nua o banner

ଭାରତ-ଇଂଲଣ୍ଡ ମ୍ୟାଚ୍‌ ୧-୧ରେ ଶେଷ

BSKY banner  750×100
0

ସୁଲ୍‌ତାନ ଆଜ୍‌ଲାନ୍‌ ଶାହା କପ୍‌ ହକି: ଶୈଳାନନ୍ଦଙ୍କ ଗୋଲ୍‌ ବେକାର

ଇପୋ (ମାଲେସିଆ) : ଏଠାରେ ଚାଲିଥିବା ସୁଲ୍‌ତାନ ଆଜ୍‌ଲାନା ଶାହା କପ୍‌ ପୁରୁଷ ହକି ଟୁର୍ଣ୍ଣାମେଣ୍ଟରେ ଭାରତ ୨ଟି ମ୍ୟାଚ୍‌ ଖେଳିଥିଲେ ହେଁ ବିଜୟର ସ୍ୱାଦ ଚାଖି ପାରିନାହିଁ। ଉଦ୍‌ଘାଟନୀ ମ୍ୟାଚ୍‌ରେ ଅଲିମ୍ପିକ୍‌ ଚମ୍ପିଆନ୍‌ ଆର୍ଜେଣ୍ଟିନା ଭାରତକୁ ୩-୨ ଗୋଲ୍‌ରେ ପରାସ୍ତ କରିଥିବା ବେଳେ ରବିବାର ଖେଳା ଯାଇଥିବା ଭାରତ ଓ ଇଂଲଣ୍ଡ ମଧ୍ୟରେ ୨ୟ ରାଉଣ୍ଡ ରବିନ୍‌ ଲିଗ୍‌ ମ୍ୟାଚ୍‌ ୧-୧ ଗୋଲ୍‌ରେ ଅମୀମାଂସିତ ରହିଛି। ଫଳରେ ୧ ପଏଣ୍ଟ ସହ ଭାରତ ତା’ର ପଏଣ୍ଟ ଖାତା ଖୋଲିପାରିଛି। ଏହା ଏକ ସଂଯୋଗ ଯେ ଆର୍ଜେଣ୍ଟିନା ବିରୋଧରେ ଭାରତ ପାଇଁ ୨ଟିଯାକ ଗୋଲ୍‌ ଓଡ଼ିଆ ଖେଳାଳି ଅମିତ ରୋହିଦାସ ଦେଇଥିବା ବେଳେ ରବିବାର ଇଂଲଣ୍ଡ ବିରୋଧରେ ଏକମାତ୍ର ଗୋଲ୍‌ ଅନ୍ୟ ଓଡ଼ିଆ ଖେଳାଳି ଶୈଳାନନ୍ଦ ଲାକ୍ରା ଦେଇଥିଲେ। ଜୀବନର ପ୍ରଥମ ସିନିୟର ଆନ୍ତର୍ଜାତିକ ମ୍ୟାଚ୍‌ରେ ଶୈଳାନନ୍ଦ ଦେଶ ପାଇଁ ଗୋଲ୍‌ ଦେଇଥିବା ବେଳେ ଭାରତ ଏହି ଗୋଲ୍‌ ବଳରେ ଆଗୁଆ ରହିଥିଲା। ତେବେ ଶେଷ କ୍ୱାର୍ଟରରେ ଇଂଲଣ୍ଡ ଉକ୍ତ ଗୋଲ୍‌ ସୁଝାଇ ଦେଇଥିଲା। ମଙ୍ଗଳବାର ବିଶ୍ୱର ୧ନଂ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୩ୟ ଲିଗ୍‌ ମ୍ୟାଚ୍‌ ଖେଳିବ। ଫାଇନାଲ ଖେଳିବାର ଆଶା ବଜାୟ ରଖିବା ପାଇଁ ଭାରତକୁ ଏହି ମ୍ୟାଚ୍‌ ନିଶ୍ଚୟ ଜିତିବାକୁ ପଡ଼ିବ।
ଉଭୟ ଭାରତ ଓ ଇଂଲଣ୍ଡ ବେଶ୍‌ ଆକ୍ରମଣାତ୍ମକ ଭଙ୍ଗୀରେ ଖେଳ ଆରମ୍ଭ କରିଥିଲେ। ତେବେ ଇଂଲଣ୍ଡ ଦଳ ଗୋଲ୍‌ ସ୍କୋର୍‌ କରିବାର ଅଧିକ ସୁଯୋଗ ସୃଷ୍ଟି କରିଥିଲା। ପ୍ରଥମ କ୍ୱାର୍ଟରରେ ହିଁ ଇଂଲଣ୍ଡ ଦଳ ୧୦ ଥର ଭାରତର ପେନାଲ୍‌ଟି ଏରିଆ ମଧ୍ୟରେ ପ୍ରବେଶ କରିଥିଲା ଏବଂ ୪ ଥର ଭାରତୀୟ ଗୋଲ୍‌ ଉପରକୁ ସଟ୍‌ ମାରିଥିଲା। ତେବେ ପ୍ରଥମ କ୍ୱାର୍ଟରରେ ପ୍ରଥମ ଗୋଲ୍‌ ସ୍କୋର୍‌ କରିଥିଲା ଭାରତ। ୧୪ ମିନିଟରେ ନିଜ ପେନାଲ୍‌ଟି ଏରିଆରେ ଇଂଲଣ୍ଡର ଡିଫେଣ୍ଡର ବଲ୍‌କୁ ନିୟନ୍ତ୍ରଣରେ ରଖି ପାରିନଥିଲେ। ଏହାର ସୁଯୋଗ ନେଇ ଭାରତୀୟ ଫରୱାର୍ଡ ତଲୱିନ୍ଦର ସିଂହ ଇଂଲଣ୍ଡ ଗୋଲ୍‌ପୋଷ୍ଟକୁ ହିଟ୍‌ ମାରିଥିଲେ। ତେବେ ଇଂଲଣ୍ଡର ଗୋଲ୍‌ରକ୍ଷକ ହାରି ଗିବ୍‌ସନ୍‌ ଏହାକୁ ରୋକିଥିଲେ ହେଁ ବଲ୍‌ ପହଞ୍ଚିଥିଲା ଓଡ଼ିଆ ଫରୱାର୍ଡ ଶୈଳାନନ୍ଦ ଲାକ୍ରାଙ୍କ ପାଖରେ। ଏଥିରୁ ଗୋଲ୍‌ଦେବାରେ କୌଣସି ତ୍ରୁଟି ଶୈଳାନନ୍ଦ କରିନଥିଲେ।
୧-୦ ଗୋଲ୍‌ରେ ଆଗୁଆହେବା ପରେ ଭାରତୀୟ ଦଳ ଅଧିକ ଉତ୍ସାହିତ ହୋଇଥିଲେ ଏବଂ ଇଂଲଣ୍ଡ ପୋଷ୍ଟ ଉପରେ ଘନଘନ ଆକ୍ରମଣ କରିଥିଲେ। ପରେ ୨ୟ କ୍ୱାର୍ଟରରେ ଭାରତକୁ ୮ଟି ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ତେବେ ଭାରତୀୟ ଡ୍ରାଗ୍‌ଫ୍ଲିକର ଗୋଟିଏ ବି ଗୋଲ୍‌ରେ ପରିଣତ କରି ପାରିନଥିଲେ। ମଧ୍ୟାନ୍ତରର ଠିକ୍‌ ପୂର୍ବରୁ ଇଂଲଣ୍ଡ ଅଧିକ ଆକ୍ରମଣ କରିଥିଲା। ତେବେ ଭାରତୀୟ ଡିଫେଣ୍ଡର ପ୍ରତିପକ୍ଷଙ୍କୁ ଗୋଲ୍‌ଦେବାର କୌଣସି ସୁଯୋଗ ଦେଇନଥିଲେ ଏବଂ ମଧ୍ୟାନ୍ତର ସୁଦ୍ଧା ଭାରତ ୧-୦ରେ ଆଗୁଆ ରହିଥିଲା। ୩ୟ କ୍ୱାର୍ଟର ଆରମ୍ଭରେ ଇଂଲଣ୍ଡ ଏବଂ ଶେଷଆଡ଼କୁ ଭାରତ ପ୍ରାଧାନ୍ୟ ବିସ୍ତାର କରିଥିଲା। ତେବେ କୌଣସି ଗୋଲ୍‌ ହୋଇନଥିଲା। ଅନ୍ତିମ କ୍ୱାର୍ଟରରେ ଉଭୟ ଦଳ ଆକ୍ରମଣ କରିଥିବା ବେଳେ ଗୋଲ୍‌ଦେବାର ସୁଯୋଗ ଇଂଲଣ୍ଡକୁ ମିଳିଥିଲା। ଭାରତୀୟ ଡିଫେଣ୍ଡରଙ୍କ ତ୍ରୁଟି ଯୋଗୁଁ ୫୨ ମିନିଟରେ ଇଂଲଣ୍ଡକୁ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ମାର୍କ ଗ୍ଲେଗ୍‌ହର୍ନ ଏଥିରୁ ଗୋଲ୍‌ ଦେଇଥିଲେ। ୫୯ ମିନିଟରେ ଭାରତକୁ ଏକ ସୁଯୋଗ ମିଳିଥିଲେ ହେଁ ଏହାର ଫରୱାର୍ଡ ଏହାକୁ ହାତଛଡ଼ା କରିଥିଲେ। ବରୁଣ କୁମାରଙ୍କ ଲମ୍ବା ହିଟ୍‌କୁ କୌଣସି ଭାରତୀୟ ଷ୍ଟ୍ରାଇକର ସ୍ପର୍ଶ କରି ପାରିନଥିଲେ। ଫଳରେ ଉଭୟ ଦଳ ପଏଣ୍ଟ ଭାଗ କରିଥିଲେ।

Leave A Reply