ଦେବଗଡ: ଦେବଗଡ ଜିଲାବାସୀ ତଥା ନିର୍ବାଚିତ ଲୋକ ପ୍ରତିନିଧିମାନଙ୍କର ବାରମ୍ବାର ଦାବୀ ପରେ କରୋନା ମୁକାବିଲା ନିମନ୍ତେ ସରକାର ଦେବଗଡ ଜିଲା ମୁଖ୍ୟ ଚିକିତ୍ସାଳୟକୁ ୬ଗୋଟି ଭେଣ୍ଟିଲେଟର ଯୋଗାଇ ଦେଇଛନ୍ତି। ମାତ୍ର ଇତି ମଧ୍ୟରେ ଏହାର ପ୍ରାୟ ୨୦ ଦିନ ବିତିଯାଇଥିଲେ ମଧ୍ୟ ଭେଣ୍ଟିଲେଟରଗୁଡିକୁ ଇନଷ୍ଟଲ କରାଯାଇ ପାରି ନ ଥିବାରୁ ରୋଗୀମାନଙ୍କୁ ଏହି ସୁବିଧା ଉପଲବ୍ଧ ହୋଇ ପାରୁନାହିଁ। ଏଣୁ ଭେଣ୍ଟିଲେଟରଗୁଡିକୁ ଇନଷ୍ଟଲ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ଯୁବ ବିଜେଡିର ପୂର୍ବତନ କାର୍ଯ୍ୟକାରୀ ସଭାପତି ସଞ୍ଜିତ ମହାନ୍ତି ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ମୃନବକିଶୋର ଦାସଙ୍କୁ ପତ୍ର ଦ୍ୱାରା ନିବେଦନ କରିଛନ୍ତି। ଦେବଗଡ ଜିଲା ଏକ ଅନୁନ୍ନତ ଜିଲା ହୋଇଥିବା ବେଳେ ଜିଲାର ଅଧିକାଂଶ ଲୋକ ଗ୍ରାମାଞ୍ଚଳରେ ବାସ କରନ୍ତି ଓ ଚିକିତ୍ସା ନିମନ୍ତେ ସରକାରୀ ଡାକ୍ତରଖାନାରେ ନିର୍ଭର କରୁଥିବା ଦର୍ଶାଇ ତୁରନ୍ତ ଏହି ଭେଣ୍ଟିଲେଟର ଗୁଡିକୁ ଇନଷ୍ଟଲ କରାଯାଇ କରୋନା ମୃତ୍ୟୁ ମୁଖରୁ ଲୋକଙ୍କୁ ବଞ୍ଚାଇବାକୁ ଶ୍ରୀ ମହାନ୍ତି ତାଙ୍କ ପତ୍ରରେ ଦାବୀ ଜଣାଇଛନ୍ତି। ଏଥିସହ ସେ ଏହି ପତ୍ରର ନକଲ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପି.କେ.ମହାପାତ୍ର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦେବଗଡ ଜିଲାପାଳ ଓ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପ୍ରଦାନ କରିଥିବା ଜଣାପଡିଛି।
ଜିଲା ମୁଖ୍ୟ ଚିକିତ୍ସାଳୟରେ ଭେଣ୍ଟିଲେଟର ଖଞ୍ଜିବା ପାଇଁ ଦାବୀ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ପୂର୍ବତନ ଯୁବ ବିଜେଡି ରାଜ୍ୟ କାର୍ଯ୍ୟକାରୀ ସଭାପତି
Popular Categories



