କେଶଦୁରାପାଳ : ବୟସର ଅପରାହ୍ନରେ ନିଆରା ବୃକ୍ଷପ୍ରେମରେ ବନ୍ଧା ଗଛ ମଣିଷ ଘନଶ୍ୟାମ ।ପ୍ରଥମାଷ୍ଟମୀରେ ପୁଅ, ଝିଅଙ୍କ ପରି ବୁଲି ବୁଲି ଗଛ ପୋଢ଼ୁଆଁ କରନ୍ତି ।ଓଡ଼ିଆ ପରମ୍ପରାର ଅନ୍ୟ ଏକ ପ୍ରମୁଖ ପର୍ବ ପ୍ରଥମାଷ୍ଟମୀ ।ଏଥିରେ ସ୍ନେହ ଆଉ ଶ୍ରଦ୍ଧାର ପରିପ୍ରକାଶ ହୁଏ ଜ୍ୟେଷ୍ଠ ପୁତ୍ରକନ୍ୟାଙ୍କ ପ୍ରତି ।ଏହି ନିଆରା ପରମ୍ପରା ପୁଲକିତ କରିଥାଏ ସମସ୍ତଙ୍କୁ ।ସେହି ପରମ୍ପରାକୁ ଆହୁରି ମହନୀୟ କରି ଗଢିତୋଳିଛନ୍ତି ଘସିପୁରା ବ୍ଲକ ଅଳତୀ ଗ୍ରାମର ଗଛମଣିଷ ଘନଶ୍ୟାମ ସାହୁ।
ବୟସ ୮୫ ଟପିଲାଣି। ତଥାପି ସେ ଥକି ପଡ଼ି ନାହାନ୍ତି। ବଡ଼ ପୁଅ-ଝିଅଙ୍କୁ ପୋଢ଼ୁଆଁ କରିବାର ପରମ୍ପରାକୁ ବଦଳାଇ ଦେଇଛନ୍ତି ବୃକ୍ଷ ପ୍ରେମରେ। ଏହି ପ୍ରେମରୁ ତାଙ୍କ ଯତ୍ନରେ ଗଢ଼ିଉଠିଛି ଶହ ଶହ ଗଛ। ସେହି ଗଛଗୁଡ଼ିକ ହିଁ ତାଙ୍କ ପାଇଁ ପୁତ୍ରକନ୍ୟା। ପ୍ରତି ପ୍ରଥମାଷ୍ଟମୀରେ ସେହି ବୃକ୍ଷ ଦେହରେ ନୂତନ ବସ୍ତ୍ର ବାନ୍ଧି ପୋଢ଼ୁଆଁ କରିନ୍ତି ସମସ୍ତ ବୃକ୍ଷଙ୍କୁ। ଏଥିପାଇଁ ତାଙ୍କୁ ଏକ ସପ୍ତାହରୁ ଅଧିକ ସମୟ ଲାଗିଥାଏ। ପ୍ରଥମାଷ୍ଟମୀ ସକାଳୁ ଏହି ପରମ୍ପରା ଆରମ୍ଭ କରନ୍ତି । ନୂଆ କପଡ଼ା ବାନ୍ଧି ଫୁଲ ଚନ୍ଦନ ଲଗାଇ ପିଠାପଣା ଅର୍ପଣ କରିଥାନ୍ତି।
ଅଳତୀ, ବେଲସୁନ୍ଦରୀ, ରାଇତୋଳା, ପୁରୁଣା ବାନ୍ଧଗୋଡ଼ା, ଜନାର୍ଦ୍ଦନପୁରପାଟଣା, ଗଡ଼ବାନ୍ଧଗୋଡ଼ା, ଆଦି ଗ୍ରାମରେ ସେ ଏହି କାର୍ଯ୍ୟ ଦୀର୍ଘ ବର୍ଷ ଧରି କରିଆସୁଛନ୍ତି। ପ୍ରଥମେ କିଛି ବର୍ଷ ଧରି ଲୋକେ ତାଙ୍କୁ ଏଥିପାଇଁ ଥଟା ପରିହାସ କରୁଥିଲେ। ଏବେ ସେ ଭାବନା ଆଉ ନାହିଁ। ସେ ଲଗାଇଥିବା ଗଛ ଏବେ ବଡ଼ହୋଇ ଫୁଲ, ଫଳ ଦେବା ସହ ଦ୍ରୁମରୁ ବିରାଟ ଦାରୁରେ ପରିଣତ ହେଇଯାଇଛି ।ହେଲେ ଗଛମାନଙ୍କ ପ୍ରତି ସ୍ନେହ ଶ୍ରଦ୍ଧାରେ ଉଣା କରି ନାହାନ୍ତି ଘନଶ୍ୟାମ ।
