ମୁମ୍ବଇ : ୱାଙ୍ଖଡେ ଷ୍ଟାଡ଼ିୟମରେ ଆଜି ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)-୨୦୨୫ର୨୦ତମ ମ୍ୟାଚ ମୁମ୍ବଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ। ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଭାରତୀୟ ଦଳର ଦୁଇ ସୁପରଷ୍ଟାର ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ପରସ୍ପର ବିପକ୍ଷରେ ଖେଳିବାର ଦେଖିବାକୁ ମିଳିବ। ଉଭୟ ଦଳ ଶେଷ ମ୍ୟାଚରେ ପରାଜିତ ହୋଇଥିବାରୁ ବିଜୟ ଧାରାକୁ ଫେରିବା ନେଇ ଲକ୍ଷ୍ୟ ରଖିଛନ୍ତି। ହାର୍ଦିକ ପାଣ୍ଡ୍ୟାଙ୍କ ନେତୃତାଧିନ ମୁମ୍ବଇ ଇଣ୍ଡିଆନ୍ସ ୪ଟି ମ୍ୟାଚରୁ ମାତ୍ର ଗୋଟିଏ ବିଜୟ ହାସଲ କରିଥିବାବେଳେ ୩ଟି ପରାଜିତ ହୋଇଛି। ଦଳ ବ୍ୟାଟିଂ ଓ ବୋଲିଂ ଉଭୟ କ୍ଷେତ୍ରରେ ଅସ୍ଥିର ପ୍ରଦର୍ଶନ କରୁଛି। ଦଳରେ ଏକାଧିକ ତାରକା ରହିଥିଲେ ମଧ୍ୟ ପ୍ରଦର୍ଶନରେ ବିଫଳ ହେଉଛି। ସୂର୍ଯ୍ୟକୁମାର ଯାଦବ, ହାର୍ଦିକ ପାଣ୍ଡ୍ୟା , ରିୟାନ ରିକେଲଟନ, ତିଳକ ବର୍ମା, ରୋହିତ ଶର୍ମା, ନମନ ଧିରଙ୍କୁ ନେଇ ବେଶ ଶକ୍ତିଶାଳୀ ବ୍ୟାଟିଂ ଲାଇନ ରହିଛି। କିନ୍ତୁ ଦକ୍ଷତା ଅନୁସାରେ ପ୍ରଦର୍ଶନ କରିବାରେ ଉକ୍ତ ଖେଳାଳିମାନେ ବିଫଳ ହୋଇଛନ୍ତି। ରୋହିତ ଶର୍ମା ୩ଟି ମ୍ୟାଚରୁ ୨୦, ସୂର୍ଯ୍ୟକୁମାର ୧୭୧, ରିୟାନ ରିକେଲଟନ ୯୧, ୱିଲ ଜ୍ୟାକ୍ ୩୨, ତିଳକ ବର୍ମା ୯୫ ଓ ହାର୍ଦିକ ପାଣ୍ଡ୍ୟା ୩୯ ରନ କରିଛନ୍ତି। କହୁଣୀରେ ଆଘାତ ଲାଗି ଲକ୍ଷ୍ନୌ ସୁପରଜିଆଣ୍ଟ ବିପକ୍ଷରେ ରୋହିତ ଖେଳିନଥିଲେ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ମ୍ୟାଚ ଖେଳିବାର ସମ୍ଭାବନା ରହିଛି। ବୋଲିଂରେ ଟ୍ରେଣ୍ଟ ବୋଲ୍ଟ ୩ଟି, ଦୀପକ ଚହର ୪ଟି, ଅଶ୍ବିନୀ କୁମାର ୫ଟି,ହାର୍ଦିକ ପାଣ୍ଡ୍ୟା ୮ଟି, ବିଘ୍ନେଶ ପୁତୁର ୫ଟି ୱିକେଟ ନେଇଛନ୍ତି। ତାରକା ସ୍ପିନର ମିଚେଲ ସାଣ୍ଟନର ଓ ମୁଜିବ ଉର ରେହମାନ ମହଙ୍ଗା ସାବ୍ୟସ୍ତ ହେବା ଦଳକୁ ଚିନ୍ତାରେ ପକାଇଛି। ଶେଷ ମ୍ୟାଚରେ ହାର୍ଦିକ ୫ଟି ୱିକେଟ ନେଇ ବୋଲିଂ ବିଭାଗକୁ ଶକ୍ତିଶାଳୀ କରିଛନ୍ତି। ଅନ୍ୟପକ୍ଷରେ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ଶିବିରରେ ଯୋଗ ଦେଇଥିବାବେଳେ ସୋମବାର ମ୍ୟାଚ ଖେଳିବାର ସମ୍ଭାବନା ରହିଛି। ରଜତ ପଟିଦାରଙ୍କ ନେତୃତ୍ବାଧିନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩ଟି ମ୍ୟାଚରୁ ଦୁଇଟି ବିଜୟ ଓ ଗୋଟିଏ ପରାଜିତ ହୋଇଛି। ଦଳ ପ୍ରଥମ ଦୁଇ ମ୍ୟାଚରେ କଲକାତା ନାଇଟ୍ ରାଇଡର୍ସ ଓ ଚେନ୍ନଇ ସୁପରକିଙ୍ଗ୍ସକୁ ପରାସ୍ତ କରିଥିବାବେଳେ ଶେଷ ମ୍ୟାଚରେ ଗୁଜରାଟ ଟାଇଟାନ୍ସ ନିକଟରୁ ୮ ୱିକେଟରେ ପରାଜିତ ହୋଇଥିଲା। ବ୍ୟାଟିଂ କ୍ରମରେ ବିରାଟ କୋହଲି ଓ ଫିଲ୍ ସଲ୍ଟ ପ୍ରଥମ ଦୁଇ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିବାବେେଳ ଲକ୍ଷ୍ନୌ ସୁପରଜିଆଣ୍ଟ୍ସ ବିପକ୍ଷରେ ବିଫଳ ହୋଇଥିଲେ। ଯାହା ଫଳରେ ଦଳ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା। ଏହାଛଡ଼ା ରଜତ ପଟିଦାର ୩ଟି ମ୍ୟାଚରୁ ଦୁଇଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଦେବଦତ୍ତ ପାଡ଼ିକଲ ଓ ଜିତେଶ ଶର୍ମା ବଡ଼ ଇନିଂସ ଖେଳିବାରେ ବିଫଳ ହୋଇଛନ୍ତି। ଶେଷ ମ୍ୟାଚରେ ଲିୟାମ ଲିଭିଙ୍ଗଷ୍ଟୋନ ଅର୍ଦ୍ଧଶତକ ହାସଲ କରିଥିବାବେଳେ ଟିମ୍ ଡେଭିଡ୍ ମଧ୍ୟ ରନ କରିଥିଲେ। ପ୍ରଥମ ଦୁଇ ମ୍ୟାଚରେ ବୋଲରମାନେ ଭଲ ପ୍ରଦର୍ଶନ କରିଥିବାବେଳେ ଲକ୍ଷ୍ନୌ ବିପକ୍ଷରେ ପ୍ରଭାବହୀନ ପ୍ରଦର୍ଶନ ରହିଥିଲା। ଦ୍ରୁତ ବୋଲିଂ କ୍ଷେତ୍ରରେ ଜୋଶ ହାଜେଲଉଡ୍, ଭୁବନେଶ୍ବର କୁମାର, ୟଶ ଦୟାଲ ରହିଛନ୍ତି। ଦଳର ସ୍ପିନ ବୋଲିଂ ଦାୟିତ୍ବ କ୍ରୁନାଲ ପାଣ୍ଡ୍ୟା ଓ ଲିୟାମ ଲିଭିଙ୍ଗଷ୍ଟୋନ ତୁଲାଉଛନ୍ତି। ଦଳକୁ ବିଜୟ ଧାରାକୁ ଫେରିବାକୁ ହେଲେ ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ଦୁଇ ଦଳ ମଧ୍ୟରେ ମୋଟ୍ ୩୩ଟି ମ୍ୟାଚ ଖେଳାଯାଇଛି। ସେଥିମଧ୍ୟରୁ ମୁମ୍ବଇ ଇଣ୍ଡିଆନ୍ସ ୧୯ଟି ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୧୪ଟି ମ୍ୟାଚରେ ବିଜୟୀ ହୋଇଛନ୍ତି।
Popular Categories



