ମଠଭଙ୍ଗା ନିଷ୍ପତ୍ତିକୁ ବିଏଚପିର ବିରୋଧ

 

ପୁରୀ : ପ୍ରଶାସନର ମଠଭଙ୍ଗା ନିଷ୍ପତ୍ତିକୁ ବିଶ୍ବହିନ୍ଦୁ ପରିଷଦ ତୀବ୍ର ବିରୋଧ କରିଛି। ପ୍ରାଚୀନ ଐତିହ୍ୟର ସଂରକ୍ଷଣ ପରିବର୍ତ୍ତେ ରାଜ୍ୟ ସରକାର ଲଙ୍ଗୁଳିମଠ, ଏମାରମଠ, ରଘୁନନ୍ଦନ ପାଠାଗାର ଉଚ୍ଛେଦ କରି ଐତିହ୍ୟକୁ ସମାଧି ଦେଇଥିବା ରାଜ୍ୟ ସଭାପତି ଡଃ ନଗେନ କୁମାର ଦେବତା ପ୍ରକାଶ କରିଛନ୍ତି। ବୁଧବାର ସାମ୍ବାଦିକ ସମ୍ମିଳନୀରେ ସେ କହିଲେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ରାଜ୍ୟବାସୀ ସମର୍ଥନ କରୁଛନ୍ତି। କିନ୍ତୁ ମେଘନାଦ ପ୍ରାଚୀର ନିକଟରେ ଥିବା ପ୍ରାଚୀନ ମଠ ଗୁଡିକ ଶ୍ରୀମନ୍ଦିର ପାଇଁ ବିପଦ ସୃଷ୍ଟି କରୁନାହଁାନ୍ତି। ମଠଗୁଡିକୁ ଉଚ୍ଛେଦ କରାଯିବା ପଛରେ କୌଣସି ଯୁକ୍ତିଯୁକ୍ତ କାରଣ ନାହିଁ। ବଡ଼ଆଖଡାମଠ ଭାଙ୍ଗିବାକୁ ପୌରସଂସ୍ଥା ଜାରି କରିଥିବା ନୋଟିସ ସମ୍ପୂର୍ଣ୍ଣ ଆଇନ ବିରୋଧୀ ଅଟେ। ଯଦି ଯେକୌଣସି ମଠର କିଛି ଅଂଶ ଅସୁରକ୍ଷିତ ରହିଛି ତାହାର ମରାମତି ପାଇଁ ମଠାଧିଶଙ୍କୁ ଜିଲା ପ୍ରଶାସନ ଏବଂ ପୌର କର୍ତ୍ତୃପକ୍ଷ ସୁଯୋଗଦେବା ଉଚିତ। ତେଣୁ ରାଜ୍ୟ ସରକାର ତାଙ୍କ ଅଭିମୁଖ୍ୟ ସ୍ପଷ୍ଟ କରିବାକୁ ବିଶ୍ବ ହିନ୍ଦୁ ପରିଷଦ ରାଜ୍ୟ ଉପସଭାପତି ପଣ୍ଡିତ ମହେଶ ପ୍ରସାଦ ସାହୁ ଦାବି କରିଛନ୍ତି। ମଠାଧୀଶଙ୍କ ଉପରେ ପ୍ରଶାସନ ଦମନଲୀଳା ଚଳାଇଥିବା ସେ ଅଭିଯୋଗ କରିଛନ୍ତି। ଶ୍ରୀକ୍ଷେତ୍ରର ପ୍ରାଚୀନ ସଂସ୍କୃତି, ଐତିହ୍ୟ, ପରମ୍ପରା ଏବଂ ଶ୍ରୀଜଗନ୍ନାଥ ସଂସ୍କୃତି ସହ ମଠମନ୍ଦିର ଗୁଡିକର ନିବିଡ ସମ୍ପର୍କ ରହିଥିବା ସେ ଯୁକ୍ତି ବାଢିଛନ୍ତି। ତେଣୁ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ରହିଥିବା ମଠଗୁଡିକୁ ଭାଙ୍ଗିବା ପରିବର୍ତ୍ତେ ସଂରକ୍ଷଣ କରାଯିବାକୁ ସେ ପରାମର୍ଶ ଦେଇଛନ୍ତି। କଟକୀ ମଠମହନ୍ତ ଡଃ ବିଜୟ ନାରାୟଣ ରାମାନୁଜ ଦାସ, ପ୍ରାନ୍ତ ମାର୍ଗଦର୍ଶକ ମଣ୍ଡଳୀ ସଭ୍ୟ ସତ୍ୟସ୍ବରୂପାନନ୍ଦ ଗିରି, ରାଜ୍ୟ ଉପସଭାନେତ୍ରୀ ତାଇଫୁନ ପରିଜା ଏବଂ ସ୍ବାମୀ ସତ୍ୟାନନ୍ଦ ମହାରାଜ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

Comments are closed.