ସେନାର ଉତ୍ତରାଞ୍ଚଳ କମାଣ୍ଡ ନେତୃତ୍ୱରେ ନେଲେ ସର୍ଜିକାଲ ଷ୍ଟ୍ରାଇକ୍‍ ମୁଖ୍ୟ

0

ନୂଆଦିଲ୍ଲୀ : ପାକିସ୍ତାନ ବିରୋଧରେ ସର୍ଜିକାଲ୍‍ ଷ୍ଟାଇକ୍‍ ଭଳି ଗୁରୁତ୍ୱପୂର୍ଣ୍ଣ ଅଭିଯାନର ନେତୃତ୍ୱ ନେଇଥିବା ଲେପ୍ଟନାଣ୍ଟ ଜେନେରାଲ ରଣବୀର ସିଂହ ଭାରତୀୟ ସେନାର ଉତ୍ତରାଞ୍ଚଳ କମାଣ୍ଡର ନୂତନ ମୁଖ୍ୟ ଭାବେ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ଏହି ଦାୟିତ୍ୱରେ ଥିବା ଲେପ୍ଟନାଣ୍ଟ ଜେନେରାଲ ଦେବରାଜ ଅନବୁ ସେନାର ନୂତନ ଉପମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଜାମ୍ମୁ କାଶ୍ମୀରର ଉଦ୍ଧାମପୁରସ୍ଥିତ ଉତ୍ତର କମାଣ୍ଡ ମୁଖ୍ୟାଳୟରେ ସିଂହ ଜେନେରାଲ ଅଫିସର କମାଣ୍ଡିଂ-ଇନ୍‍-ଚିଫ୍‍ ଭାବେ ଦାୟିତ୍ୱ ନିର୍ବାହ କରିବେ। ପୂର୍ବରୁ ସାମରିକ ଅଭିଯାନ ମହାନିର୍ଦେଶକ (ଡିଜିଏମ୍‍ଓ) ଭାବେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ସାମରିକ ଅଭିଯାନ ସମ୍ପାଦିତ ହୋଇଛି। ସେଗୁଡିକ ମଧ୍ୟରେ ୨୦୧୫ ଜୁନରେ ମ୍ୟାଁମାରସ୍ଥିତ ଅନୁପ୍ରବେଶକାରୀଙ୍କ ଶିବିର ଉପରେ ଆକ୍ରମଣ ଏବଂ ୨୦୧୬ ସେପ୍ଟେମ୍ବର ୨୯ରେ ନିୟନ୍ତ୍ରଣ ରେଖା ନିକଟସ୍ଥ ଆତଙ୍କବାଦୀ ଆଡ୍ଡା ଉପରେ ସର୍ଜିକାଲ୍‍ ଷ୍ଟ୍ରାଇକ୍‍ ଅନ୍ତର୍ଭୁକ୍ତ। ସେ ହିଁ ପ୍ରଥମେ ଗଣମାଧ୍ୟମ ସମ୍ମୁଖରେ ସର୍ଜିକାଲ ଷ୍ଟ୍ରାଇକ୍‍ ସମ୍ବନ୍ଧରେ ପ୍ରକାଶ କରିଥିଲେ। ୨୦୧୯ ଡିସେମ୍ବରରେ ସେନା ମୁଖ୍ୟ ଭାବେ ଜେନେରାଲ ବିପିନ୍‍ ରାୱତ୍‍ଙ୍କ କାର୍ଯ୍ୟକାଳ ସମାପ୍ତ ହେଉଥିବାରୁ ତାଙ୍କ ପଦ ପୂରଣ ନିମନ୍ତେ ଯୋଗ୍ୟ ପ୍ରାର୍ଥୀଙ୍କ ଦୌଡରେ ସିଂହଙ୍କ ନାମ ମଧ୍ୟ ରହିଥିବା କୁହାଯାଉଛି।

Leave A Reply