ପନିପରିବା ଆକାଶ ଛୁଆଁ ଦରର ପ୍ରତିବାଦ
ଅଧା ଦାମରେ ପରିବା ବିକିଲେ ବିଜେପି ନେତା ଅଭୟ ଓ ଦଳୀୟ କାର୍ଯ୍ୟକର୍ତ୍ତା
ଆଠଗଡ : ରାଜ୍ୟରେ ପନିପରିବା ଦର ଆକାଶ ଛୁଆଁ ହୋଇଥିବାରୁ ସାଧାରଣ ଖାଉଟି ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପନିପରିବା ଉତ୍ପାଦନ ପାଇଁ ପ୍ରସିଦ୍ଧ ଆଠଗଡରେ ପନିପରିବା ଦର ଅନୁରୂପ ଭାବେ ଏତେ ପରିମାଣରେ ବୃଦ୍ଧି ପାଇଛି ଯେ ଗରିବ ଖାଉଟି କେବଳ ଆଳୁକୁ ହିଁ ଭରଷା କରି ଜୀବନ ବିତାଉଛନ୍ତି । ରାଜ୍ୟ ସରକାର ବିଶେଷ କରି କୃଷି ମନ୍ତ୍ରୀ ବଡ ବଡ କଥା କହୁଥିବା ବେଳେ ରାଜ୍ୟରେ ଗୋଟିଏ ମଧ୍ୟ ଶୀତଳ ଭଣ୍ଡାର ବିଗତ ୨୩ବର୍ଷ ଶାସନ କାଳ ମଧ୍ୟରେ ପ୍ରତିଷ୍ଠା କରିପାରିଲେ ନାହିଁ । ଫଳରେ ଆଠଗଡ ସମେତ ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ବହୁଳ ଉତ୍ପାଦନ ସମୟରେ ଅଭାବୀ ବିକ୍ରି କରି ବ୍ୟାପକ ଆର୍ଥିକ କ୍ଷତି ସହୁଥିବାବେଳେ ଅଭାବ ବେଳେ ପନିପରିବା ଦର ଅନିୟନ୍ତ୍ରିତ ହେଉଛି। ଏହାକୁ ନେଇ ଆଠଗଡ ବିଜେପି ପକ୍ଷରୁ କୃଷି ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳି ଆଠଗଡରେ ଅଭିନବ ପ୍ରତିବାଦ କରିଛି। ବିଜେପି ନେତା ଅଭୟ କୁମାର ବାରିକ ଗୁରୁବାର ଲକ୍ଷ୍ମୀବଜାର ପରିବା ହାଟରେ ବିଭିନ୍ନ ପନିପରିିବା ବଜାର ଦରର ଅଧା ଦାମରେ ବିକ୍ରୟ କରିଛନ୍ତି । ଆଠଗଡରେ ପ୍ରଚୁର ପରିମାଣରେ ପନିପରିବା ଫସଲ ଚାଷ ହେଉଥିବା ଏବଂ ସଂରକ୍ଷଣ ସୁବିଧା ନଥିବାରୁ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଥିବା ଦେଖି ୮୦ଦଶକରେ ତତ୍କାଳୀନ ଆଠଗଡ ବିଧାୟକ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏଠାରେ ଏକ ବଡ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିଥିଲେ । ୧୯୯୦ ମସିହାରୁ ଏଠାରେ ବିଧାୟକ ହୋଇଥିବା ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ତ୍ରୁଟିପୂର୍ଣ୍ଣ ପରିଚାଳନା ଓ ନୀତି ଯୋଗୁଁ ଉକ୍ତ ଶୀତଳ ଭଣ୍ଡାରଟି ୨୮ବର୍ଷ ହେଲା ବନ୍ଦ ହୋଇ ପଡିଛି ବୋଲି ଅଭୟ ଅଭିଯୋଗ କରିଥିଲେ । ୩୩ବର୍ଷ ଧରି ଆଠଗଡର ବିଧାୟକ ଏବଂ ଗତ ୪ବର୍ଷରୁ ଅଧିକ ସମୟ ହେଲା ରାଜ୍ୟର ପ୍ରଥମେ ସମବାୟ ଓ ପରେ କୃଷିମନ୍ତ୍ରୀ ଥାଇ ମଧ୍ୟ ଆଠଗଡ ଚାଷୀଙ୍କ ସୁବିଧା ପାଇଁ ଉକ୍ତ ଶୀତଳ ଭଣ୍ଡାରକୁ କାର୍ଯ୍ୟକ୍ଷମ କରି ପାରିଲେ ନାହିଁ କିମ୍ବା ନୂଆ ଶୀତଳ ଭଣ୍ଡାରଟିଏ ସ୍ଥାପନ କରିବା ପାଇଁ ଉଦ୍ୟମ ମଧ୍ୟ କଲେ ନାହିଁ । ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କେବଳ ଚାଷୀଙ୍କୁ ଓ ଆଠଗଡବାସୀଙ୍କ ଭୂଆଁ ବୁଲାଉଛନ୍ତି ବୋଲି କହିବା ସହ ଆଗାମୀ ନିର୍ବାଚନରେ ଆଠଗଡବାସୀ ତାଙ୍କୁ ଉଚିତ୍ ଜବାବ୍ ଦେବେ ବୋଲି ଅଭୟ ମତବ୍ୟକ୍ତ କରିଥିଲେ । ଲକ୍ଷ୍ମୀବଜାର ପରିବାହାଟରେ ସକାଳେ ଅଭୟ ବିଲାତି, ବାଇଗଣ, ଝୁଡୁଙ୍ଗ, ପୋଟଳ, ଅଦା, କଞ୍ଚାଲଙ୍କା ଆଦି ବିଭିନ୍ନ ପନିପରିବା ବର୍ତ୍ତମାନ ବଜାରଦରର ଅଧା ଦାମରେ ବିକ୍ରୟ କରିବା ସହିତ ଲୋକଙ୍କୁ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ଜଗଦାନନ୍ଦ ତ୍ରିପାଠୀ, ନୂତନ କୁମାର ରାଉତ, ସରୋଜ କୁମାର ଦାସ, ପ୍ରକାଶ କୁମାର ସେଠୀ, ନଚିକେତା ପରମାଣିକ, ଜ୍ଞାନରଞ୍ଜନ ମହାପାତ୍ର, ପ୍ରମୋଦ କୁମାର ଜେନା, ପ୍ରଶାନ୍ତ ସାହୁୁ, ହେମନ୍ତ ନାୟକ, ଜଗଦୀଶ କବି, ଅଜିତ୍ ନାୟକ, ରୁପେଶ ଦାସ, ସଂଜୟ ମହାନ୍ତି, ମାନୁଏଲ ପାତ୍ର, ହିମାଂଶୁ ସାହୁ, ଦିଲ୍ଲୀପ ସେଠୀ, ରଞ୍ଜନ ପୁହାଣ, ଅକ୍ଷୟ ସ୍ୱାଇଁ, ଦିଲ୍ଲୀପ ରାଉତ, ଦେବରାଜ ରାଉତ, ବିପିନ ସ୍ୱାଇଁ, ପର୍ଶୁରାମ ପାଳ ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ ।
Comments are closed.