ଆମେରିକାର ଆକଳନ : ଯୁଦ୍ଧ ଜିତିବ ୟୁକ୍ରେନ

ୟୁକ୍ରେନକୁ ୧୬୫ ନିୟୁତ ଡଲାର ମୂଲ୍ୟର ଯୁଦ୍ଧାସ୍ତ୍ର ଦେବ ଆମେରିକା; ନୂଆ ରାଷ୍ଟ୍ରଦୂତ ନିଯୁକ୍ତ,ମାରିଉପୋଲ ଉପରେ ରୁଷ୍‌ ଆକ୍ରମଣ ଜାରି

ୱାଶିଂଟନ/କିଭ୍‌ : ରୁଷ୍ ଓ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଇତି ମଧ୍ୟରେ ୨ମାସ ପୂରଣ ହୋଇଛି। ଫେବୃଆରୀ ୨୪ରେ ରୁଷ୍ ପ୍ରଥମେ ୟୁକ୍ରେନ ବିରୋଧରେ ସାମରିକ ଅଭିଯାନ ନାମରେ ଯୁଦ୍ଧ ଆରମ୍ଭ କରିଥିଲା। ଯୁଦ୍ଧ ଆରମ୍ଭ ସମୟରେ ସମସ୍ତେ ଆଶା କରୁଥିଲେ ଯେ ରୁଷ୍ ଏହି ଯୁଦ୍ଧରେ ବିଜୟୀ ହେବ। ଏପରିକି ରୁଷ୍ ଖୁବ୍ କମ୍ ଦିନ ମଧ୍ୟରେ ୟୁକ୍ରେନରେ ନିଜର ସାମ୍ରାଜ୍ୟ ବିସ୍ତାର କରିବ। ମାତ୍ର ବିଶ୍ବବାସୀଙ୍କ ଏହିସବୁ ଆକଳନ ଭୁଲ୍‌ ପ୍ରମାଣିତ ହୋଇଛି। ରୁଷ୍‌ ବିରୋଧରେ ୟୁକ୍ରେନ ଦୃଢ ଜବାବ ଦେଇ ଚାଲିଛି। ରୁଷ୍‌ର ଅକ୍ତିଆରରୁ ନିଜର କିଛି ସହରକୁ ୟୁକ୍ରେନ ସେନା ମୁକ୍ତ କରିବାରେ ସଫଳ ହୋଇଛି। ଦୁଇମାସର ଯୁଦ୍ଧ ସତ୍ତ୍ବେ ରୁଷ୍ ବିଜୟର କୌଣସି ଆଭାସ ମିଳିପାରି ନାହିଁ। ବରଂ ଯୁଦ୍ଧର ଫଳାଫଳକୁ ନେଇ ଏବେ ଭିନ୍ନ ପ୍ରକାର ଆକଳନ କରାଯାଇଛି। ଆମେରିକାର ଆକଳନ ଅନୁଯାୟୀ ୟୁକ୍ରେନ ଏହି ଯୁଦ୍ଧରେ ବିଜୟୀ ହୋଇପାରିବ। ସୋମବାର ଆମେରିକା କହିଛି ଯେ ୟୁକ୍ରେନ ପାଖରେ ଯଦି ଆବଶ୍ୟକ ଅସ୍ତ୍ରଶସ୍ତ୍ର ପହଞ୍ଚିପାରିବ ତେବେ ଏହା ରୁଷ୍ ବିରୋଧରେ ବିଜୟ ହାସଲ କରିପାରିବ। ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଲଏଡ ଅଷ୍ଟିନ କହିଛନ୍ତି ଯେ ୟୁକ୍ରେନ ପାଖରେ ଆବଶ୍ୟକ ଅସ୍ତ୍ରଶସ୍ତ୍ର ପହଞ୍ଚାଯାଇପାରିଲେ ଏହା ଯୁଦ୍ଧରେ ବିଜୟୀ ହୋଇପାରିବ। ଇତି ମଧ୍ୟରେ ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନୀ ବ୍ଲିକେନ୍ ଓ ପ୍ରତିରକ୍ଷା ମନ୍ତ୍ରୀ ଅଷ୍ଟିନ ରବିବାର ୟୁକ୍ରେନ ରାଜଧାନୀ କିଭ୍‌କୁ ଗସ୍ତ କରି ଫେରିଛନ୍ତି। ଗସ୍ତ କାଳରେ ସେମାନେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ସାକ୍ଷାତ କରିଥିଲେ। ସାକ୍ଷାତ କାଳରେ ଜେଲେନସ୍କି ରୁଷ୍ ବିରୋଧରେ ବିଜୟୀ ନିମନ୍ତେ ପ୍ରତିଜ୍ଞା କରିଥିବା କହିଛନ୍ତି। ଜେଲେନସ୍କି କହିଛନ୍ତି ଯେ ଆମେରିକା ଆବଶ୍ୟକ ସାହାଯ୍ୟ ଯୋଗାଇ ଦେଲେ ସେ ରୁଷ୍ ବିରୋଧରେ ନିଶ୍ଚିତ ବିଜୟୀ ହେବେ। ଜେଲେନସ୍କିଙ୍କ ସହିତ ଆମେରିକୀୟ ମନ୍ତ୍ରୀ ଦ୍ବୟ ତିନି ଘଣ୍ଟା କାଳ ମୁହଁାମୁହିଁ କଥାବାର୍ତ୍ତା କରିଥିଲେ। କଥାବାର୍ତ୍ତା ପରେ ପୋଲାଣ୍ଡରେ ଅଷ୍ଟିନ କହିଛନ୍ତି ଯେ ଜେଲେନସ୍କିଙ୍କ ମାନସିକତା ତାକୁ ବିଜୟୀ ଦିଗରେ ସହାୟକ ହେବ। ଏଥିପାଇଁ ତାଙ୍କ ପାଖରେ ସହଯୋଗ ପହଞ୍ଚିବାର ଅଛି। ଅଷ୍ଟିନ କହିଛନ୍ତି ଯେ ୟୁକ୍ରେନକୁ ଆମେରିକା ୩୨୨ ନିୟୁତ ଡଲାର ସହାୟତା ଯୋଗାଇ ଦେବ। ଏଥିରୁ ଅସ୍ତ୍ରଶସ୍ତ୍ର ବିକ୍ରି ବାବଦରେ ୧୬୫ ନିୟୁତ ଡଲାର ଦିଆଯିବ। ଅଷ୍ଟିନ ତାଙ୍କ ୟୁକ୍ରେନ ଗସ୍ତ କାଳରେ ଏହି ଅସ୍ତ୍ର ବିକ୍ରି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ରୁଷ୍ ବିରୋଧୀ ଯୁଦ୍ଧରେ ୟୁକ୍ରେନ ସପକ୍ଷରେ ପ୍ରାୟ ୩୦ଟି ଦେଶ ରହିଛନ୍ତି।
ୟୁକ୍ରେନକୁ ସାମରିକ ସହାୟତା ଯୋଗାଇ ଦେବା ନିମନ୍ତେ ଆମେରିକା ନେଇଥିବା ନିଷ୍ପତ୍ତି ଉପରେ ରୁଷ୍‌ କ୍ଷୁବ୍ଧ ହୋଇଛି। ସୋମବାର ରୁଷ୍‌ ଏଥିପାଇଁ ଆମେରିକାକୁ ସତର୍କ କରାଇଛି। ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ନ ପଠାଇବା ଲାଗି ୱାଶିଂଟନସ୍ଥିତ ରୁଷ୍ ରାଷ୍ଟ୍ରଦୂତ ଆଣ୍ଟୋନି ଆଣ୍ଟୋନୋଭ କହିଛନ୍ତି। ଆଣ୍ଟୋନୋଭ କହିଛନ୍ତି ଯେ ଆମେରିକା ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇ ଚାଲିଥିବାବେଳେ ଏହା ତୁରନ୍ତ ବନ୍ଦ କରିବା ଦରକାର। ଅନ୍ୟପଟେ ୟୁକ୍ରେନ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କର ବରିଷ୍ଠ କୂଟନୀତିଜ୍ଞଙ୍କୁ ୟୁକ୍ରେନ ରାଷ୍ଟ୍ରଦୂତ ଭାବେ ନିଯୁକ୍ତି ଦେଇଛନ୍ତି। ସୋମବାର ହ୍ବାଇଟ ହାଉସ୍ ଏହାର ବିଦେଶ ବ୍ୟାପାର ଅଧିକାରୀ ବ୍ରିଗେଟ୍‌ ବ୍ରିଙ୍କଙ୍କୁ ୟୁକ୍ରେନର ରାଷ୍ଟ୍ରଦୂତ ଭାବେ ନିଯୁକ୍ତି ଦେଇଛି। ବ୍ରିଙ୍କ ଏବେ ସ୍ଲୋଭାକିଆ ପାଇଁ ଆମେରିକାର ରାଷ୍ଟ୍ରଦୂତ ଅଛନ୍ତି।
ଅନ୍ୟପଟେ ୟୁକ୍ରେନର ମାରିଉପୋଲ ସହର ଉପରେ ରୁଷ୍‌ର ଆକ୍ରମଣ ଜାରି ରହିଛି। ମାରିଉପୋଲସ୍ଥିତ ଆଜୋଭଷ୍ଟଲ ଇସ୍ପାତ କାରଖାନାକୁ ଛାଡି ଅନ୍ୟ ସମସ୍ତ ଅଞ୍ଚଳରେ ରୁଷ୍‌ ଆକ୍ରମଣ ଚଳାଇଥିବା ୟୁକ୍ରେନ କହିଛି। ଆଜୋଭଷ୍ଟଲ ଇସ୍ପାତ କାରଖାନାରେ ଫସି ରହିଥିବା ଶ୍ରମିକ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ସ୍ଥାନାନ୍ତର ନିମନ୍ତେ ରୁଷ ଏହାର ଆଖପାଖରେ ଅସ୍ତ୍ରବିରତି ଘୋଷଣା କରିଛି। ମାତ୍ର ୟୁକ୍ରେନ ଅଭିଯୋଗ କରିଛି ଯେ ରୁଷ୍ ସେନା ଏହାର ସୁପ୍ରିମ କମାଣ୍ଡରଙ୍କ ନିର୍ଦେଶକୁ ଅବମାନନା କରି ଆଜୋଭେଷ୍ଟର ଇସ୍ପାତ କାରଖାନା ଉପରେ ଆକ୍ରମଣ କରିଛି। ଯୁଦ୍ଧକୁ ୬୧ ଦିନ ପୂରଣ ହୋଇଥିବାବେଳେ ଶାନ୍ତି କଥାବାର୍ତ୍ତାରେ କୌଣସି ଅଗ୍ରଗତି ହୋଇ ନାହିଁ।

kalyan agarbati

Comments are closed.