ସ୍ୱଚ୍ଛତା ମିଶନ୍ ସମ୍ପର୍କରେ ପାରିଷଦ ମାନଙ୍କୁ ତାଲିମ
ଚୌଦ୍ୱାର : ଚୌଦ୍ୱାର ପୌରପାଳିକା ତରଫରୁ ସ୍ୱଚ୍ଛ ଭାରତ ମିଶନ୍ କାର୍ଯ୍ୟକ୍ରମରେ ନିର୍ବାଚିତ କାଉନସିଲର ମାନଙ୍କ ଦାୟିତ୍ୱ, କାର୍ଯ୍ୟଶୈଳୀ ଓ କାର୍ଯ୍ୟ ଦକ୍ଷତା ସମ୍ପର୍କିତ ଏକ ତାଲିମ ଶିବିର ବୁଧବାର ଆୟୋଜିତ ହୋଇ ଯାଇଛି । ସ୍ୱଚ୍ଛ ଭାରତ ମିଶନ୍ ନୋଡାଲ ଅଫିସର ବିଚିତ୍ରାନନ୍ଦ ସ୍ୱାଇଁଙ୍କ ପୌରୋହିତ୍ୟରେ ପୌର ସଭାଗୃହରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜାତୀୟ ସହରାଞ୍ଚଳ ଉନ୍ନୟନ ସଂସ୍ଥା ବିଶେଷଜ୍ଞ ଅକ୍ଷୟ ମିଶ୍ର ଯୋଗଦେଇ ମିଶନ୍ ସମ୍ପର୍କିତ ତାଲିମ ପ୍ରଦାନ କରିଥିଲେ । ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ନିର୍ବାହୀ ଅଧିକାରୀ ସଂଜୀବ କୁମାର ମହାପାତ୍ର ପ୍ରମୁଖ ଏଥିରେ ଯୋଗଦେଇ ନିଜନିଜ ୱାର୍ଡ଼ରେ ସ୍ୱଚ୍ଛତା ବଜାୟ ରଖିବାପାଇଁ ୱାର୍ଡ଼ ମାନଙ୍କରେ କାର୍ଯ୍ୟରତ ସ୍ୱଚ୍ଛ ସୁପରଭାଇଜର, ସ୍ୱଚ୍ଛସାଥୀ, ୱାର୍ଡ଼ ଅଫିସର ଓ ସଫେଇ କର୍ମଚାରୀ ମାନଙ୍କ ସହିତ ସମନ୍ୱୟ ରକ୍ଷାକରି କାର୍ଯ୍ୟ କରିବାକୁ କାଉନସିଲର ମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ପାରିଷଦ ମାନେ ପୌରପାଳିକାର ନୂଆସାହି ଠାରେ ଥିବା ମଳପଙ୍କ ବିଶୋଧନାଗାର, ଅଣୁ ଜୈବିକ ସାର ତିଆରି କେନ୍ଦ୍ର ଆଦି ସ୍ଥାନ ପରିଦର୍ଶନ କରି ବ୍ୟବହାରିକ ଜ୍ଞାନ ଆହରଣ କରିଥିଲେ । ପରିମଳ ବିଶେଷଜ୍ଞ ପିୟୁଷ କୁମାର ସାହୁ ଓ ସଂଜୟ ସାମନ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଡୁଡା ତରଫରୁ ଶିବିରାର୍ଥୀ ମାନଙ୍କୁ ତାଲିମ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।
Comments are closed.