ସମାଜ ଡିଜିଟାଲ ଡେସ୍କ: ଏଣିକି ସାମାଜିକ ଗଣମାଧ୍ୟମରେ ଜାତୀୟତା ବିରୋଧୀ ମନ୍ତବ୍ୟ ପୋଷ୍ଟ କଲେ ମିଳିବ କଠୋର ଦଣ୍ଡ। ଅଭିଯୁକ୍ତଙ୍କୁ ସର୍ବାଧିକ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯିବ। ସାମାଜିକ ଗଣମାଧ୍ୟମଗୁଡ଼ିକ ଲାଗି ଏଭଳି କଠୋର ନୀତି ଆଣିଛନ୍ତି ଉତ୍ତରପ୍ରଦେଶ ସରକାର। ରାଜ୍ୟ କ୍ୟାବିନେଟ୍ ଉତ୍ତରପ୍ରଦେଶ ଡିଜିଟାଲ ମିଡିଆ ପଲିସି ୨୦୨୪କୁ ମଞ୍ଜୁରୀ ପ୍ରଦାନ କରିଛି।
ନୂଆ ନୀତି ଅନୁସାରେ, ସାମାଜିକ ଗଣମାଧ୍ୟମଗୁଡ଼ିକରେ କେହି ଦେଶ ବିରୋଧୀ କିମ୍ବା ଆପତ୍ତିଜନକ ପୋଷ୍ଟ କଲେ ସର୍ବନିମ୍ନ ୩ବର୍ଷରୁ ଆଜୀବନ ଜେଲ ଦଣ୍ଡାଦେଶ ମିଳିବ। ଏହା ସହିତ ଯଦି କୌଣସି ସଂସ୍ଥା ଆପତ୍ତିଜନକ ପୋଷ୍ଟ କରେ, ତେବେ ସେଥିଲାଗି ଆଇନଗତ କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ରହିଛି। କୌଣସି ପ୍ରକାର ବିଷୟବସ୍ତୁ ଆପତ୍ତିଜନକ, ଅଶ୍ଳୀଳ ଏବଂ ଦେଶ ବିରୋଧୀ ନ ହେବା ଉଚିତ ବୋଲି ନୂଆ ନୀତିରେ କୁହଯାଇଛି।
ଏହାବ୍ୟତୀତ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରଚାର ପ୍ରସାର କରାଇଲେ ସାମାଜିକ ଗଣମାଧ୍ୟମ (ଏକ୍ସ, ଇନଷ୍ଟାଗ୍ରାମ, ଶର୍ଟ୍ସ, ପଡକାଷ୍ଟ, ଫେସବୁକ ଏବଂ ୟୁଟ୍ୟୁବ) ବ୍ୟବହାରକାରୀମାନଙ୍କୁ ସରକାର ଅର୍ଥ ପ୍ରଦାନ କରିବେ। ଫଲୋଅର୍ସ ଏବଂ ସବସ୍କ୍ରାଇବରଙ୍କ ସଂଖ୍ୟାକୁ ଆଧାର କରି ମାସିକ ୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯିବ। ବିଶେଷକରି ବିଜ୍ଞାପନ ଜରିଆରେ ଏହି ରାଶି ପ୍ରଦାନ କରାଯିବ ବୋଲି ଉତ୍ତରପ୍ରଦେଶ ମନ୍ତ୍ରୀ ସଞ୍ଜୟ ନିଶାଦ କହିଛନ୍ତି।



