ବନ୍ଦ ହେଲା ବେଦାନ୍ତ ଷ୍ଟେରଲାଇଟ୍‍ ତମ୍ବା କାରଖାନା

0

ଚେନ୍ନଇ : ତୁଥୁକୁଡିଠାରେ ଥିବା ବେଦାନ୍ତର ଷ୍ଟେରଲାଇଟ୍‍ ତମ୍ବା କାରଖାନାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ତାମିଲନାଡୁ ସରକାର ନିର୍ଦେଶ ଦେଇଛନ୍ତି। ଉଲ୍ଲେଖ ଯେ କାରଖାନା ସମ୍ପ୍ରସାରଣ ବିରୋଧୀ ବିକ୍ଷୋଭବେଳେ ପୁଲିସ ଗୁଳିରେ ୧୩ ଜଣ ପ୍ରାଣ ହରାଇଥିଲେ। ଏହାକୁ ନେଇ ରାଜ୍ୟବ୍ୟାପୀ ବିକ୍ଷୋଭ ଜାରି ରହିଥିଲା। ଏହାପରେ ତାମିଲନାଡୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଟିଏନ୍‍ପିସିବି) କର୍ତ୍ତୃପକ୍ଷ କାରଖାନାକୁ ବନ୍ଦ କରିବାକୁ ନିର୍ଦେଶ ଦେଇଥିଲେ। ଏହି କ୍ରମରେ ରାଜ୍ୟ ସରକାର କାରଖାନା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତାମିଲନାଡୁ ଉପମୁଖ୍ୟମନ୍ତ୍ରୀ ଓ. ପନିରସେଲଭମ ସୋମବାର ଏହି ସୂଚନା ଦେବା ସହ ଲୋକଙ୍କ ଦାବିକୁ ଦୃଷ୍ଟିରେ ରଖି ବେଦାନ୍ତ ଶିଳ୍ପଗୋଷ୍ଠୀ ପରିଚାଳିତ ଷ୍ଟେରଲାଇଟ୍‍ ତମ୍ବା କାରଖାନାକୁ ସମ୍ପୂର୍ଣ୍ଣ ବନ୍ଦ କରାଗଲା ବୋଲି ଘୋଷଣା କରିଛନ୍ତି। ପ୍ରକାଶଯୋଗ୍ୟ ଯେ ଏନ୍‍ପିସିବି ପକ୍ଷରୁ କାରଖାନା ବନ୍ଦ ପାଇଁ ନିର୍ଦେଶ ଦିଆଯିବା ପରେ ଗତ ଗୁରୁବାର କାରଖାନାକୁ ବିଦ୍ୟୁତ୍‍ ସଂଯୋଗ ବିଚ୍ଛିନ୍ନ କରିଦିଆଯାଇଥିଲା। ଜଳ (ପ୍ରତିବନ୍ଧ ଓ ପ୍ରଦୂଷଣ ନିୟନ୍ତ୍ରଣ) ଆଇନ-୧୯୭୪ର ଧାରା ୩୩-ଏ ଏବଂ ବାୟୁ (ପ୍ରତିବନ୍ଧ ଓ ପ୍ରଦୂଷଣ ନିୟନ୍ତ୍ରଣ) ଆଇନ-୧୯୭୧ ଧାରା ୩୧-ଏ ଅନୁଯାୟୀ ଷ୍ଟେରଲାଇଟ୍‍ ତମ୍ବା କାରଖାନାକୁ ବନ୍ଦ କରାଗଲା ବୋଲି କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ କାରଖାନା ସମ୍ପ୍ରସାରଣକୁ ବିରୋଧ କରି ମଇ ୨୨ରେ ସହସ୍ରାଧିକ ଲୋକ ବିକ୍ଷୋଭ କରିଥିଲେ। ବିକ୍ଷୋଭ ହିଂସାତ୍ମକ ରୂପ ନେବା ପରେ ପୁଲିସ୍‍ ଲାଠି ମାଡ଼ କରିବା ସହ ଗୁଳି ଚଳାଇଥିଲା। ଏଥିରେ ୧୩ ଜଣ ପ୍ରାଣ ହରାଇଥିଲେ। ରାଜ୍ୟ ଉପମୁଖ୍ୟମନ୍ତ୍ରୀ ପନିରସେଲଭମ ସୋମବାର କହିଥିଲେ ଯେ ଲୋକଙ୍କ ସବୁଠୁ ବଡ଼ ଦାବିକୁ ଧ୍ୟାନରେ ରଖି ତୁଥୁକୁଡି ଷ୍ଟେରଲାଇନ ତମ୍ବା କରାଖାନାକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି। ଏନେଇ ବିଧାନସଭାରେ ଏକ ବିଧେୟକ ଆଗତ ଆଗତ କରାଯିବ। ସ୍ଥାନୀୟ ଅଞ୍ଚଳରେ ଶାନ୍ତି ସ୍ଥାପନ ପାଇଁ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି। ବିକ୍ଷୋଭରେ ମୃତ ଏବଂ ଆହତ ଲୋକଙ୍କୁ ଭେଟିବାକୁ ଯାଇଥିବାବେଳେ ସୋମବାର ପନିରସେଲଭମଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା। ତାଙ୍କ ସହ ମନ୍ତ୍ରୀ ଡି. ଜୟକୁମାର ତୁଥୁକୁଡି ଗସ୍ତ କରିଥିଲେ। ଉଭୟ ସେଠାରେ ପୀଡ଼ିତ ଲୋକଙ୍କ ପରିବାରକୁ ଭେଟି ଆଲୋଚନା କରିଥିଲେ।

Leave A Reply