ଜେଲ୍ ଗଲେ ପ୍ରଯୋଜକ ଟୁଟୁ ନାୟକ
ଭୁବନେଶ୍ୱର : ଫିଲ୍ମ ପ୍ରଯୋଜକ ଟୁଟୁ ନାୟକ ଶେଷରେ ଜେଲ ଯାଇଛନ୍ତି । ସାମ୍ବାଦିକାଙ୍କୁ ମାଡ ମାରିବା ମାମଲାରେ ଶନିବାର ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ଶେଷରେ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । କଡା ସୁରକ୍ଷା ମଧ୍ୟରେ ତାଙ୍କୁ ଝାରପଡା ଜେଲକୁ ନିଆଯାଇଛି। ଆସନ୍ତା ସୋମବାର ଦିନ ଜାମିନ ଆବେଦନ ଉପରେ ଅଧିକ ଶୁଣାଣି କରାଯିବ।
ସାମ୍ବାଦିକାଙ୍କୁ ମାଡ ମାରିବା ମାମଲାରେ ପୁଲିସ ଶନିବାର ତାଙ୍କୁ ଥାନାକୁ ଆଣିଥିଲା। ଖାରବେଳନଗର ଥାନାରେ ତାଙ୍କୁ ପଚରାଉଚରା କରାଯିବା ପରେ ଗିରଫ କରାଯାଇଥିଲା। ତାଙ୍କ ବିରୋଧରେ ଦଫା ୨୯୪, ୩୫୪, ୩୨୩ରେ ମାମଲା ରୁଜୁ କରାଯାଇଛି । ମହିଳାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେବା, ମହିଳାଙ୍କୁ ଅସଦାଚରଣ ଓ ମହିଳାଙ୍କ ଶରୀରକୁ ଆଘାତ ଦେବା ଅଭିଯୋଗରେ ସଂଜୟ ନାୟକ(ଟୁଟୁ)ଙ୍କୁ ଗିରଫ କରାଯାଇଥିଲା।
୧୬୧ରେ ଟୁଟୁ ନାୟକଙ୍କ ବୟାନ ରେକର୍ଡ କରାଯାଇଥିଲା। ଅନ୍ୟପକ୍ଷରେ ସାକ୍ଷୀଙ୍କ ବୟାନ ଓ ଭିଡିଓ ପୁଟେଜ ଆଧାରରେ ତାଙ୍କୁ ଗିରଫ କରାଯାଇଛି ବୋଲି ଖାରବେଳନଗର ଥାନା ଆଇଆଇସି କହିଥିଲେ। ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା
ସୂଚନାଯୋଗ୍ୟ, କାର୍ଯ୍ୟରତ ମହିଳା ସାମ୍ବାଦିକ ଦେବସ୍ମିତା ରାଉତଙ୍କୁ ଚଳଚ୍ଚିତ୍ର ପ୍ରଯୋଜକ ସଂଜୟ ନାୟକ(ଟୁଟୁ) ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ପରେ ଖାରବେଳ ନଗର ଥାନାରେ ଦେବସ୍ମିତା ରାଉତ ଶୁକ୍ରବାର ଲିଖିତ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ଟୁଟୁଙ୍କ ବିରୋଧରେ ମହିଳା କମିଶନ ନିଜ ଆଡୁ ମାମଲା ରୁଜୁ କରିଥିଲେ। ୧୫ ଦିନ ଭିତରେ ମାମଲାର ତଦନ୍ତ କରି ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
Comments are closed.