ଯୁଦ୍ଧରେ ମଲେଣି ୫୦ ହଜାର ରୁଷ ସୈନ୍ୟ : ବ୍ରିଟେନ ପ୍ରତିରକ୍ଷା ମୁଖ୍ୟ

ଲଣ୍ଡନ/କିଭ୍‍ : ରୁଷ-ୟୁକ୍ରେନ ଯୁଦ୍ଧରେ ଏପର୍ଯ୍ୟନ୍ତ ପ୍ରାୟ ୫୦ ହଜାର ରୁଷ ସୈନ୍ୟଙ୍କର ମୃତ୍ୟୁ ଘଟିଲାଣି। ରୁଷ ଏହି ଯୁଦ୍ଧରେ ତାହାର ସ୍ଥଳସେନା ଲଢୁଆ ସାମର୍ଥ୍ୟର ପ୍ରାୟ ୩୦%ରୁ ଅଧିକ ହରାଇସାରିଲାଣି ବୋଲି ବ୍ରିଟେନ ପ୍ରତିରକ୍ଷା ମୁଖ୍ୟ ଆଡମିରାଲ ସାର୍‍ ଟୋନି ରାଡାକିନ୍‍ କହିଛନ୍ତି। ଏହି କାରଣରୁ ୟୁକ୍ରେନ ଯୁଦ୍ଧରେ ବିଜୟ ହାସଲ କରିବା ନେଇ ପୂର୍ଣ୍ଣ ବିଶ୍ୱାସ ରଖିଥିବା ସେ କହିଛନ୍ତି। ଏକ ଟେଲିଭିଜନ କାର୍ଯ୍ୟକ୍ରମରେ ଯୋଗଦେଇ ରାଡାକିନ୍‍ କହିଛନ୍ତି, ୟୁକ୍ରେନ ସରକାର ବିଶ୍ୱାସ କରୁଛନ୍ତି ଯେ ସେମାନେ ସେମାନଙ୍କ ସମୁଦାୟ ଅଞ୍ଚଳକୁ ପୁନର୍ବାର ନିଜ ନିୟନ୍ତ୍ରଣକୁ ଆଣିବେ। ସେହି ସମୟରେ ରୁଷ ନିଜ ସ୍ଥିତି ରକ୍ଷା ପାଇଁ କଡା ସଂଘର୍ଷ କରୁଥିବା ମଧ୍ୟ ସେମାନେ ଦେଖୁଛନ୍ତି। ସେ କହିଛନ୍ତି, ରୁଷର ବହୁ ସଂଖ୍ୟକ ସୈନ୍ୟ ମୃତାହତ ହୋଇଥିବା ଏକ ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି। ୟୁକ୍ରେନ ସୈନ୍ୟଙ୍କ ପାଲଟା ଆକ୍ରମଣରେ ରୁଷର ପ୍ରାୟ ୧୭୦୦ ଟ୍ୟାଙ୍କ, ୪୦୦୦ ସାଞ୍ଜୁଆ ଗାଡି ନଷ୍ଟ ହୋଇଯାଇଛି। ସମୁଦାୟ ୟୁକ୍ରେନ ଦଖଲ ଲକ୍ଷ୍ୟରେ ରୁଷ ଏହି ଆକ୍ରମଣ କରିଥିଲା। ଉକ୍ତ ରାଷ୍ଟ୍ର ପ୍ରଥମ ୩୦ ଦିନ ମଧ୍ୟରେ ୟୁକ୍ରେନର ସହରଗୁଡିକୁ ଦଖଲ ଯୋଜନା ରଖିବା ସହିତ ନାଟୋକୁ ନିଜର କରାମତି ଦେଖାଇବାକୁ ଚାହିଁଥିଲା। କିନ୍ତୁ ରୁଷ ସେହି ଲକ୍ଷ୍ୟରେ ବିଫଳ ହୋଇଛି।
