www.samajalive.in
Monday, December 8, 2025
13.1 C
Bhubaneswar

ମାନିଲା ପ୍ରଶାସନ: ସମ୍ବଲପୁରରେ ୫, ଝାରସୁଗୁଡ଼ାରେ ୩ ମୃତ

ସମ୍ବଲପୁର/ଝାରସୁଗୁଡ଼ା/ରାଉରକେଲା : ସାରାରାଜ୍ୟରେ ପ୍ରବଳ ଗ୍ରୀଷ୍ମଲହରୀ ଜାରି ରହିଥିବା ବେଳେ ଅନେକ ସ୍ଥାନରୁ ଅଂଶୁଘାତ ମୃତ୍ୟୁ ଅଭିଯୋଗ ଆସୁଛି। ପ୍ରଶାସନ ଏହାକୁ ଅଂଶୁଘାତ ମୃତ୍ୟୁ ବୋଲି ସ୍ବୀକାର କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ ହେଉଛି। ଏପରିସ୍ଥଳେ ରବିବାର ସମ୍ବଲପୁରରେ ୫ ଓ ଝାରସୁଗୁଡ଼ାରେ ୩ ଅଂଶୁଘାତ ମୃତ୍ୟୁ ହୋଇଥିବା ସମ୍ପୃକ୍ତ ଜିଲାପାଳମାନେ ସ୍ବୀକାର କରିଛନ୍ତି। ଗତ ୪ ଦିନ ମଧ୍ୟରେ ସମ୍ବଲପୁର ଜିଲାରେ ୫ଜଣଙ୍କ ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବା ଜିଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ କହିଛନ୍ତି। ଗତ ମେ ୨୯ରୁ ଜୁନ ୧ ପର୍ଯ୍ୟନ୍ତ ଜିଲାରେ ୧୮ ଜଣଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟିଥିଲା। ସେଥିରୁ ୧୩ ମୃତକଙ୍କ ବ୍ୟବଚ୍ଛେଦ କରାଯାଇଥିଲା। ବାକି ୨ ଅଜଣା ବ୍ୟକ୍ତି ଥିବାବେଳେ ୩ ମୃତକଙ୍କ ପରିବାର ଲୋକେ ଶବ ବ୍ୟବଚ୍ଛେଦ ପାଇଁ ଅନିଚ୍ଛା ପ୍ରକାଶକରି ମୃତଦେହ ନେଇ ଯାଇଥିଲେ। ଇତିମଧ୍ୟରେ ୬ଜଣଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ପ୍ରଶାସନର ହସ୍ତଗତ ହେବା ପରେ ଏଥିରୁ ୫ ଜଣଙ୍କ ଅଂଶୁଘାତ ଜନିତ ମୃତ୍ୟୁ ସ୍ପଷ୍ଟ ହୋଇଛି। ଅଂଶୁଘାତରେ ମୃତ ବ୍ୟକ୍ତିଙ୍କ ପରିଜନଙ୍କୁ ସରକାରଙ୍କ ପ୍ରାକୃତିକ ଦୁର୍ବିପାକ ସହାୟତା ପାଣ୍ଠିରୁ ଅନୁକମ୍ପାମୂଳକ ରାଶି ପ୍ରଦାନ କରାଯିବ। ରବିବାର ରାତିରେ ଅନ୍ୟ ଶବଗୁଡ଼ିକର ବ୍ୟବଚ୍ଛେଦ ରିପୋର୍ଟ ମିଳିବା ସମ୍ଭାବନା ଥିବାରୁ ଆଜି ସୁଦ୍ଧା ଅଂଶୁଘାତ ମୃତ୍ୟୁ ସମ୍ପର୍କିତ ତଥ୍ୟ ଅଧିକ ସ୍ପଷ୍ଟ ହେବା ଆଶା କରାଯାଉଛି।  ଅପରପକ୍ଷରେ ରାଉରକେଲାରେ ଦୁଇ ଦିନ ହେଲା ରୌଦ୍ରତାପ ସାମାନ୍ୟ ହ୍ରାସ ଘଟିଥିଲେ ମଧ୍ୟ ଅସ୍ୱାଭାବିକ ମୃତ୍ୟୁ ସଂଖ୍ୟା କମୁନାହିଁ। ଶନିବାର ରାତିରେ ପୁଣି ୬ ଜଣଙ୍କ ଅସ୍ୱାଭାବିକ ମୃତ୍ୟୁ ହେବା ପରେ ରବିବାର ସୁଦ୍ଧା ଏହି ସଂଖ୍ୟା ୩୮ରେ ପହଞ୍ଚିଛି। ଏହା ପ୍ରଶାସନର ଚିନ୍ତା ବଢ଼ାଇଛି। ଏସବୁ ଅଂଶୁଘାତଜନିତ ମୃତ୍ୟୁ କି ନୁହେଁ ସେ ନେଇ ଉଚ୍ଚସ୍ତରୀୟ ଦଳ ତଦନ୍ତ କରୁଛନ୍ତି। ତିନି ଦିନ ଭିତରେ ୩୦ରୁ ଅଧିକ ଶବ ବ୍ୟବଚ୍ଛେଦ ହୋଇ ସାରିଛି; ତେବେ କେଉଁଟି ଅଂଶୁଘାତ ଜନିତ ମୃତ୍ୟୁ ତାହା ପ୍ରଶାସନ ସ୍ପଷ୍ଟ କରି ନାହିଁ। ଶନିବାର ସନ୍ଧ୍ୟାାରୁ ରାତି ସାଢ଼େ ୧୨ଟା ଭିତରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲାବେଳେ ୪ ଜଣଙ୍କୁ ଡାକ୍ତରଖାନାରେ ମୃତ ଘୋଷଣା କରିଥିଲେ। ଆଉ ଦୁଇ ଜଣଙ୍କ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories