ଆସାମ ସମେତ ସମଗ୍ର ଉତ୍ତର-ପୂର୍ବାଞ୍ଚଳରେ ଏବେ ବର୍ଷା ଓ ବନ୍ୟାର ତାଣ୍ଡବ ଚାଲିଛି। ଏଥିରେ ଅନେକ ଧନଜୀବନ ନଷ୍ଟ ହେଲାଣି। ଦକ୍ଷିଣ-ପଶ୍ଚିମ ମୌସୁମି ପ୍ରବାହର ଆରମ୍ଭରୁ ଏହି ସ୍ଥିତି ସୃଷ୍ଟି ହୋଇଛି। ଆଗକୁ ପରିସ୍ଥିତି ଆହୁରି ଜଟିଳ ହୋଇପାରେ। ବର୍ଷା ଚାରିମାସ କେବଳ ଉତ୍ତର-ପୂର୍ବାଞ୍ଚଳ ନୁହେଁ, ଓଡ଼ିଶା ସମେତ ଅନେକ ରାଜ୍ୟରେ ବନ୍ୟା ଓ ଜଳ ପ୍ଲାବନ ଘଟେ। ଏଥିରେ ପ୍ରତିବର୍ଷ ନାହିଁ ନଥିବା କ୍ଷତି ଘଟେ। ଲୋକେ ଫସଲ, ଘରଦ୍ବାର, ଧନଜୀବନ ହରାନ୍ତି। ସଡ଼କ ଏବଂ ଅନ୍ୟାନ୍ୟ ମୌଳିକ ଭିତ୍ତିଭୂମି ଏହାଦ୍ବାରା ବିଶେଷ କ୍ଷତିଗ୍ରସ୍ତ ହୁଏ। ସଂକ୍ଷେପରେ କହିଲେ ଆସାମ ସମେତ ଅନେକ ରାଜ୍ୟରେ ମୌସୁମି କେବଳ ବର୍ଷା ଆଣେ ନାହିଁ, ଏହା ଭୟ, ଆତଙ୍କ, ସ୍ଥାନଚ୍ୟୁତ,କ୍ଷୁଧା, ବ୍ୟାଧି ଓ ଅନିଶ୍ଚିତତା ଆଣେ। ପରିତାପର ବିଷୟ ଦେଶର ଅଧିକାଂଶ ରାଜ୍ୟ ବନ୍ୟାପ୍ରବଣ ହେବା ସତ୍ତ୍ବେ ବନ୍ୟା ଏଯାଏ ଜାତୀୟ ବିପତ୍ତି ଘୋଷିତ ହୋଇନାହିଁ। ବିଭିନ୍ନ ରାଜ୍ୟକୁ ବନ୍ୟା କ୍ଷୟକ୍ଷତି ସହାୟତା ନିମନ୍ତେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି (ଏନ୍ଡିଆର୍ଏଫ୍)ରୁ ଅର୍ଥ ମିଳେ ନାହିଁ। ରାଜ୍ୟ ସରକାରମାନେ ବନ୍ୟା କ୍ଷତିଗ୍ରସ୍ତଙ୍କୁ ଘରଭଙ୍ଗା, ରିଲିଫ ଓ ଅନ୍ୟାନ୍ୟ ସହାୟତା ନିଜସ୍ବ ପାଣ୍ଠିରୁ ଯୋଗାଇଥାନ୍ତି। ସେହିଭଳି ସଡ଼କ, ରାସ୍ତାଘାଟ ଓ ଅନ୍ୟାନ୍ୟ ମୌଳିକ ଭିତ୍ତିଭୂମିର ପୁନରୁଦ୍ଧାର, ମରାମତି ଆଦି ପାଇଁ କେନ୍ଦ୍ର ସରକାର ମଧ୍ୟ ଅର୍ଥ ଦେଇ ନ ଥାନ୍ତି। ଫଳରେ କ୍ଷତିଗ୍ରସ୍ତ ରାଜ୍ୟମାନେ ଚରମ ଆର୍ଥିକ ଅଭାବର ସମ୍ମୁଖୀନ ହୋଇଥା’ନ୍ତି।
ବନ୍ୟା ନିୟନ୍ତ୍ରଣରେ ପ୍ରଥମ ପଦକ୍ଷେପ ହେଲା ନଦୀବନ୍ଧ ନିର୍ମାଣ ଓ ନଈର ଉଭୟ ପାର୍ଶ୍ବରେ ମାଳବନ୍ଧ ତିଆରି କରି ଲୋକଙ୍କୁ ସୁରକ୍ଷିତ କରିବା। ଅନୁଭୂତି କହୁଛି ଯେ ଅଧିକାଂଶ ନଦୀର ଶଯ୍ୟା ପୋତି ହେବା ସହିତ ବନ୍ୟାଜଳ ନିଷ୍କାସନ ପଥ ବେଆଇନ ନିର୍ମାଣ ଓ ଜବରଦଖଲ ଯୋଗୁଁ ସଂକୁଚିତ ହୋଇପଡ଼ିଛି। ଫଳରେ ମଧ୍ୟମ ଧରଣର ବନ୍ୟା ଆସିଲେ ଦୁଇକୂଳର ବନ୍ଧ ଭାଙ୍ଗି ବ୍ୟାପକ କ୍ଷୟକ୍ଷତି ଘଟାଉଛି। ଓଡ଼ିଶା, ବଙ୍ଗଳା ଓ ଆସାମ ଭଳି ଅନେକ ରାଜ୍ୟରେ ବନ୍ୟା ଏକ ବାର୍ଷିକ ପ୍ରାକୃତିକ ବିପତ୍ତି। ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ବର୍ଷା ଓ ବନ୍ୟାର ଧାରା ବଦଳିଛି। ଏହା ସତ୍ତ୍ବେ ଦକ୍ଷ ବନ୍ୟା ପୂର୍ବାନୁମାନ ବ୍ୟବସ୍ଥା ଓ ସମନ୍ବିତ ନଦୀ ଉପତ୍ୟକା ପରିଚାଳନା ବ୍ୟବସ୍ଥାର ଅଭାବ ବନ୍ୟା ଦୁର୍ବିପାକକୁ ବଢ଼ାଉଛି। ବନ୍ୟା ଭଳି ବାତ୍ୟା କ୍ଷୟକ୍ଷତିକୁ ମଧ୍ୟ କେନ୍ଦ୍ର ସରକାର ଜାତୀୟ ବିପତ୍ତି ଭାବେ ଗଣନା କରନ୍ତି ନାହିଁ। ଫଳରେ କ୍ଷତିଗ୍ରସ୍ତ, ରାଜ୍ୟମାନଙ୍କୁ ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟ ପାଇଁ ଯଥେଷ୍ଟ ଅର୍ଥ ମିଳେ ନାହିଁ। ଜାତୀୟ ବିପତ୍ତିର ସଂଜ୍ଞା ନିରୂପଣ କରିବାରେ ଅନେକ ଅମଲାତାନ୍ତ୍ରିକ ପ୍ରତିବନ୍ଧକ ରହିଛି। ଏଥିପାଇଁ କି ମାନଦଣ୍ଡ ରହିଛି ତାହା ମଧ୍ୟ ଅନେକଙ୍କୁ ଅଜଣା। କୌଣସି ପ୍ରାକୃତିକ ବିପତ୍ତି ଯଦି କୌଣସି ରାଜ୍ୟର ସାମାଜିକ-ଆର୍ଥିକ ସ୍ଥିତିକୁ ଗୁରୁତର ଭାବେ କ୍ଷତିଗ୍ରସ୍ତ କରି ଏହାର ଏକ ନିର୍ଦିଷ୍ଟ ଜନସଂଖ୍ୟାକୁ ଅକଥନୀୟ ଦୁଃଖ ଦୁର୍ଦଶା ଭିତରକୁ ଠେଲିଦିଏ ତାହାକୁ ଜାତୀୟ ବିପତ୍ତି ଭାବେ ଗଣନା କଲେ ଅସୁବିଧା କେଉଁଠି? ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର। ଏଥିରେ ପ୍ରାକୃତିକ ବିପତ୍ତି ଯୋଗୁଁ ନିୟମିତ କ୍ଷତିଗ୍ରସ୍ତ ରାଜ୍ୟଙ୍କୁ କେନ୍ଦ୍ର ସ୍ବତନ୍ତ୍ର ଅର୍ଥ ସହାୟତା ଯୋଗାଇଦେବା ଆବଶ୍ୟକ। ଏହାଛଡ଼ା ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଓ ସ୍ଥାୟୀ ପ୍ରତିକାର ପାଇଁ ଜାତୀୟ ସ୍ତରରେ ନୀତି ସ୍ପଷ୍ଟ ହେବାର ଆବଶ୍ୟକତା ରହିଛି। ତାହା ନ ହେଲେ ଭବିଷ୍ୟତରେ ଏହା ଅଧିକ ରାଜନୀତିକ ବିବାଦ ସୃଷ୍ଟି କରି ସଂଘୀୟ ସ୍ଥିତିକୁ ବିପନ୍ନ କରିବ।