ଗତ ଫେବୃଆରୀ ୨୪ରେ ଆକ୍ରମଣ ଆରମ୍ଭ ଦିନ ତୁଳନାରେ ରୁଷ ସମ୍ପ୍ରତି ଅଧିକ ଦୁର୍ବଳ ହୋଇପଡ଼ିଛି। ଇତିମଧ୍ୟରେ ରୁଷ ପକ୍ଷରୁ ୟୁକ୍ରେନର ଦକ୍ଷିଣ ଭାଗରେ ଥିବା ବଗ୍‍ ନଦୀ ନିକଟରେ ଅବସ୍ଥିତ ମିକୋଲେଭ ସହରରେ ଏକ ଜାହାଜ ନିର୍ମାଣ ସ୍ଥଳ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ସୂଚନାଯୋଗ୍ୟ ଯେ ରୁଷ ଅଧିକୃତ କ୍ରିମିଆ ଏବଂ ୟୁକ୍ରେନର ମୁଖ୍ୟ ବନ୍ଦର ଓଡେସାର ମଧ୍ୟବର୍ତ୍ତୀ ସ୍ଥାନରେ କୃଷ୍ଣସାଗର ତଟ ବନ୍ଦର ନିକଟରେ ଅବସ୍ଥିତ ମିକୋଲୋଭ ଉପରେ ଚଳିତ ସମୟରେ ରୁଷ ପକ୍ଷରୁ ଏକାଧିକ କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇସାରିଲାଣି। ମିକୋଲେଭକୁ ଦଖଲ କରି ରୁଷ କୃଷ୍ଣସାଗର ସହିତ ୟୁକ୍ରେନର ସମସ୍ତ ଯୋଗାଯୋଗ ପଥ ଛିନ୍ନ କରିବାକୁ ଘୋଷଣା କରିଛି।
ଯୁଦ୍ଧ ପ୍ରାରମ୍ଭରେ ୟୁକ୍ରେନ ସୈନ୍ୟମାନେ ମିକୋଲେଭରେ ରୁଷ ଆକ୍ରମଣର କଡା ଜବାବ ଦେଇଥିବାବେଳେ ସମ୍ପ୍ରତି ରୁଷ ଉକ୍ତ ସହର ଦଖଲ ନିଶାରେ ତାହା ଉପରେ ବରାବର କ୍ଷେପଣାସ୍ତ୍ର ଆକ୍ରମଣ କରୁଛି। ୟୁକ୍ରେନର ଦକ୍ଷିଣରେ ଥିବା ଖେରସନ ଅଞ୍ଚଳରେ ରୁଷ ସୈନ୍ୟମାନେ ସେମାନଙ୍କର ରଣକୌଶଳ ବଦଳାଇବା ସହିତ ସାଧାରଣ ନାଗରିକଙ୍କୁ ଢାଲ କରି ୟୁକ୍ରେନ ସେନା ଉପରେ ଆକ୍ରମଣ କରୁଛନ୍ତି। ଏହାଦ୍ୱାରା ୟୁକ୍ରେନ ସୈନ୍ୟମାନେ ସେମାନଙ୍କର ନିଜ ଲୋକ ବାସ କରୁଥିବା ଅଞ୍ଚଳରେ ଆକ୍ରମଣ କରିବେ ନାହିଁ ବୋଲି ରୁଷ ମନେକରୁଛି। ଅନ୍ୟପକ୍ଷରେ ଗ୍ରୀସ୍‍ର ଉତ୍ତରାଞ୍ଚଳରେ ଏକ ୟୁକ୍ରେନ ପରିବହନ ବିମାନ ଯାନ୍ତ୍ରିକ ତ୍ରୁଟି କାରଣରୁ ଖସିପଡ଼ିବାରୁ ସେଥିରେ ଥିବା ୮ ଜଣଙ୍କର ପ୍ରାଣହାନି ଘଟିଛି।

Comments are closed.