବୋଲିଂ ବିଭାଗରେ ଆଇପିଏଲ ସ୍ପଟ୍ ଫିକ୍ସିଂ ଅଭିଯୋଗରୁ ମୁକୁଳିବା ପରେ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଥିବା ଫାଷ୍ଟ ବୋଲର ଶ୍ରୀଶାନ୍ତଙ୍କ ସମେତ ମହମ୍ମଦ ଆଜାରୁଦ୍ଦିନ, ରୋଜିଥ ଗଣେଶଙ୍କ ଭଳି ବୋଲର ରହିଛନ୍ତି। ଉଭୟ ଦଳର ଖେଳାଳିଙ୍କ ଦକ୍ଷତା ଓ ଅଭିଜ୍ଞତାକୁ ଦେଖିଲେ ଓଡ଼ିଶାଠାରୁ କେରଳ ବହୁତ ଆଗରେ ରହିଛି। ଓଡ଼ିଶା ଯୁବ ଅଧିନାୟକ ଯୁବ ଦଳକୁ ନେଇ ମଧ୍ୟ କିଛି ଚମକ ଦେଖାଇବା ଲକ୍ଷ୍ୟରେ ରହିଥିବା ବେଳେ କେରଳ ମଧ୍ୟ ସହଜରେ ମ୍ୟାଚକୁ ହାତଛଡ଼ା କରିବାକୁ ଚାହିଁବନି। ମ୍ୟାଚ ପ୍ରତିଦ୍ବନ୍ଦ୍ବିତା ହେବା ନେଇ ଆଶା କରାଯାଉଛି।

Comments are closed.