ଢେଙ୍କାନାଳ: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଢେଙ୍କାନାଳ ସମବାୟ ସମିତି ଉପନିବନ୍ଧକ ବିଦ୍ୟାଧର ବେହେରାଙ୍କର ଚାରୋଟି ଘର ଉପରେ ଏକକାଳୀନ ଚଢ଼ାଉ ହୋଇଛି। ବର୍ତ୍ତମାନ ସୁଦ୍ଧା ମିଳିଥିବା ଖବର ଅନୁଯାୟୀ ପ୍ରାୟ ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ଜଣାଯାଇଛି। ବିଦ୍ୟାଧରଙ୍କ ପୈତୃକ ଗ୍ରାମ ଭଣ୍ଡାରିପୋଖରୀ ଅନ୍ତର୍ଗତ କୁମ୍ଭାରିଆ, ଭୁବନେଶ୍ୱରର ୨ଟି ଜାଗା ଓ ଢେଙ୍କାନାଳର କୋ-ଅପରେଟିଭ୍ ସୋସାଇଟି କାର୍ଯ୍ୟାଳୟରେ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ବିଦ୍ୟାଧରଙ୍କ ଭୁବନେଶ୍ୱରସ୍ଥିତ ପଟିଆ ଠାରେ ଥିବା ୩ ମହଲା କୋଠା ଯାହାର ମୂଲ୍ୟ ୧ କୋଟି ୨୧ଲକ୍ଷ, ତା ନିକଟରେ ଥିବା ଏକ ଫ୍ଲାଟ୍ ଯାହାର ମୂଲ୍ୟ ୪୦ଲକ୍ଷରୁ ଊର୍ଦ୍ଧ୍ବ, ଗୋଟିଏ କାର୍ ଓ ଦୁଇଟି ବାଇକ୍ ଯାହାର ମୂଲ୍ୟ ୫ଲକ୍ଷରୁ ଊର୍ଦ୍ଧ୍ବ, ବ୍ୟାଙ୍କରେ ୭ଲକ୍ଷ ଟଙ୍କାର ସ୍ଥାୟୀ ଜମା, ଘରର ଆସବାବ ପତ୍ର ଯାହାର ମୂଲ୍ୟ ୭ଲକ୍ଷରୁ ଊର୍ଦ୍ଧ୍ବ, ସୁନାଗହଣା ଯାହାର ମୂଲ୍ୟ ୫ଲକ୍ଷରୁ ଊର୍ଦ୍ଧ୍ବ ରହିଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଏହାଛଡ଼ା ଅନ୍ୟାନ୍ୟ ସ୍ଥାନରେ ଠାବ ହୋଇଥିବା ସମ୍ପତ୍ତିର ମୂଲ୍ୟ ଜଣାପଡ଼ିପାରିନାହିଁ। ବର୍ତ୍ତମାନ ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ଜଣାଯାଇଛି। ଏହି ଚଢ଼ାଉରେ ଭିଜିଲାନ୍ସ ବିଭାଗର ୫ଟି ଦଳ ଗଠନ କରାଯାଇ ଚଢ଼ାଉ କରାଯାଇଥିଲା। ଆଡିସ୍ନାଲ୍ ଏସ୍.ପି. ବେଣୁଧର ନାୟକ, ଡିଏସ୍ପି ଟି. ସ୍ୱାଇଁ, ଇନ୍ସପେକ୍ଟର ଅନିରୁଦ୍ଧ ନାୟକ, ଅନୁପମା ସ୍ୱାଇଁ ଏବଂ ଅନ୍ୟମାନେ ଏହି ଚଢ଼ାଉରେ ସାମିଲ ଥିଲେ।