ଆଜକୁ ୪୨ ବର୍ଷ ତଳେ ୧୯୭୮ ଏପ୍ରିଲ ୧୬ ତାରିଖରେ ପଡ଼ୋଶୀ ପୁରୁଣା ବାନ୍ଧଗୋଡ଼ା ଗ୍ରାମ ପ୍ରଳୟଙ୍କରୀ ଘୂର୍ଣ୍ଣିବାତ୍ୟାରେ ଧ୍ବଂସ ବିଧ୍ବଂସ ହୋଇଯାଇଥିଲା। ୧୮୨ ଲୋକଙ୍କ ଜୀବନହାନି ହୋଇଥିଲା। ଅନେକେ ଆହତ ହୋଇଥିଲେ। ସମଗ୍ର ଅଞ୍ଚଳ ବୃକ୍ଷ ଶୂନ୍ୟ ହୋଇଗଲା। ସେଦିନର ସେହି ଦୃଶ୍ୟ ତାଙ୍କ ଭିତରେ ବୃକ୍ଷ ପ୍ରେମ ଭରିଦେଇଥିଲା। ସେବେଠାରୁ ସେ ସଂକଳ୍ପ ନେଲେ ଗଛ ଲଗାଇବେ, ତା’ର ଯତ୍ନ ନେବେ। ଏହାପରେ ବୃକ୍ଷରୋପଣ ଆରମ୍ଭ କଲେ। ତାଙ୍କ ପାଖରେ ପଇସାଟିଏ ନଥିଲେ ବି ତାହା ବାଧକ ସାଜି ନଥିଲା। ବିଭିନ୍ନ ଆଡୁ ମଞ୍ଜି ସଂଗ୍ରହ କରି ପଲିଥିନ୍ରେ ମାଟି ଭର୍ତ୍ତି କରି ନିଜ ଅଗଣାରେ ଚାରା ପକାନ୍ତି ।ବଡ଼ ହେଲା ପରେ ତାକୁ ନେଇ ପୋଖରୀହୁଡ଼ା, ରାସ୍ତାକଡ଼ ଖୋଲା ଜାଗା, ପତିତ ଜମି, ସ୍କୁଲ ଓ ମନ୍ଦିର ପରିସରରେ ଲଗାଇ ଦିଅନ୍ତି। ରାତି ପାହିଲେ ତା’ର ଯତ୍ନ ନିଅନ୍ତି। ହାତରେ ଶାବଳ ଓ ବାଲ୍ଟି ଧରି ବାଡ଼ ବୁଜି ପାଣି ଦିଅନ୍ତି। ଧିରେଧିରେ ଏହା ତାଙ୍କର ନିତିଦିନିଆ କାର୍ଯ୍ୟ ହୋଇଗଲା।
ତାଙ୍କର ଏହି ପ୍ରକୃତି ପ୍ରେମ ପାଇଁ ଅନେକ ଅନୁଷ୍ଠାନ ‘ଗଛମଣିଷ’ ଭାବେ ସମ୍ମାନିତ କରିଛନ୍ତି। ୨୦୧୦ରେ ଏଥିପାଇଁ ତାଙ୍କୁ ଏକଲକ୍ଷ ଟଙ୍କା ଅର୍ଥରାଶି ସହ ପ୍ରଦ୍ୟୁମ୍ନବଳ ସ୍ମାରକୀ ପୁରସ୍କାର ଦିଆଯାଇଥିଲା ।ରାଜ୍ୟ ସରକାର ପ୍ରକୃତ ବନ୍ଧୁ ପୁରଷ୍କାର ସହ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନୀତ ହୋଇଛନ୍ତି। ଏହା ତାଙ୍କୁ ଆହୁରି ଉତ୍ସାହିତ କରିଥିଲା ଏ କ୍ଷେତ୍ରରେ କାମ କରିବା ପାଇଁ। ଅନ୍ୟ ଲୋକମାନଙ୍କୁ ଏଥିପ୍ରତି ଆକର୍ଷିତ କରିବା ପାଇଁ ସେ ପ୍ରତିବର୍ଷ ଗଛ ବାହାଘର ଆୟୋଜନ କରିବା ସହ ସାମୂହିକ ଚାରା ରୋପଣ କରୁଛନ୍ତି ଆଉ ଚାରା ମଧ୍ୟ ବଣ୍ଟନ କରୁଛନ୍ତି ।



