ମୁମ୍ବଇ: ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ସହିତ ୨ ଉପମୁଖ୍ୟମନ୍ତ୍ରୀ ଏବଂ ୧୫ ମନ୍ତ୍ରୀ ଗୁରୁବାର ଶପଥ ଗ୍ରହଣ କରିପାରନ୍ତି। ଉଦ୍ଧବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଥିବାବେଳେ ଶିବସେନା, ଏନସିପି ଏବଂ କଂଗ୍ରେସରୁ ୫ଜଣ ଲେଖାଏ ମନ୍ତ୍ରୀ ସାମିଲ ହେବେ ବୋଲି କୁହାଯାଉଛି। ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ଲାଗି ଏନସିପି ମୁଖ୍ୟ ଶରଦ ପୱାରଙ୍କ ଘରେ ବୁଧବାର ରାତିରେ କଂଗ୍ରେସ ଏବଂ ଶିବସେନା ନେତାମାନଙ୍କ ବୈଠକ ଅନୁଷ୍ଠିତ ହେଉଛି। ବୈଠକରେ ମନ୍ତ୍ରୀମାନଙ୍କ ନାମ ଉପରେ ମୋହର ଲଗାଯିବ।
ମୁମ୍ବଇର ଶିବାଜୀ ପାର୍କରେ ଏହି ଶପଥ ଗ୍ରହଣ ଉତ୍ସବ ଆୟୋଜନ କରାଯିବ। ଶିବସେନା ନେତା ଏକନାଥ ସିନ୍ଦେ କହିଛନ୍ତି, ଆମେ ଶପଥ ଗ୍ରହଣ ସମାରୋହ ପାଇଁ ସୋନିଆ ଗାନ୍ଧୀଙ୍କୁ ଆମନ୍ତ୍ରଣ କରିଛୁ। କଂଗ୍ରେସ ନେତା ବିଜୟ ୱେଡଟ୍ଟିୱାର କହିଛନ୍ତି ଯେ, ଶପଥ ଗ୍ରହଣ ସମାରୋହ ପାଇଁ କଂଗ୍ରେସ ଶାସିତ ରାଜ୍ୟର ସମସ୍ତ ମୁଖ୍ୟମନ୍ତ୍ରୀ, ଏମ.କେ. ଷ୍ଟାଲିନ, ମମତା ବାନାର୍ଜୀ ଏବଂ ଅରବିନ୍ଦ କେଜ୍ରିୱାଲଙ୍କୁ ନିମନ୍ତ୍ରଣ କରାଯାଇଛି। ଏହା ସହିତ ଶପଥ ଗ୍ରହଣ ସମାରୋହକୁ ପ୍ରାୟ ୪୦୦ କୃଷକ ପରିବାରଙ୍କୁ ନିନ୍ତ୍ରଣ କରାଯାଇଛି, ଯେଉଁମାନଙ୍କ ପରିଜନ ପରିସ୍ଥିତିରେ ପଡ଼ି ଆତ୍ମହତ୍ୟା କରିଛନ୍ତି। ତେବେ ଶପଥ ଗ୍ରହଣ ସମାରୋହରେ ମମତା ବାନାର୍ଜୀ, ଅରବିନ୍ଦ କେଜ୍ରିୱାଲ, ଅଶୋକ ଗେହଲଟ, ଅଖିଳେଶ ଯାଦବଙ୍କ ସମେତ ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ ପ୍ରମୁଖ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି।



